ଖୋଲୁଛି ମୁମ୍ବାଇର ଖ୍ୟାତନାମା ହସ୍ପିଟାଲ ଲୀଳାବତୀ ହସ୍ପିଟାଲର ଗୁମର, ଗୁଣିଗାରେଡି ଚାଲିଥିବା ଅଭିଯୋଗ

1 min read

ମୁମ୍ବାଇ: ଖୋଲୁଛି ମୁମ୍ବାଇର ଖ୍ୟାତନାମା ହସ୍ପିଟାଲ ଲୀଳାବତୀ ହସ୍ପିଟାଲର ଗୁମର । ହସ୍ପିଟାଲ ପାଣ୍ଠି ଲୁଟ ନେଇ ଚର୍ଚ୍ଚାରେ ଥିବା ହସ୍ପିଟାଲର ଟ୍ରଷ୍ଟି ସଦସ୍ୟ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି । ହସ୍ପିଟାଲରେ ଗୁଣିଗାରେ଼ଡି ଚାଲିଥିବା ସେମାନେ ଅଭିଯୋଗ କରିଛନ୍ତି । ଲୀଳାବତୀ କୀର୍ତ୍ତିଲାଲ ମେହଟ୍ଟା ମେଡିକାଲ ଟ୍ରଷ୍ଟର ବର୍ତ୍ତମାନର ସଦସ୍ୟମାନେ ଅଭିଯୋଗ କରିଛନ୍ତି- ପୂର୍ବତନ ଟ୍ରଷ୍ଟିର ସଦସ୍ୟମାନେ ୧୫ଶହ କୋଟିରୁ ଅଧିକ ଟଙ୍କା ହେରଫେର କରିଛନ୍ତି । ଏହା ସହ ହସ୍ପିଟାଲ ପରିସରରେ ଗୁଣିଗାରେଡି ଚାଲିଥିଲା ଏବଂ ମାନବ ଅସ୍ଥି ଓ କେଶ ଥିବା ୮ଟି ଚିତାଭସ୍ମ ପାତ୍ରର ସନ୍ଧାନ ମିଳିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ପୂର୍ବତନ ଟ୍ରଷ୍ଟି ସଦସ୍ୟଙ୍କ ନାମରେ ପୋଲିସରେ ୩ଟି ଏଫଆଇଆର ଦରଜ କରାଯିବା ସହ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିକଟରେ ଅଭିଯୋଗ କରାଯାଇଛି ।

ଅର୍ଥ ହେରଫେର ଯୋଗୁ ହସ୍ପିଟାଲ ପରିଚାଳନରେ ସମସ୍ୟା ଦେଖାଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ଏନେଇ ବାନ୍ଦ୍ରା ପୋଲିସ ଷ୍ଟେସନରେ ମାମଲା ଦାୟର ହେବା ପରେ ପୋଲିସ ତଦନ୍ତ ଆରମ୍ଭ ହୋଇଛି ବୋଲି ସୂଚନା ଦେଇଛନ୍ତି ଟ୍ରଷ୍ଟର ସ୍ଥାୟୀ ସଭାପତି ପ୍ରଶାନ୍ତ ମେହଟ୍ଟା । ସେ କହିଛନ୍ତି- ରୋଗୀଙ୍କ ଉପକାର ଲାଗି ଟ୍ରଷ୍ଟର ପାଣ୍ଠିର ସଦୁପଯୋଗ ହେବା କଥା । ମାତ୍ର କ୍ରମାଗତ ଭାବେ ଏହି ଅର୍ଥ ହେରଫେର କରାଯାଉଥିଲା । ଫଳରେ ହସ୍ପିଟାଲର ମିଶନ ଫେଲ୍ ହୋଇଥିଲା । ଦୀର୍ଘ ଦିନର ଆଇନଗତ ଯୁଦ୍ଧ ପରେ ବର୍ତ୍ତମାନର ଟ୍ରଷ୍ଟିଙ୍କ ବିଜୟ ହୋଇଥିଲା । ଚେତନ ଦଲାଲ ତଦନ୍ତ ଓ ପରିଚାଳନା ସେବା ଏବଂ ଏଏଡିବି ଆସୋସିଏଟସ ପକ୍ଷରୁ ହସ୍ପିଟାଲର ଫରେନସିକ ଅଡିଟ ହେବା ପରେ ତଥ୍ୟ ପଦାକୁ ଆସିଥିଲା । ଟ୍ରଷ୍ଟ ପାଣ୍ଠିକୁ କେତେକ ଏନଆରଆଇ, ଦୁବାଇ ଓ ବେଲଜିୟମରେ ରହୁଥିବା ପୂର୍ବତନ ଟ୍ରଷ୍ଟି ହେରଫେର କରିଥିଲେ । ସେପଟେ ଟ୍ରଷ୍ଟି କାର୍ଯ୍ୟାଳୟରେ ଗୁଣିଗାରେଡି ଚାଲିଥିବା ଅଭିଯୋଗ କରିଛନ୍ତି କିଛି କର୍ମଚାରୀ । କାର୍ଯ୍ୟାଳୟର ଚଟାଣ ଖୋଳାଯିବା ପରେ ମାନବ ଅସ୍ଥି, କେଶ, ଚାଉଳ ଆଦି ସାମଗ୍ରୀ ଭରି ରହିଥିବା ୮ଟି ଚିତାଭସ୍ମ ପାତ୍ର ମିଳିଥିଲା ।