ଶୀଘ୍ର ସାରନ୍ତୁ କାମ, ଆସନ୍ତା ୨୨ରୁ ଚାରି ଦିନ ବ୍ୟାଙ୍କ ରହିବ ବନ୍ଦ

1 min read

ନନ୍ଦିଘୋଷ ବ୍ୟୁରୋ: ୨୧ ତାରିଖ ସୁଦ୍ଧା ସାରି ଦିଅନ୍ତୁ ଜରୁରୀ ବ୍ୟାଙ୍କ କାର୍ଯ୍ୟ । ଆସନ୍ତା ୨୨ରୁ ଚାରି ଦିନ ବ୍ୟାଙ୍କ ରହିବ ବନ୍ଦ । ଆସନ୍ତା ୨୪ ଓ ୨୫ ତାରିଖ ବ୍ୟାଙ୍କ୍ ଧର୍ମଘଟ ରହିଛି । ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ୯ ଦଫା ଦାବିରେ ବ୍ୟାଙ୍କ ସଂଘଗୁଡ଼ିକ ଧର୍ମଘଟକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ୨୨ ଓ ୨୩ ତାରିଖ ଶନିବାର ଓ ରବିବାର ଥିବାରୁ ବ୍ୟାଙ୍କ ଛୁଟି ରହିବ ।  ଲଗାତର ୪ ଦିନ ବ୍ୟାଙ୍କ୍ ବନ୍ଦ ରହୁଥିବାରୁ ଶାଖାଗୁଡ଼ିକରେ ଟଙ୍କା ଜମା, ଉଠାଣ, ଚେକ୍‌ କ୍ଲିଅରିଂ ଭଳି ଅନ୍ୟାନ୍ୟ ସେବା ବାଧାପ୍ରାପ୍ତ  ହେବ । ଏଟିଏମ୍‌ଗୁଡ଼ିକରେ ଟଙ୍କା  ଖାଲି ହେବାର ଆଶଙ୍କା ମଧ୍ୟ ରହୁଛି ।ସମସ୍ତ କ୍ୟାଡରରେ ପର୍ଯ୍ୟାପ୍ତ ନିଯୁକ୍ତି, ଅସ୍ଥାୟୀ କର୍ମଚାରୀଙ୍କୁ ନିୟମିତ କରିବା, ବ୍ୟାଙ୍କିଙ୍ଗ ଶିଳ୍ପରେ ୫ ଦିନିଆ କାର୍ଯ୍ୟ ସପ୍ତାହ ଲାଗୁ  କରିବା, ପ୍ରଦର୍ଶନ ସମୀକ୍ଷା ଏବଂ ପିଏଲ୍‌ଆଇ  ଉପରେ ସାମ୍ପ୍ରତିକ ଡିଏଫ୍‌ଏସ୍‌ ନିର୍ଦ୍ଦେଶାବଳୀର  ତ୍ୱରିତ ପ୍ରତ୍ୟାହାର, ବ୍ୟାଙ୍କ ଅଧିକାରୀ ଏବଂ  କର୍ମଚାରୀଙ୍କ ସୁରକ୍ଷା, ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକରେ ନିର୍ଦ୍ଦେଶକ ପଦବୀ ପୂରଣ ଲାଗି ଦାବି ରଖିଛନ୍ତି ବ୍ୟାଙ୍କ କର୍ମଚାରୀ ।

୯ ଦଫା ଦାବିରେ ଦେଶର ୯ ଟି ସଂଗଠନ କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନ କରିବେ। ମୁଖ୍ୟତଃ ବ୍ୟାଙ୍କରେ ଖାଲି ପଡିଥିବା ଦେଢ଼ ଲକ୍ଷରୁ ଅଧିକ ପଦବୀ ପୂରଣ କରିବା, ସପ୍ତାହରେ 5 ଦିନ କାର୍ଯ୍ୟ ଦିବସ କରିବା, ଅସ୍ଥାୟୀ କର୍ମଚାରୀ ମାନଙ୍କୁ ସ୍ଥାୟୀ କରିବା ସହ ବ୍ୟାଙ୍କ, କର୍ମଚାରୀ ଓ ଗ୍ରାହକ ମାନଙ୍କ ସୁରକ୍ଷା ଭଳି ପ୍ରସଙ୍ଗ ମୁଖ୍ୟ ଦାବି ରହିଛି। AIBEA, BEFI, NCBE, NIBW, INBEF ଭଳି 5ଟି କର୍ମଚାରୀ ସଂଗଠନ ଓ AIBOC, AIBOA, NOBO, INBOC ଭଳି 4ଟି ଅଫିସର ସଂଗଠନ ୟୁନଇଟେଡ଼ ଫୋରମ ଅଫ ବ୍ୟାଙ୍କର ୟୁନିୟନ ବ୍ୟାନରରେ ଏକାଠି ହୋଇ କେନ୍ଦ୍ର ସରକାର ଙ୍କ ମାନମାନି ନୀତିକୁ ବିରୋଧ କରୁଛନ୍ତି। ଅନ୍ୟ ଦାବି ମଧ୍ୟରେ ଗ୍ରାଚୁଇଟି ବୃଦ୍ଧି, ଆଇଡିବିଆଇ ବ୍ୟାଙ୍କ ଘରୋଇକରଣ ପ୍ରସ୍ତାବ କୁ ବିରୋଧ କରାଯାଉଛି। ଦେଶବ୍ୟାପୀ  ହେଉଥିବା ଏହି ଆନ୍ଦୋଳନରେ  ରାଜ୍ୟର ୬ ହଜାର ଶାଖା ଏବଂ  ୩୭ ହଜାର କର୍ମଚାରୀ ସାମିଲ  ହେବେ  ।