ଫିକା ପଡ଼ିଲା ସୁଭଦ୍ରା ଶକ୍ତି ମେଳା, ଫେରିଗଲେ ଏସଏଚଜି ମହିଳା
1 min read
ବଲାଙ୍ଗୀର: ଗତକାଲି ବଲାଙ୍ଗୀରରେ ଆରମ୍ଭ ହୋଇଥିବା ସୁଭଦ୍ରା ଶକ୍ତି ମେଳା ପଡ଼ିଲା ଫିକା । ଆସିଲେନି ଏସଏଚଜି ମହିଳା । ଯିଏ ବି ଆସିଲେ, ଅବ୍ୟବସ୍ଥାକୁ ଦେଖି ସରକାରଙ୍କ ଉପରେ ବର୍ଷିବା ସହ ଫେରିଗଲେ ।
ସୂଚନାଯୋଗ୍ୟ, ବଲାଙ୍ଗୀର କୋଶଳ କଳା ମଣ୍ଡପ ପଡିଆରେ ଗତକାଲି ସୁଭଦ୍ରା ଶକ୍ତି ମେଳାର ଆୟୋଜନ କରାଯାଇଛି । ପୂର୍ବର ବିଜେଡି ସରକାରଙ୍କ ସମୟରେ ଯେପରି ମିଶନଶକ୍ତି ମହିଳା ଓ ମହିଳା ଉଦ୍ୟୋଗୀ ଉତ୍ସାହିତ ହୋଇ ଭାଗ ନେଉଥିଲେ, ସରକାର ବଦଳିବା ପରେ ସେମିତି ଉତ୍ସାହ ଦେଖିବାକୁ ମିଳୁନାହିଁ । ଗତକାଲି ଏହାର ଉଦଘାଟନ ହୋଇଥିବା ବେଳେ ୧୫୦ଟି ଷ୍ଟଲ ନିର୍ମାଣ କରାଯାଇଥିଲା । କିନ୍ତୁ ଅଧିକାଂଶ ଷ୍ଟାଲ ଫାଙ୍କା ପଡ଼ି ଥିବା ଦେଖିବାକୁ ମିଳିଥିଲା । କାମ ଅଧା ସରିଥିବା ବେଳେ ତରବରିଆ ଭାବେ ମେଳା ଉଦଘାଟନ କରାଯାଇଛି । ଅନେକ ଅବ୍ୟବସ୍ଥା ରହିଥିବାରୁ ବାହାରୁ ଆସିଥିବା ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ ଅସନ୍ତୋଷ ପ୍ରକାଶ କରି ଫେରି ଯାଇଛନ୍ତି I
ସେହିପରି ସୁଭଦ୍ରା କାର୍ଯ୍ୟକ୍ରମ ମଧ୍ୟ ଫିକା ପଡିଥିଲା I ମନ୍ତ୍ରୀ, ସାଂସଦ ଓ ବିଧାୟକ ଅତିଥି ଭାବରେ ଯୋଗ ଦେବାର ଥିଲେ ବି କେହି ଆସି ନଥିଲେ । ଶେଷରେ ବଲାଙ୍ଗୀର ଜିଲ୍ଲାପାଳ ଗୌରବ ଶିବାଜୀ ଇସାଲୱାର ଏହାକୁ ଉଦଘାଟନ କରିଥିଲେ I ଉଦଘାଟନୀ ଉତ୍ସବରେ ହାତଗଣତି କିଛି ମହିଳା ଯୋଗ ଦେଇଥିଲେ । ବହୁ ଚୌକି ଖାଲି ପଡିଥିବା ଦେଖାବାକୁ ମିଳିଥିଲା । ଏହାକୁ ନେଇ ଜିଲ୍ଲାପାଳ ଅସନ୍ତୋଷ ପ୍ରକାଶ କରିବା ସହ ଦାୟିତ୍ଵରେ ଥିବା ଅଧିକାରୀଙ୍କୁ ତାଗିଦ କରିଥିଲେ।