ସାଲେପୁର ବ୍ଲକରେ ପାଗଳ ମାଙ୍କଡ଼ ଆତଙ୍କ, ୧୦ରୁ ଅଧିକ ଜଣଙ୍କୁ କାମୁଡ଼ିଲାଣି..

ନନ୍ଦିଘୋଷ ବ୍ୟୁରୋ: କଟକ ଜିଲ୍ଲାର ସାଲେପୁର ବ୍ଲକରେ ପାଗଳ ମାଙ୍କଡ଼ ଆତଙ୍କ । ସାଲେପୁରର ରାମକୃଷ୍ଣପୁର ପଞ୍ଚାୟତ ଓ ମହଣ ପଞ୍ଚାୟତର ବାଲିସମଳା, ହୀରାପୁର, ପୁରଣ ଗ୍ରାମରେ ପାଗଳ ମାଙ୍କଡ଼ ଆତଙ୍କ ଦେଖାଦେଇଛି । ପାଗଳ ମାଙ୍କଡ଼ କାମୁଡ଼ାରେ ୧୦ରୁ ଉର୍ଦ୍ଧ ବ୍ୟକ୍ତି ଆହତ ହୋଇଛନ୍ତି । ଆହତମାନେ କଟକ ମେଡିକାଲରେ ଚିକିତ୍ସିତ ହୋଇ ଘରକୁ ଫେରିଥିବା ବେଳେ ଅନ୍ୟମାନେ ଏବେ ବି କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ପାଗଳ ମାଙ୍କଡ଼ ଭୟରେ ଲୋକମାନେ ଘରୁ ପଦାକୁ ବାହାରି ପାରୁନାହାନ୍ତି ।  ଘରୁ ଗୋଡ଼ କାଢ଼ିଲେ ସାଙ୍ଗରେ ଠେଙ୍ଗା ଧରି ବାହାରିବାକୁ ପଡୁଛି । ବନ ବିଭାଗ ପାଗଳ ମାଙ୍କଡ଼କୁ କାବୁ କରି ଜଙ୍ଗଲରେ ଛାଡ଼ିବାକୁ ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି  । ଅନ୍ୟପଟେ ନନ୍ଦନକାନନରୁ ସ୍ୱତନ୍ତ୍ର ଟିମ୍ ଆସି ଟ୍ରାଙ୍କୁଲାଇଜ୍ କରି ପାଗଳ ମାଙ୍କଡ଼କୁ କାବୁ କରିବ । ଏହାଛଡା ଅନ୍ୟ ଉପାୟ ନାହିଁ ବୋଲି ବନବିଭାଗ କର୍ମଚାରୀ କହିଛନ୍ତି।