ଆରମ୍ଭ ହେଲା ରମଜାନ ମାସ, ରୋଜା ରଖିଲେ ମୁସଲମାନ ଭାଇ ଭଉଣୀ

କଟକ : ଆରମ୍ଭ ହେଲା ରମଜାନ ମାସ । ରୋଜା ରଖିଲେ ମୁସଲମାନ ଭାଇ ଭଉଣୀ । ବଜାରରେ ଜମିଲାଣି ଡ୍ରାଏ ଫୁଡସ ଓ ଅତର ବ୍ୟବସାୟ । ଆରମ୍ଭ ହୋଇଛି ମୁସଲମାନ ସଂପ୍ରଦାୟର ପବିତ୍ର ରମଜାନ ମାସ ବା ରୋଜା ମାସ । ମାସ ସାରା ଶ୍ରଦ୍ଧାଳୁ ମାନେ ନିଷ୍ଠାର ସହ ଉପବାସ ପାଳିବେ । ଏହି ୩୦ ଦିନ ତରାବି ନମାଜ ପାଠ କରିବା ସହ କଠିନ ଉପବାସରେ ନିଜକୁ ସାମିଲ କରିବେ । କେବଳ ବୟସ୍କ, ରୋଗୀ, ଛୋଟ ପିଲା ଓ ଗର୍ଭବତୀଙ୍କୁ ଛାଡି ଅନ୍ଯ ସମସ୍ତେ ଏହି ରମଜାନ ଉପବାସ କରି ପାରିବେ ବୋଲି କୁହାଯାଇଛି ।
ରୋଜା ଆରମ୍ଭ ହୋଇଥିବାରୁ ଲୋକଙ୍କ ଚାହିଦାକୁ ଦେଖି କଟକ ବକ୍ସିବଜାର, ଗୌରିଶଙ୍କର ପାର୍କ, ତିନିକୋଣିଆ ଭଳି ମାର୍କେଟରେ ଲାଗିଛି ରମଜାନ ଷ୍ଟଲ । ଏଠାରେ ଦେଶ ବିଦେଶର ଭଳିକି ଭଳି ଡ୍ରାଏ ଫୁଡସ୍, ସର୍ବତ, ଅତର ଉପଲବ୍ଧ ହେଉଛି । ଦେଶ ବିଦେଶର ଅତର ସାଙ୍ଗକୁ ମିଳୁଛି ସୁବାସିତ ତୈଳ । ରମଜାନ ଉପବାସ ମାସ ପାଇଁ ଲଛା, ସିମେଇ, ଖଜୁରି, କାଜୁ, ସିର୍ କୁରମା, ମୁରବା, ଦେଶୀ ଘିଅ ଲଡୁ, ଗାଜର ହାଲୱା, ଫାଲୁଦା ଆଦି ସୁସ୍ବାଦୁ ଫୁଡସ୍ ମିଳୁଛି । ଏହାସହିତ ୧୦ ରୁ ୧୨ ପ୍ରକାର ସର୍ବତ ରହିଛି ଏହି ସବୁ ଷ୍ଟଲରେ । ଏ ସବୁ ନେଇ ଘରେ ଶ୍ରଦ୍ଧାଳୁମାନେ ନିଜ ହାତରେ ବନେଇ ଉପବାସ ପୂର୍ବରୁ ସେବନ କରୁଛନ୍ତି । ଉପବାସ ମାସର ଠିକ ୩୦ ଦିନ ପରେ ସଂଧ୍ୟାରେ ଚାନ୍ଦ ଦର୍ଶନ ସହ ପବିତ୍ର ଇଦ୍ ପର୍ବ ପାଳନ ହେବ ।