ପୁରୀ ପେଣ୍ଠକଟା ବେଳାଭୂମିକୁ ସମ୍ପୂର୍ଣ୍ଣ ସ୍ବଚ୍ଛ କରିବାକୁ ଆରମ୍ଭ ହୋଇଛି ଅଭିଯାନ

ପୁରୀ : ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ପୁରୀ ପେଣ୍ଠକଟା । ବେଳାଭୂମିକ ସ୍ବଚ୍ଛ ଓ ସୁନ୍ଦର କରିବାକୁ ପ୍ରୟାସ । ବଦଳିବ ରୂପରେଖ, ବର୍ଯ୍ଯମୁକ୍ତ ହେବ ସମୁଦ୍ରକୂଳ । ଏନେଇ ଉଷ୍ଟି ଫାଉଣ୍ଡେସନ ଏବଂ ପୁରୀ ପୌରପାଳିକା ପକ୍ଷରୁ ଖୁବଶୀଘ୍ର ଏକ ପାଇଲଟ୍ ପ୍ରୋଜେକ୍ଟ କାର୍ଯ୍ୟକାରୀ କରାଯିବ । ଫାଉଣ୍ଡେସନ ଏବଂ ପୌରପାଳିକା ସହ ମତ୍ସ୍ୟଜୀବୀ ମହାସଂଘ ଏକ ବୈଠକ କରି ବେଳାଭୂମିକୁ ଆବର୍ଜନା ମୁକ୍ତ କରିବା ପାଇଁ ହୋଇଛି ନିଷ୍ପତ୍ତି । ଏଠାରେ ଶତାଧିକ ମତ୍ସ୍ୟଜୀବୀ ପରିବାର ରହୁଛନ୍ତି । ସଚେତନତା ଅଭାବରୁ ବେଳାଭୂମି ଅଳିଆ ଆବର୍ଜନା ପୂର୍ଣ୍ଣ ହୋଇଛି । ସେହିପରି ବସ୍ତି ରାସ୍ତା ସଙ୍କୀର୍ଣ୍ଣ ଥିବାରୁ ସଫେଇ ଗାଡ଼ି ସମସ୍ତଙ୍କ ନିକଟରେ ପହଞ୍ଚି ପାରୁନାହିଁ । ତେବେ ଉଷ୍ଟି ଫାଉଣ୍ଡେସନ ଏହି ଆବର୍ଜନା ସଂଗ୍ରହ କରି ପୌରପାଳିକା ଗାଡ଼ିକୁ ଦେବେ । ଫଳରେ ପୁରୀର ଅନ୍ୟ ବେଳାଭୂମି ପରି ପେଣ୍ଠକଟାରେ ମଧ୍ୟ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇବ ବୋଲି କୁହାଯାଇଛି।
ପର୍ଯ୍ୟଟନ ଶିଳ୍ପର ବିକାଶ ହେଲେ ପୁରୀ ବାସିନ୍ଦାଙ୍କ ଅର୍ଥନୈତିକ ଅଭିବୃଦ୍ଧି ହେବା ସହ ରାଜ୍ୟର ମଧ୍ୟ ଅଭିବୃଦ୍ଧି ହେବ । ତେଣୁ ବେଳାଭୂମିକୁ ସରସ ସୁନ୍ଦର କରିବା ପାଇଁ ଲକ୍ଷ୍ଯ ରଖାଯାଇଛି । ମତ୍ସ୍ୟଜୀବୀ ସଚେତନ ହେଲେ ପେଣ୍ଠକଟା ଆହୁରି ସୁନ୍ଦର ହୋଇ ପାରିବ । ଯାହା ଫଳରେ ପର୍ଯ୍ୟଟକମାନେ ଏଠାରେ ବେଳାଭୂମିର ମଜା ନେଇପାରିବେ । ପୁରୀ ପେଣ୍ଠକଟାରେ ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ୍, ଇନଡୋର ଷ୍ଟାଡିୟମ ସହିତ ବହୁ ଗୁରୁତ୍ୱପୁର୍ଣ୍ଣ ସ୍କୁଲ୍, ବିଶ୍ବବିଦ୍ୟାଳୟ ସହିତ ସରକାରୀ କାର୍ଯ୍ୟାଳୟ ରହିଛି । ଏଣୁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଓ ବିଭିନ୍ନ ବର୍ଗର ଲୋକ ଏଠାକୁ ଆସୁଛନ୍ତି ।