ମାର୍ଚ୍ଚ ଆରମ୍ଭରୁ ରେକର୍ଡ ବ୍ରେକ୍ ତାତି, ଆଗକୁ ଅହେତୁକ ଭାବରେ ବଢିବ ତାପମାତ୍ରା

ଭୁବନେଶ୍ବର : ମାର୍ଚ୍ଚ ଆରମ୍ଭରୁ ରେକର୍ଡ ବ୍ରେକ୍ ତାତି । ଟିଟିଲାଗଡ ଦେଶର ସବୁଠୁ ଉତ୍ତପ୍ତ ସହର ।  ୩୮.୫ ଡିଗ୍ରୀ ତାପମାତ୍ରା ସହ ଟିଟିଲାଗଡ ଗତ କାଲି ଦେଶର ଉତ୍ତପ୍ତ ସହର ଭାବରେ ରେକର୍ଡ କରିଥିବା ବେଳେ ୧୧ଟି ସହରର ତାପମାତ୍ରା ୩୭ ଡିଗ୍ରୀ ଉପରେ ରହିଥିଲା । ଟିଟିଲାଗଡ ସହ ଦେଶର ଶ୍ରଷ୍ଠ ୧୦ ଉତ୍ତପ୍ତ ସହର ତାଲିକାରେ ଝାରସୁଗୁଡା, ବଲାଙ୍ଗିର ଏବଂ ଅନୁଗୁଳ ରହିଥିଲା । ଆଜି ଦିନ ଦୁଇଟା ୩୦ ସୁଦ୍ଧା ଭୁବନେଶ୍ବରରେ ତାପମାତ୍ରା ୩୫.୬ ଡିଗ୍ରୀ ରେକର୍ଡ ହୋଇଛି । ଗତକାଲି ଏହି ସମୟରେ ଭୁବନେଶ୍ବରର ତାପାତ୍ରା ୩୪ ଡିଗ୍ରୀ ରହିଥିଲା । ତେବେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଆହୁରି ତାପମାତ୍ରା ବୃଦ୍ଧି ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷ କରି ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ବା ପଶ୍ଚିମ ଓଡ଼ିଶାର ଜିଲ୍ଲା ଗୁଡିକରେ ସ୍ଥିତି ସଂଗୀନ ହେବ । ନୂଆପଡା, ସମ୍ବଲପୁର, ବରଗଡ, ବୌଦ୍ଧ, ସୋନପୁର, ବଲାଙ୍ଗିର, ଝାରସୁଗୁଡା, ସୁନ୍ଦରଗଡ, ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି, କନ୍ଧମାଳ, ମାଲକାନଗିରି, ଗଜପତି, ଖୋର୍ଦ୍ଧା, ନୟାଗଡ, ଭଦ୍ରକ ଜିଲ୍ଲାରେ ତାପମାତ୍ରା ଅହେତୁକ ଭାବରେ ବୃଦ୍ଧି ପାଇବ । ଆଜି କିଛି ଜିଲ୍ଲାରେ ୩୮ ରୁ ୪୦ ଡିଗ୍ରୀ ତାପମାତ୍ରା ଛୁଇଁବାର ସମ୍ଭାବନା ରହିଛି । ଟୁଇନସିଟି କଟକ ଏବଂ ଭୁବନେଶ୍ବରରେ ବି ତାପମାତ୍ରା ବୃଦ୍ଧି ହୋଇଛି । ସକାଳ ୧୦ଟା ବାଜିଲେ ଟାଇଁ ଟାଇଁ ଖରାରେ ଅସ୍ତବ୍ୟସ୍ତ ଲାଗୁଛି । ବର୍ତ୍ତମାନ ରାଜ୍ୟ ଉପରେ କୌଣସି ପାଣିପାଗ ନିୟାମକ ପ୍ରଭାବ ନ ଥିବା ବେଳେ ମେଘମୁକ୍ତ ଆକାଶ ସହ ସୂର୍ଯ୍ୟଙ୍କ ଟାଣ କିରଣ ପାଇଁ ତାପମାତ୍ରା ବୃଦ୍ଧି ହେଉଛି । ସେପଟେ ମାର୍ଚ୍ଚ ମାସରେ ଗ୍ରୀଷ୍ମପ୍ରବାହ ଦିନ ସଂଖ୍ୟା ସ୍ବାଭାବିକ ଠାରୁ ୨ ରୁ ୩ ଦିନ ଅଧିକ ରହିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଏପ୍ରିଲ ଏବଂ ମେ ମାସରେ ବି ଅହେତୁକ ଭାବରେ ବଢିବ ତାପମାତ୍ରା । ସ୍ବାଭାବିକ ଠାରୁ ୬ରୁ ୧୦ ଡିଗ୍ରୀ ମଧ୍ୟରେ ଅଧିକ ରହିପାରେ ପାରଦ । ୨୦୨୪ ତୁଳନାରେ ୨୦୨୫ରେ ସଂଗୀନ ସ୍ଥିତି ହେବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । ସେହିଭଳି ଚଳିତ ବର୍ଷ ଫେବୃଆରୀ ମାସ ବି ତାତିରେ ରେକର୍ଡ କରିଛି । ୧୯୦୧ ମସିହା ପରଠାରୁ ଚଳିତ ଫେବୃଆରୀ ମାସ ସବୁଠାରୁ ଉତପ୍ତ ବୋଲି ରେକର୍ଡ କରାଯାଇଛି ।