ମାର୍ଚ୍ଚରେ ତାଉ ଦେଖାଉଛି ତାତି, ଦିନ ୧୦ଟା ପରେ ଘରୁ ବାହାରିବା ମୁସ୍କିଲ

ବଲାଙ୍ଗୀର : ମାର୍ଚ୍ଚରେ କଲବଲ କରୁଛି ଗ୍ରୀଷ୍ମ ପ୍ରବାହ । ମୁଣ୍ଡ ଫଟା ଖରାରେ ତ୍ରାହି ତ୍ରାହି ଡାକିଲେଣି ଲୋକେ । ତତଲା ତାୱା ପାଲଟିଛି ବଲାଙ୍ଗୀର ଜିଲ୍ଲା । ଗତ କିଛି ଦିନ ହେଲା ଜିଲ୍ଲାରେ ତାତିର ପ୍ରକୋପ ବଢୁଥିବାରୁ ଜନଜୀବନ ଅସ୍ତବ୍ଯସ୍ତ ହୋଇପଡିଛି । ଦିନ ୧୦ଟା ପରେ ରାସ୍ତାଘାଟ ଶୂନଶାନ ହୋଇପଡୁଛି । ଲୋକେ ଘରୁ ବାହାରିବା ମୁସ୍କିଲ୍ ହୋଇପଡିଛି ।ତାତି ସାଙ୍ଗକୁ ବିଦ୍ୟୁତ୍ କାଟ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି । ଲୋକମାନେ ତାତିରୁ ତ୍ରାହି ପାଇଁ ଥଣ୍ଡା ପାନୀୟ, ଆଖୁ ରସ, ଲସି ଆଦି ମୃଦୁ ପାନୀୟ ଦୋକାନରେ ଭିଡ ଜମାଉଥିବା ନେଇ ଦେଖିବାକୁ ମିଳୁଛି । ବର୍ତ୍ତମାନ ଠୁ ସ୍ଥିତି ଏପରି ଥିବା ବେଳେ ଆଗକୁ ସ୍ଥିତି ଅସହ୍ଯ ହୋଇପଡିବ ବୋଲି ଆଶଙ୍କା ଦେଖାଦେଇଛି । ଖରାରେ ଲୋକଙ୍କ ଅବସ୍ଥା ବେହାଲ୍ ହେବା ଆରମ୍ଭ ହୋଇଥିବା ବେଳେ ସରକାର ଆଗୁଆ ପଦକ୍ଷେପ ଗ୍ରହଣ ନ କଲେ ପରିସ୍ଥିତି ଆହୁରି ଭୟଙ୍କର୍ ହେବ ବୋଲି ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକ କହିଛନ୍ତି ।
ଗତ ୧୮ ଓ ୧୯ ତାରିଖ ଦୁଇ ଦିନ ଧରି ବଲାଙ୍ଗୀରର ତାପମାତ୍ରା ରାଜ୍ୟରେ ସର୍ବୋଚ୍ଚ ରହିଥିଲା । ଟିଟିଲାଗଡ଼ରେ ମଧ୍ଯ ସମାନ ଅବସ୍ଥା । ଜିଲ୍ଲାରେ ୪୧ ଡିଗ୍ରୀ ପାର କଲାଣି ତାପମାତ୍ରା । ହେଲେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟି କରି ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ବ୍ଯବସ୍ଥା କରାଯାଇନାହିଁ । ସଚେତନତା ନାଁରେ ରାସ୍ତାରେ କିଛି ପୋଷ୍ଟର ମାରି ଜିଲ୍ଲା ପ୍ରଶାସନ କାମ ସାରିଦେଇଥିବା ବେଳେ ଜିଲ୍ଲାର କୌଣସି ସ୍ଥାନରେ ଜଳଛତ୍ର କିମ୍ବା ସେଡରର ବ୍ୟବସ୍ଥା କରାଯାଇନାହିଁ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ ।