ଜୟନାରାୟଣଙ୍କ ମନ୍ତବ୍ୟକୁ ନେଇ କମ୍ପିଲା ଗୃହ, ଶାସକ ଦଳକୁ ଘେରିଲା ବିଜେଡି

ଭୁବନେଶ୍ବର : ବିଜେପିର ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ବିବାଦୀୟ ବୟାନକୁ ନେଇ ବିଧାନସଭାରେ ତମ୍ବି ତୋଫାନ । ଓଡ଼ିଶା ବିଭାଜନ ଚଳିବ ନାହିଁ ନାରା ଦେଇ ଗୃହ ମଧ୍ୟଭାଗରେ ପ୍ରତିବାଦ କରିଛନ୍ତି ବିଜେଡି ବିଧାୟକ। ଓଡ଼ିଆ ଅସ୍ମିତା କଥା କହି ସରକାରକୁ ଆସିଲା ବିଜେପି। ହେଲେ କ୍ଷମତାକୁ ଆସିବା ପରେ ଓଡ଼ିଶାକୁ ବିଭାଜନ କରିବାକୁ ଷଡଯନ୍ତ୍ର କରୁଛି ଗେରୁଆ ଦଳ। ଏହା କେନ୍ଦ୍ର ଓ ରାଜ୍ୟ ବିଜେପିର ଆଭିମୁଖ୍ୟ ବୋଲି ଅଭିଯୋଗ କରିଛି ବିଜେଡି। ସମ୍ବଲପୁରରେ ସରକାରୀ କାର୍ଯ୍ୟକ୍ରମରେ ଯେଉଁଠି କ୍ୟାବିନେଟ ମନ୍ତ୍ରୀ ରବି ନାୟକ ଉପସ୍ଥିତ ଥିଲେ, ସେଠି ବନ୍ଦେ ଉତ୍କଳ ଜନନୀକୁ ଅପମାନ କରାଗଲା। ଜୟ ନାରାୟଣ ମିଶ୍ର ଅକ୍ଷମଣୀୟ ଭୁଲ କରିଛନ୍ତି । ମୁଖ୍ୟମନ୍ତ୍ରୀ, ରାଜ୍ୟ ବିଜେପି ସଭାପତି କି ମନ୍ତ୍ରୀ କେହି ଜଣେ ବି ଜୟ ନାରାୟଣଙ୍କ ମନ୍ତବ୍ୟକୁ ନେଇ କାହିଁକି ସ୍ପଷ୍ଟୀକରଣ ଦେଉନାହାନ୍ତି ବୋଲି ବିଜେଡି ପ୍ରଶ୍ନ କରିଛି। ଯଦି ମୁଖ୍ୟମନ୍ତ୍ରୀ କିଛି ନ କୁହନ୍ତି ତେବେ ଓଡ଼ିଶାକୁ ଭାଙ୍ଗିବାକୁ ଷଡଯନ୍ତ୍ର ଆରମ୍ଭ ହୋଇଛି ବୋଲି ଧରି ନିଆଯିବ ବୋଲି କହିଛି ବିଜେଡି। ଓଡ଼ିଆ ଅସ୍ମିତା କହୁଥିବା ବିଜେପି ନିଜ ସତୀତ୍ବ ପ୍ରମାଣିତ କରନ୍ତୁ ବୋଲି ଦଳ ଦାବି କରିଛି।
ଦିନ ସାରା ଜୟ ନାରାୟଣଙ୍କ ଓଡିଶା ବିଭାଜନ ମନ୍ତବ୍ୟକୁ ନେଇ ବିଜେଡି ଗୃହ ଭିତରେ ଓ ବାହାରେ ପ୍ରବଳ ବିରୋଧ କରିବା ସହ ବିଜେପି ସରକାରଙ୍କୁ ଟାର୍ଗେଟ କରିଛି । ମୁଖ୍ୟମନ୍ତ୍ରୀ ଓ ବିଜେପି କାହିଁକି ଚୁପ ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ। ବିଜେପି ନେତାଙ୍କର ଯଦି ମେରୁଦଣ୍ଡ ଅଛି ତେବେ ସେମାନେ ଜୟ ନାରାୟଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ । କାରଣ ଓଡିଶା ବିଭାଜନ କରିବା ମନ୍ତବ୍ୟ ସହ ରାଜ୍ୟ ସଂଗୀତକୁ ମଧ୍ୟ ଜୟ ନାରାୟଣ ମିଶ୍ର ଅସମ୍ମାନ କରିଛନ୍ତି । ତାଙ୍କ ପାଇଁ କଣ ଆଇନ ନାହିଁ ବୋଲି ପଚାରିଛି ବିଜେଡି। ଏହି ଶାଣିତ ଆକ୍ରମଣ ବିଜେପିକୁ ଅଡ଼ୁଆରେ ପକାଇଛି। ବିଜେପି ବିଧାୟକ ବାବୁ ସିଂହ କହିଛନ୍ତି ଯେ ଓଡ଼ିଶା ବିଭାଜନକୁ ନେଇ ଜୟନାରାୟଣ ଯାହା କହିଛନ୍ତି ତାହା ତାଙ୍କର ବ୍ୟକ୍ତିଗତ ମତ। ବିଜେପି କ୍ଷମତାକୁ ଆସିବାର ୯ ମାସ ଭିତରେ ପୂର୍ବ ଓଡିଶା, ପଶ୍ଚିମ ଓଡିଶା ପରି ବିଭାଜନ ନାରା ଦେଇ ବିଭେଦ ସୃଷ୍ଟି କରୁଛି ।ଏହି ଷଡ଼ଯନ୍ତ୍ର ବିରୋଧରେ ପଲ୍ଲୀରୁ ଦିଲ୍ଲୀ ଯାଏ ଲଢେଇ ଜାରୀ ରଖିବ ବୋଲି କହିଛି ବିଜେଡି। ୨୦୩୬ରେ ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନର ଶହେ ବର୍ଷ ପୂର୍ତ୍ତି ପାଳନ ପୂର୍ବରୁ ଓଡ଼ିଶାକୁ ଭାଗ ଭାଗ କରିବାକୁ ବିଜେପି ଷଡ଼ଯନ୍ତ୍ର କରିଥିବାର ଅଭିଯୋଗ ହୋଇଛି।