ବିରାଟ କୋହଲି ଆହତ: ଚାମ୍ପିୟନ୍ସ ଟ୍ରଫି ଫାଇନାଲ ପୂର୍ବରୁ ଭାରତକୁ ଶକ୍ତ ଝଟକା

ଦୁବାଇ: ମାର୍ଚ୍ଚ ୯ ଅର୍ଥାତ ଆସନ୍ତାକାଲି ଚାମ୍ପିୟନ୍ସ ଟ୍ରଫିର ଫାଇନାଲ ମ୍ୟାଚ ଖେଳାଯିବ । ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ କଡ଼ା ଟକ୍କର । ତେବେ ଫାଇନାଲ ଲଢ଼େଇ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଆସିଛି ଏକ ନୈରାଶ୍ୟଜନକ ଖବର । ଭାରତର ଷ୍ଟାର ବ୍ୟାଟର ବିରାଟ କୋହଲି ଆହତ ହୋଇଛନ୍ତି । ଫାଇନାଲ ମ୍ୟାଚ ପୂର୍ବରୁ ଅଭ୍ୟାସ କରୁଥିବା ସମୟରେ ବିରାଟ ଆହତ ହୋଇଥିବା ଏକ ରିପୋର୍ଟରେ କୁହାଯାଇଛି । ନେଟ୍ସରେ ପେସ ବୋଲିଂକୁ ସାମ୍ନା କରୁଥିବା ବେଳେ ବିରାଟଙ୍କ ଆଣ୍ଠୁ ନିକଟରେ ବଲ ବାଜିଥିଲା । ଏହାପରେ ବିରାଟ ଆଉ ଅଭ୍ୟାସ କରିନଥିଲେ । ସଙ୍ଗେସଙ୍ଗେ ଟିମ୍ ଇଣ୍ଡିଆର ଫିଜିଓ ଷ୍ଟାଫ ବିରାଟଙ୍କ ସ୍ଥିତି ଅନୁଧ୍ୟାନ କରିଥିଲେ ଓ ବଲ ବାଜିଥିବା ସ୍ଥାନରେ ସ୍ପ୍ରେ କରିଥିଲେ । ଏଥିସହିତ ବିରାଟଙ୍କ ଆଣ୍ଠୁ ପାଖରେ ଏକ ବ୍ୟାଣ୍ଡେଜ ବାନ୍ଧିଥିଲେ । ତେବେ ଆହତ ହେବା ପରେ ବି ବିରାଟଙ୍କ ମନୋବଳରେ ପୂର୍ବ ପରି ରହିଥିଲା । ସେ ପଡ଼ିଆରେ ଉପସ୍ଥିତ ରହିବା ସହ ଅଭ୍ୟାସ ସେସନକୁ ଅନୁଧ୍ୟାନ କରିଥିଲେ ।

ତେବେ ବିରାଟଙ୍କ ଆହତ ଖବର ପାଇବା ପରେ କୋଟି କୋଟି ଭାରତୀୟ କ୍ରୀଡ଼ାପ୍ରେମୀଙ୍କୁ ଲାଗିଥିଲା ଏକ ଶକ୍ତ ଝଟକା । ବିରାଟଙ୍କ ସ୍ବାସ୍ଥ୍ୟାବସ୍ଥା କିପରି ରହିଛି, ଆସନ୍ତାକାଲି ହେବାକୁ ଥିବା ଫାଇନାଲ ମୁକାବିଲ ଉପରେ ଏହା ପ୍ରଭାବ ପକାଇବନି ତ, ଏପରି ଅନେକ ପ୍ରଶ୍ନ ଫ୍ୟାନ୍ସଙ୍କ ମଧ୍ୟରେ ଉଙ୍କି ମାରିଥିଲା । ତେବେ ବିରାଟ ସାମାନ୍ୟ ଆହତ ହୋଇଛନ୍ତି, ତାହା ସେତେଟା ଗୁରୁତର ନୁହେଁ । ଆସନ୍ତାକାଲି ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚ ପାଇଁ ବିରାଟ ଫିଟ୍ ହୋଇଯିବେ ବୋଲି ଟିମ୍ ଇଣ୍ଡିଆର କୋଚିଂ ଷ୍ଟାଫ ସୂଚନା ଦେଇଛନ୍ତି ।