ନାଁ ଓ ରଙ୍ଗ ବଦଳା ସରକାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛନ୍ତି, ଏସଆଇ ପରୀକ୍ଷା ସ୍ଥଗିତକୁ ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ବର: ଗୋଟିଏ ପଟେ ନାଁ ଓ ରଙ୍ଗ ପରିବର୍ତ୍ତନ ଭଳି ଅନାବଶ୍ୟକ କାର୍ଯ୍ୟ ସହ ରାଜ୍ୟର ଛାତ୍ରଛାତ୍ରୀଙ୍କ ଭାଗ୍ୟ ଭବିଷ୍ୟତ ସହ ଖେଳୁଛନ୍ତି ରାଜ୍ୟ ବିଜେପି ସରକାର । ପୂର୍ବରୁ ବିଭିନ୍ନ ପରୀକ୍ଷାରେ ଅନିୟମିତତା ଯୋଗୁଁ ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ଅନ୍ଧକାର ଭିତରକୁ ଠେଲି ହୋଇଯାଇଛି । ଏବେ ପୋଲିସ ଏସଆଇ ପରୀକ୍ଷା ସ୍ଥଗିତ ହେବାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି । ପରୀକ୍ଷାର ମାତ୍ର ଦୁଇ ଦିନ ପୂର୍ବରୁ ହଠାତ ଏଭଳି ନିଷ୍ପତ୍ତିକୁ ନେଇ ବିରୋଧର ସ୍ବର ଉଠିବାରେ ଲାଗିଛି । ଅନ୍ୟପକ୍ଷେ ଏକ କଳା ତାଲିକାଭୁକ୍ତ ଅନୁଷ୍ଠାନକୁ ପରୀକ୍ଷା ପରିଚାଳନା ଦାୟିତ୍ୱ ଦିଆଯିବାରୁ ଏଭଳି ହୋଇଥିବା ଅଭିଯୋଗ ହୋଇଛି ।

ପୋଲିସ ଏସଆଇ ପରୀକ୍ଷା ସ୍ଥଗିତକୁ ନେଇ ଉଠିଛି ପ୍ରଶ୍ନ । ଅନ୍ଧାରକୁ ଠେଲି ହୋଇଯାଉଛି ପିଲାଙ୍କ ଭବିଷ୍ୟତ । ବିବାଦୀୟ ସଂସ୍ଥାକୁ ପରିଚାଳନା ଦାୟିତ୍ଵ ଦେଇ ଫସାଇଦେଲେ ସରକାର ? ରାଜ୍ୟ ବିଜେପି ସରକାରର କାର୍ଯ୍ୟକଳାପ ପାଇଁ ରାଜ୍ୟକୁ ଓ ରାଜ୍ୟବାସୀଙ୍କ ଭବିଷ୍ୟତ ଅନ୍ଧାର ମଧ୍ୟକୁ ଠେଲିହୋଇଯାଉଛି । ସରକାରଙ୍କ କ୍ରୁର ଆଖିରୁ ରାଜ୍ୟର ଛାତ୍ର ସମାଜ ବି ବଞ୍ଚି ପାରିନାହାନ୍ତି । ପୂର୍ବରୁ ଆରଆଇ, ଅମିନ ଓ ଅନ୍ୟାନ୍ୟ ପରୀକ୍ଷାରେ ବିଭ୍ରାଟକୁ ନେଇ ଛାତ୍ର ସମାଜ ରାଜରାସ୍ତାକୁ ଓହ୍ଲାଇଥିଲା । ଏବେ ପୁଣି ଏକ ପ୍ରମୁଖ ପରୀକ୍ଷା ପୋଲିସ ଏସଆଇ ପରୀକ୍ଷାକୁ ନେଇ ଅଭିଯୋଗ ଆସିଛି ।

ଆସନ୍ତା ୮ ଓ ୯ ତାରିଖ ପୋଲିସ ଏସଆଇ ପରୀକ୍ଷା ଥିଲା । ଦୁଇଦିନ ପୂର୍ବରୁ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯେଉଁ ସଂସ୍ଥାକୁ ପରୀକ୍ଷା ପରିଚାଳନା ଦାୟିତ୍ବ ଦିଆଯାଇଛି ସେହି ସଂସ୍ଥା ନାଁରେ ଅନ୍ୟ ରାଜ୍ୟରେ ପ୍ରଶ୍ନପତ୍ର ଘୋଟାଲା ଅଭିଯୋଗ ରହିଛି । ସଂସ୍ଥାର ଅଧିକାରୀ ଗିରଫ ହୋଇ ତଦନ୍ତ ପରିସରଭୁକ୍ତ ହୋଇଛନ୍ତି । ଯାହାକୁ ବିରୋଧ କରି କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ବିକ୍ଷୋଭ ମଧ୍ୟ ହୋଇଥିଲା । ଏବେ ହଠାତ ପରୀକ୍ଷା ସ୍ଥଗିତ ରଖାଯିବାକୁ ନେଇ ଅସନ୍ତୋଷ ଝାଡ଼ିଛି କଂଗ୍ରେସ । ବିଜେପି ସରକାରର ଏସବୁ ଅଭ୍ୟାସ ବୋଲି ଅଭିଯୋଗ କରିବା ସହ ଏହାର ପରିଣାମ ସାଧାରଣ ପରୀକ୍ଷାର୍ଥୀ ଓ ଅଭିଭାବକ ଭୋଗୁଛନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ ।

ସେପଟେ ରାଜ୍ୟରେ ବିଜେପି ସରକାରକୁ ଆସିବା ପରେ ବିଭିନ୍ନ ପରୀକ୍ଷାରେ ଗୋଟିଏ ପରେ ଗୋଟିଏ ତ୍ରୁଟିକୁ କଡ଼ା ସମାଲୋଚନା କରିଛି ଆମ ଆଦମୀ ପାର୍ଟି । ସବୁ କ୍ଷେତ୍ରରେ ବିଜେପି ଜାଣିଶୁଣି ଏଭଳି କରିବା ଓ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସିରିୟସ ନ ହେବା ରାଜ୍ୟବାସୀଙ୍କ ଭାଗ୍ୟ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଉଛି । ସେପଟେ ପରୀକ୍ଷା ପରିଚାଳନା କରୁଥିବା ବିଭିନ୍ନ ସଂସ୍ଥା ମଧ୍ୟରେ ତାଳମେଳ ନ ରହିବା ଓ ସାମର୍ଥ୍ୟ ଥାଇ ମଧ୍ୟ ବାହାର ସଂସ୍ଥାକୁ ପରୀକ୍ଷା ପରିଚାଳନା ଦାୟିତ୍ବ ଦେବା ଉପରେ ପ୍ରଶ୍ନ ଉଠାଇଛି ଷ୍ଟୁଡେଣ୍ଟସ ଏଗେନେଷ୍ଟ କରପସନ ।

ରାଜ୍ୟର ବିଦ୍ୟାଳୟ ଗୁଡିକର ରଙ୍ଗ ପରିବର୍ତ୍ତନ ନିଷ୍ପତ୍ତିକୁ ନେଇ ରାଜ୍ୟବାସୀଙ୍କ ଅସନ୍ତୋଷର ଶିକାର ହୋଇଥିବା ସରକାର ଏବେ ପୋଲିସ ଏସଆଇ ପରୀକ୍ଷାକୁ ନେଇ ବିବାଦରେ ଛନ୍ଦି ହୋଇପଡ଼ିଛନ୍ତି ।