ଚମ୍ପିୟନ୍ସ ଟ୍ରଫି ସେମିଫାଇନାଲ: ୨୬୪ ରନରେ ଅଷ୍ଟ୍ରେଲିଆ ଅଲ୍ ଆଉଟ୍, ଭାରତ ଆଗରେ ୨୬୫ ରନର ବିଜୟ ଲକ୍ଷ୍ୟ

ଦୁବାଇ: ଦୁବାଇର ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଉଥିବା ଚମ୍ପିୟନ୍ସ ଟ୍ରଫିର ପ୍ରଥମ ମ୍ୟାଚରେ ଭାରତ ଆଗରେ ୨୬୫ ରନର ବିଜୟ ଲକ୍ଷ୍ୟ ରଖିଛି ଅଷ୍ଟ୍ରେଲିଆ । କଙ୍ଗାରୁ ଟିମ ୪୯.୩ ଓଭରରେ ସମସ୍ତ ଓ୍ବିକେଟ ହରାଇ ୨୬୪ ରନ୍ କରିବାକୁ ସକ୍ଷମ ହୋଇଛି । ଭାରତ ତରଫରୁ ମହମ୍ମଦ ସାମି ୩ଟି ଓ୍ବିକେଟ ନେଇଥିବା ବେଳେ ବରୁଣ ଚକ୍ରବର୍ତ୍ତି ଏବଂ ରବୀନ୍ଦ୍ର ଜାଡେଜା ଦୁଇଟି ଲେଖାଏଁ ଓ୍ବିକେଟ୍ ନେଇଥିଲେ । ସେହିପରି ଅକ୍ଷର ପଟେଲ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଗୋଟିଏ ଲେଖାଏଁ ଓ୍ବିକେଟ ମିଳିଥିଲା ।
ଅଷ୍ଟ୍ରେଲିଆ ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ହେଲେ ସାମିଙ୍କ ଘାତକ ବୋଲିଂ ଆଗରେ ଅଷ୍ଟ୍ରେଲିଆର ଦୁଇ ଓପ୍ନର ଫିକା ପଡ଼ି ଯାଇଥିଲେ । କୁପର କଲୋନୀ ଖାତା ଖୋଲିବା ପୂର୍ବରୁ ସାମିଙ୍କ ଶିକାର ହୋଇଥିଲେ । ସେପଟେ ଅନ୍ୟତମ ଓପ୍ନର ଟ୍ରାଭିସ୍ ହେଡ ୩୯ ରନ୍ କରି ବରୁଣ ଚକ୍ରବର୍ତ୍ତିଙ୍କ ଶିକାର ବନିଥିଲେ । ଏହାପରେ ଷ୍ଟିଭେନ ସ୍ମିଥ ଏବଂ ମରନୁସ୍ ଲାବୁଶାନ ଅଷ୍ଟ୍ରେଲିଆ ପାରି ସମ୍ଭାଳି ଥିଲେ । ଲାବୁଶାନ ୨୯ ରନ୍ କରି ଜାଡେଜାଙ୍କ ଶିକାର ହୋଇଥିବା ବେଳେ ଅଧିନାୟକ ସ୍ମିଥ ୭୩ ରନ୍ କରିଥିବା ବେଳେ ସାମି ତାଙ୍କୁ କ୍ଲିନ ବୋଲ୍ଡ କରି ଦେଇଥିଲେ । ସେପଟେ ଆଲେକ୍ସ କେରୀ ଭଲ ଇଂନିସ ଖେଳୁଥିଲେ ବି ୬୧ ରନରେ ରନ୍ ଆଉଟ୍ ହୋଇଯାଇଥିଲେ । ଗ୍ଲେନ ମାକ୍ସଓ୍ବେଲ ୭ ରନ କରି ଅକ୍ଷର ପଟେଲଙ୍କ ଦ୍ବାରା ବୋଲ୍ଡ ହୋଇଥିଲେ । ବେନ ଦ୍ବାରଶୁଇସ୍ ୧୯ ରନ କରି ବରୁଣଙ୍କ ଦ୍ବାରା ଆଉଟ୍ ହୋଇଥିବା ବେଳେ ଜାମ୍ପାଙ୍କୁ ୭ ରନରେ କ୍ଲିନ ବୋଲ୍ଡ କରି ଦେଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ଶେଷ ବ୍ୟାଟର ଭାବେ ନାଥନ ଏଲିସଙ୍କୁ ବିରାଟଙ୍କ ହାତରେ କ୍ୟାଚ୍ କରାଇଥିଲେ ସାମି ।