ପଲଙ୍କ ନୁହେଁ, ବିଛଣା ପକାଇ ତଳେ ଶୋଉଛନ୍ତି ଲୋକେ

ନିମାପଡ଼ା : ଆଧୁନିକତାର ଚାକଚକ୍ଯ ମଧ୍ଯର ଆଜିବି ବଞ୍ଚିଛି ପୁରାତନ ପରମ୍ପରା । ଏଭଳି ଏକ ଗାଁ ଅଛି ଯେଉଁଠି କେହି ବି ପଲଙ୍କ ଉପରେ ଶୁଅନ୍ତିନି । ଖଟରେ ଘରର ଜିନିଷ ପତ୍ର ରୁହେ । ହଁ ଆଜ୍ଞା ଏପରି ଏକ ଗାଁ ହେଉଛି ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ କୋଠକୁସାଙ୍ଗ ପଞ୍ଚାୟତ ତରବୋଇ ଗାଁ । ଏହି ଗାଁର ଗ୍ରାମବାସୀ ମାନେ କେହି ପଲଙ୍କରେ ଶୁଅନ୍ତି ନାହିଁ । ଗାଁର ସମସ୍ତଙ୍କ ଘରେ କାଠ ଖଟ ଅଛି ହେଲେ ସେଥିରେ କେବଳ ଘରର ସାମଗ୍ରୀ ଥୁଆ ହେଉଛି । ଘରର ସଦସ୍ଯ ମାନେ ତଳେ ବିଛଣା ପକାଇ ଶୁଅନ୍ତି  ।

ତରବୋଇ ଗାଁର ଗ୍ରାମଦେବତା ପ୍ରଭୁ ଲକ୍ଷ୍ମୀ ନୃସିଂହ ଦେବ ପରମ ବୈଷ୍ଣବ ପଲଙ୍କରେ ପୂଜା ପାଆନ୍ତି । ତେଣୁ ଗାଁରେ କେହିବି ପଲଙ୍କରେ ଶୁଅନ୍ତି ନାହିଁ । ଏହି ପରମ୍ପରା କାହିଁ କେଉଁ କାଳରୁ ଗାଁରେ ପ୍ରଚଳିତ ହୋଇ ଆସୁଛି । ଏମିତି କି ଏହି ଗାଁରୁ ଯେଉଁ ଝିଅ ବିବାହ କରି ଅନ୍ୟ ସ୍ଥାନକୁ ଯାଏ ସିଏ ଯୌତୁକରେ ପଲଙ୍କ ନିଏ ନାହିଁ । ଆଉ ଅନ୍ୟ ସ୍ଥାନରୁ ଯେଉଁ ଝିଅ ଏହି ଗାଁକୁ ବୋହୂ ହେଇ ଆସେ ସେ ମଧ୍ୟ ପଲଙ୍କ ଆଣେ ନାହିଁ । ପଲଙ୍କରେ ଶୋଇଲେ ଗାଁର ଇଷ୍ଟ ଦେବଙ୍କ ପ୍ରତି ଅପମାନ ହୋଇଥାଏ ବୋଲି ବିଶ୍ଵାସ କରନ୍ତି ଗ୍ରାମବାସୀ ।