କୋଲକାତା ଟ୍ରିପଲ ମର୍ଡରର ଲୋମହର୍ଷକ ଖୁଲାସା: ହତ୍ୟା ନୁହେଁ ଆତ୍ମହତ୍ୟା ପାଇଁ ହୋଇଥିଲା ବୁଝାମଣା
1 min read
ନନ୍ଦିଘୋଷ ବ୍ୟୁରୋ: କୋଲକାତା ଟ୍ରିପଲ ମର୍ଡରର ଲୋମହର୍ଷକ ଖୁଲାସା । ସମୂହ ଆତ୍ମହତ୍ୟା ଲାଗି ହୋଇଥିଲା ବୁଝାମଣା । ୧୬ କୋଟି ଟଙ୍କାର ଋଣ ଭାର ଯୋଗୁ ଗୋଟିଏ ପରିବାରର ଭୟଙ୍କର ନିଷ୍ପତ୍ତି ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଗତ ଫେବୃଆରୀ ୧୯ରେ କୋଲକାତାର ଟାଙ୍ଗରା ଇଲାକାରେ ଏକ ଘରୁ ତିନି ଜଣଙ୍କ ମୃତଦେହ ଠାବ ହେବାକୁ ନେଇ ବଢିଥିଲା ସସପେନ୍ସ । ପରେ ପରେ ଦୁଇ ଭାଇ ଓ ସେମାନଙ୍କ ମଧ୍ୟରୁ ଜଣଙ୍କର ସନ୍ତାନ କାରରେ ଯାଉଥିବାବେଳେ ଏକ ପିଲାରରେ କାରକୁ ଧକ୍କା କରାଇବା ଘଟଣା ଅଧିକ ସନ୍ଦେହ ସୃଷ୍ଟି କରିଥିଲା । ତେବେ ଜେରା ସମୟରେ ସେମାନେ ଆତ୍ମହତ୍ୟା କରିବା ଲାଗି ଦୁର୍ଘଟଣା ଘଟାଇଥିଲେ ବୋଲି କହିବା ପରେ ସମସ୍ତ ଘଟଣା ରହସ୍ୟମୟ ହୋଇଉଠିଥିଲା । ଜେରାବେଳେ ଜଣେ ଭାଇ ପ୍ରସୂନ ଦେ ସ୍ବୀକାର କରିଥିଲେ ଯେ ସେ ହିଁ ପତ୍ନୀ ରୋମି ଦେ, ଝିଅ ଓ ଭାଇବୋହୂ ସୁଦେଷ୍ଣାଙ୍କୁ ହତ୍ୟା କରିଥିଲେ ।
ତେବେ ଏହି ହତ୍ୟା ପଛରେ ୧୬ କୋଟି ଟଙ୍କାର ଋଣ ଭାର ପ୍ରକୃତ କାରଣ ଥିଲା । ଦୁଇଭାଇ ପ୍ରସୂନ ଓ ପ୍ରଣୟ ବିବାହିତ । ପ୍ରଣୟଙ୍କ ଗୋଟିଏ ପୁଅ ଓ ପ୍ରସୂନଙ୍କ ଗୋଟିଏ ଝିଅ ଥିଲେ । ତେବେ ବିପୁଳ ଋଣଭାରକୁ ନେଇ ପରିବାରରେ କରାଯାଇଥିଲା ଏକ ସୁଇସାଇଡ ବୁଝାମଣା । ପ୍ରସୂନର ବୟାନ ମୁତାବକ ଆତ୍ମହତ୍ୟା ଲାଗି ତାଙ୍କ ପତ୍ନୀ ରୋମି, ଭାଇବୋହୂ ଓ ଭାଇ ପ୍ରଣୟଙ୍କ ମଧ୍ୟରେ ନିଷ୍ପତ୍ତି ହୋଇଥିଲା । ଗତ ମାସ ୧୭ ତାରିଖରେ ପାଏସରେ ଅଧିକ ନିଦବଟିକା ମିଶାଇ ଖାଇଥିଲେ । ମାତ୍ର ପରଦିନ ସମସ୍ତେ ବଞ୍ଚିଥିବା ଦେଖାଯାଇଥିଲା । ଫଳରେ ସେମାନେ ପ୍ଲାନ-ବି ଆପଣାଇଥିଲେ । ପିଲାମାନେ କିନ୍ତୁ ଏହା ଜାଣିପାରି ନଥିଲେ । ପରଦିନ ନିଜ ଝିଅକୁ ତକିଆରେ ଚାପି ହତ୍ୟା କରିଥିଲା ପ୍ରସୂନ ।
ଏଥିରେ ସହାୟତା କରିଥିଲେ ପତ୍ନୀ । ପରେ ପତ୍ନୀ ରୋମି ନିଜ ହାତର ଧମନୀ କାଟି ଦେଇଥିଲେ । ମାତ୍ର ମୃତ୍ୟୁ ନହେବାରୁ ପ୍ରସୂନ ରୋମିଙ୍କ ଗଳା କାଟିଦେଇଥିଲେ । ପରେ ଭାଇବୋହୂଙ୍କୁ ବି ସେ ହତ୍ୟା କରିଥିଲେ । ଗଣହତ୍ୟା ପରେ ପ୍ରସୂନ ତାଙ୍କ ଭାଇ ଓ ପୁତୁରାଙ୍କୁ ନେଇ କାରରେ ବାହାରିଯାଇଥିଲେ । ପରେ ସେ ଜାଣିଶୁଣି ଏକ ପିଲାରରେ କାରକୁ ପିଟିଦେଇଥିଲେ । ଉଦ୍ଦେଶ୍ୟ ଥିଲା ଆତ୍ମହତ୍ୟା । ମାତ୍ର ସେମାନେ ରକ୍ଷା ପାଇଯାଇଥିଲେ । ସେମାନଙ୍କୁ ନୀଳ ରତନ ସର୍କାର ମେଡିକାଲ କଲେଜରେ ଚିକିତ୍ସା କରାଯାଉଛି । ଏସବୁ ପଛରେ ଥିବା ୧୬ କୋଟି ଟଙ୍କାର ଋଣ ବୋଝ । ସେମାନେ ମାସକୁ ପ୍ରାୟ ୪୭ ଲକ୍ଷ ଟଙ୍କା ଇଏମଆଇ ଦେଉଥିଲେ । ତିନିଟି କାରରୁ ୨ଟି କାର ଉପରେ ବି ଋଣ ଥିଲା ।