ବ୍ରିଟେନ ସହ ବଢିଲା ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସମ୍ପର୍କ
1 min read
ନନ୍ଦିଘୋଷ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପଙ୍କ ସହ କଥା କଟାକଟି ପରେ ବ୍ରିଟେନ ସହ ବଢିଛି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦମିର ଜେଲେନସ୍କିଙ୍କ ସମ୍ପର୍କ । ୟୁକ୍ରେନ ସହ ବ୍ରିଟେନ ସ୍ବାକ୍ଷର କରିଛି ୨ ଦଶମିକ ୨୬ ବିଲିୟନ ପାଉଣ୍ଡର ଋଣ ରାଜିନାମା । ଏହା ଜରିଆରେ ବଢିବ ୟୁକ୍ରେନର ସାମରିକ ସାମର୍ଥ୍ୟ । ବଡ଼କଥା ହେଉଛି ରୁଷର ବିଭିନ୍ନ ସଂସ୍ଥା ଉପରେ ଜାରି ହୋଇଥିବା କଟକଣାରୁ ମିଳୁଥିବା ଲାଭାଂଶକୁ ଏହି ଋଣ ଲାଗି ଦେୟ କରାଯିବ । ୟୁକ୍ରେନର ଅର୍ଥମନ୍ତ୍ରୀ ସେର୍ଜେଇ ମାରସାଙ୍କୋ ଓ ବ୍ରିଟେନର ଚାନସେଲର ରାଚେଲ ରିଭିସଙ୍କ ମଧ୍ଯରେ ଏହି ରାଜିନାମା ସ୍ବାକ୍ଷରିତ ହୋଇଛି । ଆସନ୍ତା ସପ୍ତାହରେ ଏହି ଅର୍ଥ ୟୁକ୍ରେନ ପାଇବ । ଲଣ୍ଡନ ଗସ୍ତରେ ଯାଇଥିବା ଜେଲେନସ୍କିଙ୍କୁ ଭରପୂର ସ୍ବାଗତ କରିଥିଲେ ପ୍ରଧାନମନ୍ତ୍ରୀ କେର୍ ଷ୍ଟାର୍ମର । ଲଣ୍ଡନର ୧୦-ଡାଉନିଂ ଷ୍ଟ୍ରିଟରେ ଦୁଇ ନେତାଙ୍କ ମଧ୍ଯରେ ହୋଇଥିଲା ଭେଟଘାଟ ।
ୟୁକ୍ରେନକୁ ପୂର୍ବପରି ସମର୍ଥନ ଜାରି ରହିବ ବୋଲି କହିଥିଲେ ଷ୍ଟାର୍ମର । ଟ୍ରମ୍ପଙ୍କ ସହ ଜେଲେନସ୍କିଙ୍କ କଥା କଟାକଟି ପରେ ଫ୍ରାନ୍ସ ସମେତ ୟୁରୋପୀୟ ୟୁନିଅନ ୟୁକ୍ରେନକୁ ସମର୍ଥନ ଜଣାଇଥିଲେ । ଏହାକୁ ନେଇ ବିଶ୍ବରେ ନୂଆ ସମୀକରଣ ସୃଷ୍ଟି ହୋଇଥିଲା । ଏହି ରାଜିନାମା ପରେ ବ୍ରିଟେନବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ ଜେଲେନସ୍କି । ୟୁକ୍ରେନକୁ ପ୍ରଥମରୁ ହିଁ ବ୍ରିଟେନ ସମର୍ଥନ କରିଆସୁଥିବାବେଳେ ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ବିରୋଧ କରିଆସୁଛି । ଟ୍ରମ୍ପ ଓ ଜେଲେନସ୍କିଙ୍କ ମଧ୍ୟରେ କଥା କଟାକଟି ପରେ ଆମେରିକା ଓ ୟୁକ୍ରେନ ମଧ୍ୟରେ ହେବାକୁ ଥିବା ଖଣିଜ ପଦାର୍ଥ ସଂକ୍ରାନ୍ତ ରାଜିନାମା ବାତିଲ ହୋଇଥିଲା । ଏହି ପ୍ରସଙ୍ଗକୁ ନେଇ ୟୁରୋପୀୟ ରାଷ୍ଟ୍ରସଂଘ ଓ ଆମେରିକା ମଧ୍ଯରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି । ଟ୍ରମ୍ପଙ୍କ ଆଚରଣକୁ ବି ସମାଲୋଚନା କରିଥିଲେ ପ୍ରତିରକ୍ଷା ଓ ମହାକାଶ ସଂକ୍ରାନ୍ତ ୟୁରୋପୀୟ କମିଶନର ଆଣ୍ଡ୍ରିଉସ କୁବିଲସ ।
ୟୁକ୍ରେନକୁ ଆମେରିକା ୧୦୦ ବିଲିୟନ ଡଲାର ସହାୟତା ଦେଇଥିବାବେଳେ ୟୁରୋପୀୟ ୟୁନିଅନ ୧୩୦ ବିଲିୟନ ଡଲାର ଦେଇଛି ବୋଲି କହିଛନ୍ତି କୁବିଲସ । ୟୁକ୍ରେନକୁ ୟୁନିଅନର ସହାୟତା ପରିମାଣ ବଢିବ ବୋଲି ସେ କହିଛନ୍ତି । ଯଦି ୟୁକ୍ରେନକୁ ଚୀନ ସମର୍ଥନ ନ କରେ ତେବେ ଏହାକୁ ଭିନ୍ନ ଅର୍ଥରେ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ତେଣେ ଟ୍ରମ୍ପଙ୍କ ସହ ସମ୍ପର୍କ ରକ୍ଷା ସେପରି ଜରୁରୀ ନୁହେଁ ବୋଲି କହିଛନ୍ତି ଜେଲେନସ୍କ । ଶାନ୍ତିର ଆବଶ୍ଯକତା ଥିବାରୁ ସେ ଆମେରିକା ଯାଇଥିଲେ । ଖଣିଜ ପଦାର୍ଥ ଚୁକ୍ତି ଏକ ପ୍ରଥମ ପଦକ୍ଷେପ ଥିଲା । ଏହି ଚୁକ୍ତି ପରେ ନିରାପତ୍ତା ଗ୍ଯାରେଣ୍ଟି ବିଷୟ ଉପରେ ଗୁରୁତ୍ବ ଦିଆଯାଇଥାନ୍ତା । ମାତ୍ର ସବୁକିଛି ବିଗିଡ଼ିଗଲା ବୋଲି କହିଛନ୍ତି ଜେଲେନସ୍କି । ରୁଷ ହେଉଛି ୟୁକ୍ରେନର ଶତ୍ରୁ ଏବଂ ଆଲୋଚନା ବେଳେ ୟୁକ୍ରେନର ସ୍ବାର୍ଥକୁ ସର୍ବାଦୌ ଗୁରୁତ୍ବ ଦିଆଯିବା ଉଚିତ ବୋଲି ଜେଲେନସ୍କି କହିଛନ୍ତି ।