ନନ୍ଦିଘୋଷ ଟିଭିରେ ଖବର ବାଜିବା ପରେ ଚେତିଲା କ୍ରୀଡା ଓ ଯୁବସେବା ବିଭାଗ

ଭୁବନେଶ୍ବର: ନନ୍ଦିଘୋଷ ଟିଭିରେ ଖବର ବାଜିବା ପରେ ଚେତିଲା କ୍ରୀଡା ଓ ଯୁବସେବା ବିଭାଗ। ଛାନିଆ ହୋଇ ରାତି ଅଧରେ ଜାରିକଲା ପ୍ରେସ ନୋଟ୍ । ସୁଇମିଂ କୋଚ୍ ସନ୍ଦୀପ ସେଜଓ୍ବାଲ ପିଲାମାନଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ ହୋଇଥିଲା। କ୍ରୀଡ଼ା ବିଭାଗର ନିର୍ଦ୍ଦେଶକଙ୍କ ନିକଟରେ ଏନେଇ ଲିଖିତ ଅଭିଯୋଗ ହୋଇଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା । ଏବେ ଖବର ପ୍ରସାରଣ ପରେ ଔଷଧ ବିକଳରେ ତାଟିଆ କାମୁଡ଼ା ଭଳି ରାତି ଅଧିଆ ପ୍ରେସ୍ ନୋଟ୍ ଜାରି କରି ଘଟଣାକୁ ଚାପିଦେବାକୁ ଉଦ୍ୟମ ହେଉ ନାହିଁ ତ ? ପିଲାମାନଙ୍କ ଅଭିଯୋଗକୁ ୭ ଦିନ ବିତିଥିଲେ ବି କୋଚ୍ ସନ୍ଦୀପ ସେଜଓ୍ବାଲ ଓ ହାଇ ପରଫରମାନ୍ସ ସେଣ୍ଟର ଓ୍ବାଡେନଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନେଇ ନଥିଲେ କ୍ରୀଡ଼ା ବିଭାଗର ନିର୍ଦ୍ଦେଶକ ? ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ସନ୍ତରଣ ହାଇ ପରଫରମାନ୍ସ ସେଣ୍ଟରର କୋଚଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଥିଲେ ପିଲା ।
କୋଚ ପିଲାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ ସହିତ ମାଡ଼ ମାରୁଥିବା ଅଭିଯୋଗ ହୋଇଛି। ରାଜ୍ୟ ସରକାର ଖେଳାଳିଙ୍କ ପାଇଁ ହାଇ ପ୍ରଫରମାନ୍ସ ସେଣ୍ଟର୍ ତିଆରି କରିଛନ୍ତି । ହେଲେ ଏଠି ଅଭ୍ୟାସ କରୁଥିବା କ୍ରୀଡା ଛାତ୍ରାବାସର ଖେଳାଳିଙ୍କୁ ଭଲ ଭାବରେ ଅଭ୍ୟାସ କରିବାକୁ ସୁଯୋଗ ମିଳୁନାହିଁ । କେବଳ ସେତିକି ନୁହେଁ ଭଲ ଖାଇବାକୁ ମଧ୍ଯ ଦିଆଯାଉନଥିବା ଅଭିଯୋଗ ହୋଇଛି । କିଛିଦିନ ପୂର୍ବରୁ ଏହାକୁ ବିରୋଧ କରି କେହି ସନ୍ତରଣ ପାଇଁ ଆସିନଥିଲେ । ଏନେଇ ବିଭାଗର ନିର୍ଦ୍ଦେଶକଙ୍କୁ ଲିଖିତ ଭାବରେ ଅଭିଯୋଗ କରିଥିଲେ ଛାତ୍ର । କୌଣସି ପଦକ୍ଷେପ ନିଆଯାଇ ନଥିବା ଛାତ୍ରମାନେ କହିଛନ୍ତି। ବରଂ ବିଭାଗ ପାଖରେ ଆଉ କେବେ ଅଭିଯୋଗ କରନ୍ତି, ତାହେଲେ ବାହାର କରିଦେବେ ବୋଲି ଧମକ ଦିଆଯାଇଛି।