ଆହୁରି ଦୁଇଦିନ ସିଝିବ ଓଡ଼ିଶା, ୨୦ ତାରିଖରୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ବର: ଆହୁରି ୨ ଦିନ ଯାଏ ସିଝିବ ଓଡ଼ିଶା । ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ କଲବଲ କରିବ ଗ୍ରୀଷ୍ମ ପ୍ରବାହ । ଗତକାଲି ୪୩.୫ ସହ ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ସେହିପରି ୪୨ ତାପମାତ୍ରା ସହ ବରଗଡ଼ ଦ୍ବିତୀୟ ଏବଂ ୪୦.୭ ସହ ଅନୁଗୁଳ ତୃତୀୟରେ ରହିଥିଲା ।
ଟିଟିଲାଗଡ଼ ୪୦.୫, ମାଲକାନଗିରି ୪୦.୨, ଝାରସୁଗୁଡା ୩୯.୮, ସମ୍ବଲପୁର ୩୯.୬, ହୀରାକୁଦ ୩୯.୧, ରାଉରକେଲା ୩୭.୧, କଟକ ୩୭, ଚାନ୍ଦବାଲି ୩୬.୮, ଭୁବନେଶ୍ବର ୩୬.୭ ରେକର୍ଡ କରାଯାଇଥିଲା । ବଲାଙ୍ଗୀର, ଅନୁଗୁଳ ଝାରସୁଗୁଡା ଓ ବୌଦ୍ଧ ପାଇଁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ସମ୍ବଲପୁର, ସୁନ୍ଦରଗଡକୁ ୟେଲୋ ଆର୍ଲଟ ଜାରି କରାଯାଇଥିବା ବେଳେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଖୋର୍ଦ୍ଧା ଓ ଗଜପତିକୁ ଜିଲ୍ଲାକୁ ମଧ୍ୟ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି ।
ତେବେ ୨୦ ତାରିଖ ବେଳକୁ ରାଜ୍ୟରେ ତାପମାତ୍ରା କମିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ୨ରୁ ୪ ଡିଗ୍ରୀ ତାପମାତ୍ରା ହ୍ରାସ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତାପମାତ୍ରା ହ୍ରାସ ସହ ବିଜୁଳି ଘଡଘଡି ହେବାର ସମ୍ଭାବନା ରହିଛି । ଆଜିଠୁ କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ବର୍ଷା ହୋଇପାରେ ବୋଲି ବିଭାଗ ପୂର୍ବାନୁମାନ କରିଛି । ଭଦ୍ରକ, ଯାଜପୁର, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ ଜିଲ୍ଲାର କେତେକ ସ୍ଥାନରେ ବିଜୁଳି ଘଡଘଡି ସହ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟରେ ୩୦ରୁ ୪୦ କିମି ପବନ ବହିବ । ସେହିପରି ୨୦ ତାରିଖରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ୧୫ ଜିଲ୍ଲାରେ ବିଜୁଳି ଘଡଘଡି ସହ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି ।