ମାଟ୍ରିକ ଡ୍ରପ ଆଉଟ୍ ବଢ଼ାଇଛି ଚିନ୍ତା: ଅନ୍ଧାରରେ ପିଲାଙ୍କ ଭବିଷ୍ୟତ, କାରଣ ଖୋଜିବାକୁ ପ୍ରଧାନଶିକ୍ଷକଙ୍କୁ ନିର୍ଦ୍ଦେଶ

ବାଲେଶ୍ବର: ମାଟ୍ରିକ ପରୀକ୍ଷାରେ ବଢୁଛି ଡ୍ରପ ଆଉଟ୍ ସଂଖ୍ଯା । ଅନ୍ଧାର ଭିତରକୁ ଚାଲିଯାଉଛି ଅନେକ ପିଲାଙ୍କ ଭବିଷ୍ଯତ । ଉଠିବାରେ ଲାଗିଛି ପ୍ରଶ୍ନ, ଏଥିପାଇଁ ଦାୟୀ କିଏ ? ଶିକ୍ଷକ ଅଭାବ ଓ ପାରିବାରିକ ସମସ୍ଯାକୁ ଶିକ୍ଷାବିତ୍ ଦାୟୀ କରିବା ସହ ଚିନ୍ତାବ୍ଯକ୍ତ କରିଛନ୍ତି । ଚଳିତବର୍ଷ ବାଲେଶ୍ବର ଜିଲ୍ଲାରେ ୭ ଶହରୁ ଅଧିକ ଛାତ୍ରଛାତ୍ରୀ ଫର୍ମ ଫିଲପ କରିଥିଲେ ମଧ୍ୟ ପରୀକ୍ଷା ଦେଇ ନଥିବା ନଜରକୁ ଆସିଛି । ତଦନ୍ତ କରି ରିପୋର୍ଟ ଦେବାକୁ ପ୍ରଧାନଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଡିଇଓ ।

ଫେବୃଆରୀ ୨୧ରୁ ଆରମ୍ଭ ହୋଇ ୬ ତାରିଖରେ ସରିଛି ଚଳିତବର୍ଷର ମାଟ୍ରିକ ପରୀକ୍ଷା । ବାଲେଶ୍ବର ଜିଲ୍ଲାରୁ ରେଗୁଲାର ପରୀକ୍ଷାର୍ଥୀ ଭାବେ ୨୯ ହଜାର ୯୬୮ଜଣ ଛାତ୍ରଛାତ୍ରୀ ପଞ୍ଜିକୃତ କରିଥିଲେ । ହେଲେ ମାତୃଭାଷା ପରୀକ୍ଷାରେ ୭୩୫ ଜଣ ପରୀକ୍ଷା ଦେଇନଥିଲେ । କେବଳ ଏହି ଗୋଟିଏ ବିଷୟ ନୁହେଁ ଇଂରାଜୀରେ ୭୬୧, ଗଣିତରେ ୭୭୮, ବିଜ୍ଞାନରେ ୭୭୯, ସାମାଜିକ ବିଜ୍ଞାନରେ ୭୯୧ ଏବଂ ହିନ୍ଦୀ ଓ ସଂସ୍କୃତରେ ୭୮୪ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇନାହାନ୍ତି । ସେହିପରି ମଧ୍ୟମା ପରୀକ୍ଷାରେ ୬୪୭ ଜଣ ପଞ୍ଜିକୃତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୪୭ ଜଣ ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ୪୨୯ ଜଣ ପଞ୍ଜିକୃତଙ୍କ ମଧ୍ୟରୁ ୪୯ ଜଣ ଅନୁପସ୍ଥିତ ଅଛନ୍ତି । ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଏହାର କାରଣ ଖୋଜା ଯାଉଥିବା ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି । ଏନେଇ ପ୍ରଧାନଶିକ୍ଷକମାନଙ୍କୁ ପ୍ରତି ପିଲାଙ୍କ ଅନୁପସ୍ଥିତିର କାରଣ ଖୋଜି ରିପୋର୍ଟ ଦେବାକୁ କୁହାଯାଇଥିବା କହିଛନ୍ତି ଡିଇଓ ।

ବିଦ୍ୟାଳୟର ଭିତ୍ତିଭୂମି ସଠିକ ଥିବା ବେଳେ ପାଠ ପଢ଼ା ମଧ୍ୟ ହେଉଛି । ହେଲେ ଛାତ୍ରଛାତ୍ରୀମାନେ ପରୀକ୍ଷା ନଦେବା ଏବେ ଶିକ୍ଷା ବିଭାଗର ଦୁର୍ବଳତାକୁ ପଦାରେ ପକାଇଛି । ଶିକ୍ଷକ ଅଭାବ ପାଇଁ ପ୍ରଥମରୁ ପିଲାଙ୍କ ପରୀକ୍ଷା ଭୟ ଦୂର ହେଉନି । ଆଉ ଏଥିପାଇଁ ଉଭୟ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସମେତ ଅଭିଭାବକ ଧ୍ୟାନ ଦେବାର ଆବଶ୍ୟକ ଥିବା କହିଛନ୍ତି ଶିକ୍ଷାବିତ୍ । ଡ୍ରପ ଆଉଟ ନେଇ ଯିଏ ବି ଦାୟୀ ହୁଅନ୍ତୁନା କାହିଁକି ଏହାଦ୍ବାର ପିଲାଙ୍କ ଭବିଷ୍ଯତ ଅନ୍ଧାରକୁ ଚାଲିଯାଉଥିବା କହିଛନ୍ତି ବୁଦ୍ଧିଜୀବୀ ।