spot_img

Latest Posts

କୋଶଳୀ ଭାଷାକୁ ନେଇ ବିଜେପିରେ ଫାଟ

ଭୁବନେଶ୍ବର : କୋଶଳୀକୁ ମିଳିବ ନାହିଁ ରାଜ୍ୟ ଭାଷା ମାନ୍ୟତା। ବିଧାନସଭାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ  ଏହି ଉତ୍ତର ଦେବା ପରେ ଗର୍ଜିଲେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର। କାରଣ ଯେଉଁ କୋଶଳୀ ପାଇଁ ଜୟ ନାରାୟଣ ଓଡ଼ିଶା ବିଭାଜନ ନେଇ ବିବୃତି ଦେଇଥିଲେ, ତାକୁ ପୁଣି ସରକାରୀ ସ୍ତରରେ ଖଣ୍ଡନ କରାଯାଇଛି । ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନରେ ସୂର୍ଯ୍ୟବଂଶୀ ସୂରଜ ଉତ୍ତର ରଖିଥିଲେ, ସମ୍ବଲପୁରୀ-କୋଶଳୀ ଭାଷାକୁ ରାଜ୍ୟ ଭାଷାର ମାନ୍ୟତା ଦାବି ସଂକ୍ରାନ୍ତୀୟ କୌଣସି ପ୍ରସ୍ତାବ ସରକାରଙ୍କ ହସ୍ତଗତ ହୋଇନାହିଁ। ବାସ୍ ଏତିକି କଥାରେ ସୂର୍ଯ୍ୟବଂଶୀଙ୍କୁ କଡ଼ା ସମାଲୋଚନା କରିଛନ୍ତି ଜୟ ନାରାୟଣ। ଟାର୍ଗେଟ କରି କହିଛନ୍ତି, ମନ୍ତ୍ରୀ ସୂର୍ଯ୍ୟବଂଶୀ ଜାଣି ନାହାନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁରୀ-କୋଶଳୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବାକୁ ପ୍ରସ୍ତାବ ଦେଇଥିଲେ। ବର୍ତମାନର ମନ୍ତ୍ରୀ କଣ କହୁଛନ୍ତି ବୋଲି ସେ କଟାକ୍ଷ କରିଛନ୍ତି। ନିଜ ପୁରୁଣା କଥାକୁ ଦୋହରାଇ ଜୟ ନାରାୟଣ ପୁଣି ଥରେ କହିଛନ୍ତି, ଉତ୍କଳ, କଳିଙ୍ଗ ଓ କୋଶଳକୁ ନେଇ ଓଡ଼ିଶା ଗଠନ ହୋଇଛି। ପୂର୍ବରୁ ଗୃହରେ ଏହାକୁ ଜୟ ନାରାୟଣଙ୍କ ବ୍ୟକ୍ତିଗତ ମତ ଭାବେ ଅବଗତ କରିଥିଲେ ସରକାର। ହେଲେ ସରକାରଙ୍କ ସେଦିନର ମତକୁ ବି କାଉଣ୍ଟର କରି ଜୟ ନାରାୟଣ କହିଛନ୍ତି ଯେ ବର୍ତ୍ତମାନର ବ୍ୟକ୍ତିଗତ ମତ ଆଗକୁ ସାମୂହିକ ମତ ହେବ। ଇତିହାସ ଛାତ୍ର ତଥା ବିଜେଡ଼ି ବିଧାୟକ ଅରୁଣ ସାହୁଙ୍କଠାରୁ ଇତିହାସ ପାଠ ପଢିବାକୁ ଜୟ ନାରାୟଣ କହିଛନ୍ତି । ସେପଟେ ଅରୁଣ ସାହୁ କଟାକ୍ଷ କରି କହିଛନ୍ତି,  ସବୁ ଭାଷା ବଞ୍ଚୁ, କିଛି ବିଲୀନ ନ ହେଉ।  ହେଲେ ଦୁର୍ବଳ ସରକାରରେ ଖାଲି ଥିବା ମନ୍ତ୍ରୀ ପଦ ପାଇବାକୁ କିଛି ବିଧାୟକ ଖଞ୍ଜା ଖୋଜୁଛନ୍ତି।

ଓଡ଼ିଶା ବିଭାଜନ ପରି ମତରେ ଜୟ ନାରାୟଣଙ୍କ ବ୍ରେକ ଲାଗୁନି। ଅଖଣ୍ଡ ଓଡ଼ିଶାର ଗରିମାକୁ ଲଜ୍ଜିତ କରୁଥିବା ଜୟ ନାରାୟଣଙ୍କୁ ସମାଲୋଚନା କରିଛି କଂଗ୍ରେସ। ଗୋଟେ ପଟେ ରାଜ୍ୟ ବିଭାଜନକୁ ନେଇ ଜୟ ନାରାୟଣଙ୍କ ବୟାନବାଜି ଜାରି ରହିଛି। ଅନ୍ୟପଟେ ସରକାର ଓ ସରକାରୀ ଦଳର ଆଭିମୁଖ୍ୟ ଓଲଟା । ଏପରି ସ୍ଥିତିରେ ବିଜେପି ଭିତରେ ଜୟ ନାରାୟଣଙ୍କ ଗୁରୁତ୍ଵକୁ ନେଇ ପ୍ରଶ୍ନ ଉଠିଲାଣି। ଜୟ ନାରାୟଣଙ୍କ ସହିତ ବିଜେପି ଏକମତ ହୋଇପାରୁନଥିବା ବେଳେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦଳ କାହିଁକି ସାହସ ଜୁଟାଇ ପାରୁନାହିଁ ବୋଲି ଚର୍ଚ୍ଚା ହେଲାଣି।

Latest Posts

Don't Miss