ରାମ ନବମୀରୁ ଦୁଲୁକିବ ଶ୍ରୀକ୍ଷେତ୍ର: ଏପ୍ରିଲ ୬ରୁ ଆରମ୍ଭ ହେବ ସାହିଯାତ

ପୁରୀ: ରାମ ନବମୀଠାରୁ ଦୁଲୁକିବ ଶ୍ରୀକ୍ଷେତ୍ର । ଏପ୍ରିଲ ୬ରୁ ଆରମ୍ଭ ହେବ ପୁରୀର ସାଂସ୍କୃତିକ ମହାକୁମ୍ଭ ସାହିଯାତ । ରାମଜନ୍ମଠାରୁ ରାମାଭିଷେକ ପର୍ଯ୍ୟନ୍ତ ରାମଲୀଳାର ପୌରାଣିକ କଥାବସ୍ତୁକୁ ଆଧାର କରି ପାରମ୍ପରିକ ବାଦ୍ୟନୃତ୍ୟରେ ଉତ୍ସବ ମୁଖର ହେବ ଶ୍ରୀକ୍ଷେତ୍ର । ବୀରବାଦ୍ୟର ତାଳେ ତାଳେ ଜାଗା ଆଖଡାର ଯୁବକମାନେ ବାଦୀ ସାହିରେ ସମରକଳା ପ୍ରଦର୍ଶନ ନେଇ ଆଖଡାମାନଙ୍କରେ ପ୍ରସ୍ତୁତି ଚାଲିଛି ।
ପୁରୀର ପ୍ରତି ସାହିରେ ଦେଖିବାକୁ ମିଳିବ ରାମଲୀଳାର ଦୃଶ୍ୟ । ସମରକଳାରେ କମ୍ପିବ ଶ୍ରୀକ୍ଷେତ୍ର ଦାଣ୍ଡ । ଚୈତ୍ରମାସ ଶୁକ୍ଳପକ୍ଷ ନବମୀଠାରୁ ଆରମ୍ଭ ହେବ ପୁରୀର ସାଂସ୍କୃତିକ ମହାକୁମ୍ଭ । ପରମ୍ପର ଅନୁଯାୟୀ ଶ୍ରୀମନ୍ଦିର ଓ ଶ୍ରୀମନ୍ଦିର ସହ ଜଡିତ ଶ୍ରୀକ୍ଷେତ୍ରର ଆଠସାହିରେ ପାରମ୍ପାରିକ ସମରକଳା ସାହିଯାତ ଅନୁଷ୍ଠିତ ହେବ । ଏପ୍ରିଲ ୬ ତାରିଖରୁ ଆରମ୍ଭ ହୋଇ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ଯାତ । ଶ୍ରୀକ୍ଷେତ୍ରର ପ୍ରାଚୀନ ୮ ସାହିର ବାସିନ୍ଦା ୬୦ ଜାଗା ଘର ସୌଜନ୍ୟରୁ ୮ ଆଖଡା ନେତୃତ୍ୱରେ ଅନୁଷ୍ଠିତ ହେବ ଯାତ । ୮ ସାହିର ଜାଗା ଆଖଡାମାନଙ୍କରୁ ପୌରାଣିକ ରାମାୟଣର ଚରିତ୍ର ରାମ, ଲକ୍ଷ୍ମଣ, ସୀତା, ରାବଣ, ପର୍ଶୁରାମ, ହନୁମାନ, ସପ୍ତଶିରା ଓ ନାଗା ମେଢ ଆଦି ସାହି ପରିକ୍ରମା କରିବେ । ଏଥିରେ ପ୍ରତି ସାହିର ମୁରବୀ ଓ ବାସିନ୍ଦାମାନେ ପଟୁଆରରେ ଯୋଗଦେଇ କରି କଳାକୌଶଳ ପ୍ରଦର୍ଶନ କରିବେ ।
ଭାଇଚାରାର ଏହି ପର୍ବକୁ ଶୃଙ୍ଖଳିତ ସମ୍ପନ୍ନ କରିବା ନେଇ ୮ ସାହି ଆଖଡାର ମୁରବୀମାନଙ୍କ ସହ ଆଲୋଚନା କରାଯାଇଛି । ସେପଟେ ସାହିଯାତ ପାଇଁ ୮ ସାହି ଆଖଡା ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ଜାଗା ଆଖଡାର ମୁରବୀ ଓ ଗୁରୁମାନଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ୮ ସାହି ଆଖଡାରେ ଯୁବକମାନେ ୮ରୁ ୧୦ ଘଣ୍ଟା ଧରି ପ୍ରଶିକ୍ଷଣ ନେଉଛନ୍ତି । ପ୍ରାୟ ୩ରୁ ୪ ମାସ ପୂର୍ବରୁ ଯୁବକମାନେ ସ୍ୱତନ୍ତ୍ର ବାଦ୍ୟ ତାଳେ ତାଳେ ନୃତ୍ୟ ଅଭ୍ୟାସ କରୁଛନ୍ତି । ସାହିଯାତ ପାଇଁ ଆବଶ୍ୟକ ଅର୍ଥ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବ ।