ଆଦିବାସୀଙ୍କ ସମସ୍ୟା ବୁଝୁନାହାନ୍ତି ସରକାର, ୫ କିଲୋ ମାଗଣା ଚାଉଳ ପାଇଁ ୫ ଶହ ଟଙ୍କା ଖର୍ଚ୍ଚ

ଆସିକା : ୫ କିଲୋଗ୍ରାମ ରାସନ ଚାଉଳ ପାଇଁ ୫ଶହ ଟଙ୍କା ଖର୍ଚ୍ଚ । ଆଦିବାସୀ ମାନଙ୍କ ସମସ୍ୟା ବୁଝୁନାହାନ୍ତି ଆଦିବାସୀ ମୁଖ୍ୟମନ୍ତ୍ରୀ । ଚାଉଳ ଆଣିବାକୁ ସକାଳୁ ଗଲେ ସଞ୍ଜ ନଇଁଯାଉଛି । ମୌଳିକ ସମସ୍ୟାରୁ ବଞ୍ଚିତ ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର ବଳରାମପୁର ପଞ୍ଚାୟତର ଝିରି ଝିରା ଉପାନ୍ତ ଆଦିବାସୀ ଗାଁ ଲୋକେ । ରାସନ୍ ଚାଉଳ ନ ନେଲେ ରାସନ କାର୍ଡରୁ ନାଁ କଟିଯିବା ଭୟରେ ଚାଉଳ ନେବା ପାଇଁ ସଂଘର୍ଷ କରୁଛନ୍ତି ଝିରି ଝିରା ଗ୍ରାମବାସୀ । ଏହି ଗାଁରେ ୨୫ରୁ ଅଧିକ ଆଦିବାସୀ ପରିବାର ବସବାସ କରୁଛନ୍ତି । ଗାଁକୁ ରାସ୍ତା ନଥିବା ବେଳେ ବିଦ୍ୟୁତ ସୁବିଧା ପହଞ୍ଚିନାହିଁ ଗାଁରେ । ମୌଳିକ ସୁବିଧାରୁ ବଞ୍ଚିତ ଏହି ଗାଁର ଲୋକେ ମାସକୁ ଥରେ ପଞ୍ଚାୟତ ଅଫିସକୁ ରାସନ ଚାଉଳ ଆଣିବାକୁ ଆସିଥାନ୍ତି । ସେମାନଙ୍କୁ ୪୦ କିଲୋମିଟର ବାଟ ପାଇଁ ୫ଶହ ଟଙ୍କା ଅଟୋ ଖର୍ଚ୍ଚ କରିବାକୁ ପଡ଼ିଥାଏ । ନହେଲେ ପାହାଡ଼ିଆ ଜଙ୍ଗଲ ରାସ୍ତାରେ ଚାଉଳ ଆଣିବାକୁ ହେଲେ ସକାଳ ଗଲେ ଚାଉଳ ନେଇ ଫେରିବାକୁ ସଞ୍ଜ ନଇଁଯାଏ । ତଥାପି ଭୋକର ତାଡ଼ନା ପାଇଁ ସଂଘର୍ଷ କରୁଛନ୍ତି ଝିରି ଝିରା ଆଦିବାସୀ ଉପାନ୍ତ ଗାଁ ଲୋକେ ।
ଚାଉଳ ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଆସୁଥିବା ଏହି ଉପାନ୍ତ ଗାଁର ଲୋକଙ୍କୁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଯଦି କେଉଁ ଦିନ ଲିଙ୍କ ନ ରହେ ତେବେ ଅବସ୍ଥା କହିଲେ ନ ସରେ । ଯେଉଁ ହିତାଧିକାରୀ ମାନେ ଚାଉଳ ଅଟୋରେ ଭଡ଼ା କରି ନିଅନ୍ତି, ସେମାନଙ୍କୁ ଦିଗପହଣ୍ଡି ଦେଇ ନେବାକୁ ପଡ଼େ । ଫଳରେ ୫ କିଲୋଗ୍ରାମ ମାଗଣା ଚାଉଳକୁ ନେବାକୁ ୫ଶହ ଟଙ୍କାରୁ ଅଧିକ ଖର୍ଚ୍ଚ କରିବାକୁ ପଡ଼େ । ଚାଉଳ ବୋହି ନେବାକୁ ସକ୍ଷମ ନହେଲେ ଅନେକ ହିତାଧିକାରୀ ରାସନ ଚାଉଳକୁ ନିକଟସ୍ଥ ବଜାରରେ ବିକ୍ରି ଦିଅନ୍ତି । ବଳରାମପୁର ପଞ୍ଚାୟତର ଝିରି ଝିରା ଆଦିବାସୀ ଗାଁକୁ ୟାତାୟତ ପାଇଁ ଭଲ ରାସ୍ତାଟିଏ ନାହିଁ । ଦୁର୍ବିଶହ ଜୀବନ ବିତାଉଥିବା ଏହି ଗାଁର ଲୋକେ ସମସ୍ୟା ବିଷୟରେ ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଗୁହାରି କରିବା ପରେ ମଧ୍ୟ କୌଣସି ସୁବିଧା ମିଳୁନଥିବା ଅଭିଯୋଗ କରିଛନ୍ତି । ଝିରି ଝିରା ଉପାନ୍ତ ଆଦିବାସୀ ଗାଁର ଲୋକଙ୍କ ପାଇଁ ମୌଳିକ ସୁବିଧା ଅପହଞ୍ଚ ରହିଛି । ତେବେ କେବେ ଏହି ନିରିହ ଆଦିବାସୀଙ୍କ ଉପରେ ସରକାରଙ୍କ ଦୃଷ୍ଟି ପଡୁଛି, ସେମାନଙ୍କ ସମସ୍ୟା କେବେ ଦୂର ହେଉଛି ତାହାକୁ ଅପେକ୍ଷା ।