‘ପୋଲାଭରମ ପ୍ରକଳ୍ପ ଓଡ଼ିଶାର ସ୍ବାର୍ଥ ବିରୋଧୀ, ଆଦିବାସୀଙ୍କ ସମେତ ହଜାର ହଜାର ଲୋକ ହରାଇବେ ଭିଟାମାଟି’

ଭୁବନେଶ୍ବର : ପୋଲାଭରମ ପ୍ରକଳ୍ପ ଓଡ଼ିଶା ସ୍ବାର୍ଥ ବିରୋଧୀ। ଏହି ପ୍ରକଳ୍ପ ହେଲେ ଆଦିବାସୀ ଭାଇ ଭଉଣୀ ହେବେ କ୍ଷତିଗ୍ରସ୍ତ। ବହୁ ଲୋକ ହରାଇବେ ଭିଟାମାଟି। ପୋଲାଭରମ ପ୍ରକଳ୍ପ ନେଇ ଓଡ଼ିଶାର କଥା କେନ୍ଦ୍ର ଶୁଣୁନାହିଁ ବୋଲି କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ମାଲକାନଗିରି ମୋଟୁରେ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆୟୋଜିତ ସମାବେଶକୁ ଉଦବୋଧନ ଦେଇ ଏକପାଖିଆ ନିଷ୍ପତ୍ତିକୁ କରିଛନ୍ତି କଡା ସମାଲୋଚନା। ପ୍ରକଳ୍ପ ଲାଗି ୧୮ ହଜାର କୋଟି ଟଙ୍କା ଅନୁଦାନ ଦିଆଗଲା କାହିଁକି ବୋଲି ସେ କରିଛନ୍ତି ପ୍ରଶ୍ନ। ସ୍ଥାନୀୟ ଅଞ୍ଚଳର ସଂଗ୍ରାମୀଙ୍କ ସମେତ ସିଲେରୁ ଓ ସାବେରୀ ନଦୀକୁ ପ୍ରଣାମ ଜଣାଇଥିଲେ ପୂର୍ବତନ ମୁଖ୍ଯମନ୍ତ୍ରୀ। ଓଡ଼ିଶାର ସ୍ବାର୍ଥ ଲାଗି ବିଜେଡି ଲଢେଇ ଜାରି ରଖିବ ବୋଲି ସେ କହିଥିଲେ।

ପୋଲାଭରମ ପ୍ରକଳ୍ପ ବିରୋଧରେ ଆଜି ହୋଇଥିଲା ଜନ ସମାବେଶ। ଭିଟାମାଟିର ହକ ଲାଗି ସାମିଲ ହୋଇଥିଲେ ଶହ ଶହ ଲୋକ। ପ୍ରକଳ୍ପ ଯୋଗୁ  ମାଲକାନଗିରି ଜିଲ୍ଲାର କାଲିମେଳା,  ପଡିଆ, ମାଥିଲି,  କୋରକୋଣ୍ଡା ଆଦି ଅଞ୍ଚଳ ବହୁମାତ୍ରାରେ କ୍ଷତିଗ୍ରସ୍ତ ହେବ। ଫଳରେ ପ୍ରକଳ୍ପ ବିରୋଧରେ ସ୍ଥାନୀୟ ଅଞ୍ଚଳରେ ଶୁଭିଥିଲା ପ୍ରତିବାଦର ଗର୍ଜନ। ମୋଟୁ ମୁଗୀ ପଏଣ୍ଟରୁ କଳସ ଓ ପ୍ଲାକାର୍ଡ ଧରି ଶୋଭାଯାତ୍ରା କରିଥିଲେ ମହିଳା। ହକ୍ ପୂରଣ ନ ହେଲେ ଦିଲ୍ଲୀ ଯିବାକୁ ଦେଇଥିଲେ ନାରା। କେବଳ ଓଡ଼ିଶା ନୁହେଁ, ଆନ୍ଧ୍ର ଓ ଛତିଶଗଡ଼ର ବହୁ ସାମାଜିକ ସଂଗଠନ ଓ ଆଦିବାସୀ ସମାଜ ଶୋଭାଯାତ୍ରାରେ ହୋଇଥିଲେ ସାମିଲ। ପ୍ରକଳ୍ପର ଡିଜାଇନ ପରିବର୍ତ୍ତନ କରି ଓଡିଶାକୁ ହତାଦର କରାଯାଉଛି। ବାରମ୍ବାର କେନ୍ଦ୍ର ନିକଟରେ ଦାବି ସତ୍ତ୍ବେ ଓଡ଼ିଶାର ଦାବି ଗରହଣୀୟ ହେଲାନ ବୋଲି କହିଛନ୍ତି ବିଜେଡି ନେତା। ପ୍ରକଳ୍ପ ଚାଲିଛି ହେଲେ ବିଜେପିର ୨୦ ସାଂସଦ ବସିଛନ୍ତି ଚୁପ୍। କେନ୍ଦ୍ର ସରକାର ଓଡ଼ିଶା ବଦଳରେ ଆନ୍ଧ୍ରକୁ କରୁଛନ୍ତି ପ୍ରେମ। ଆନ୍ଧ୍ର ଲାଗି ବଜେଟରେ ସାହାଣମେଲା କରିଦେଇଥିବା କେନ୍ଦ୍ର ସରକାର ଓଡ଼ିଶାର ହଜାର ହଜାର ଆଦିବାସୀଙ୍କ ଜୀବନଜୀବିକାକୁ କରିଛନ୍ତି ହତାଦର।