ଫେଲ୍ ମାରୁଛି ରାଜ୍ୟ ବିଜେପି ସଭାପତି ଚୟନ ଡେଡଲାଇନ

ଭୁବନେଶ୍ୱର: ଚାଲିଛି ବିଜେପି ସାଙ୍ଗଠନିକ ନିର୍ବାଚନ ପର୍ବ। ଫେଲ୍ ମାରୁଛି ରାଜ୍ୟ ସଭାପତି ଚୟନ ଡେଡଲାଇନ। ପ୍ରଥମେ ଜାନୁଆରୀ ୧୫, ତାପରେ ଜାନୁଆରୀ ଶେଷ ଓ ପୁଣି ଫେବୃଆରୀ ଶେଷ। ଏବେ ରାଜ୍ୟ ପ୍ରଭାରୀ କହୁଛନ୍ତି ମାର୍ଚ୍ଚ ୧୫ ସୁଦ୍ଧା ବଛାଯିବ ରାଜ୍ୟ ସଭାପତି। ତାରିଖ ପରେ ତାରିଖ ବଦଳୁଥିବା ବେଳେ ଦୂର ହୋଇପାରୁନି ରାଜ୍ୟ ସଭାପତି ଦ୍ବନ୍ଦ। ସଭାପତି ପଦକୁ ନେଇ ଦଳ ଭିତରେ ସ୍ପଷ୍ଟ ଭାବେ ବାରି ହୋଇପଡୁଛି କନ୍ଦଳ। ତେବେ ସରକାର ଗଠନର ୮ ମାସ ପରେ ବି ନିଗମ ଓ ବୋର୍ଡ ନିଯୁକ୍ତିକୁ ନେଇ ମଧ୍ୟ କସରତ ସରୁନାହିଁ। ଜିଲ୍ଲା ଯୋଜନା କମିଟି, ସ୍ବତନ୍ତ୍ର ଉନ୍ନୟନ ପରିଷଦ, ରାଜ୍ୟ ଯୋଜନା ବୋର୍ଡ, ବିଭିନ୍ନ ବିଭାଗରେ ଉପଦେଷ୍ଟା, ନିଗମ ଓ ବୋର୍ଡ ଭଳି ଥଇଥାନ ପଦବୀରେ ଶତାଧିକ ନେତାଙ୍କୁ ନିଯୁକ୍ତି କରିବାକୁ ଦଳ ଯୋଜନା କରୁଛି। ଏଥିପାଇଁ ଆରମ୍ଭ ହୋଇଛି କସରତ।
ରାଜ୍ୟରେ ପ୍ରଥମ ଥର ପାଇଁ ସରକାର ଗଠନ ପରେ ଦଳ ଓ ସରକାର ମଧ୍ୟରେ ସମନ୍ବୟ ପାଇଁ ଘନ ଘନ ବୈଠକ ବସୁଛି। ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ସରକାରୀ ବାସଭବନରେ ଏକାଠି ହୋଇଛନ୍ତି ଦଳର ତୁଙ୍ଗ ନେତା। ରାଜ୍ୟ ପ୍ରଭାରୀ ବିଜୟ ପାଲ ତୋମାର, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଗ, ରାଜ୍ୟ ସଭାପତି, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ଦଳର ବରିଷ୍ଠ ନେତାମାନେ ଏକାଠି ହୋଇ ନିଗମ ଓ ବୋର୍ଡ଼ ନିଯୁକ୍ତି ବାବଦରେ ଆଲୋଚନା କରିଥିବା ଜଣାପଡ଼ିଛି। ଏହା ସହ ରାଜ୍ୟ ସଭାପତି ଓ ରାଜ୍ୟ କମିଟି ପଦାଧିକାରୀ ଚୟନ ବି ମୁଖ୍ୟ ପ୍ରସଙ୍ଗ ରହିଛି। ଏସବୁ ନିଯୁକ୍ତି ହୋଇପାରୁନଥିବାରୁ ଦଳ ଓ ସରକାର ଉଭୟ ଗତିଶୀଳ ହୋଇ ପାରୁନାହାନ୍ତି। ସବୁ କଥାରେ କେନ୍ଦ୍ରୀୟ ନେତୃତ୍ବଙ୍କ ଇଙ୍ଗିତକୁ ଅପେକ୍ଷା କରୁଛି ରାଜ୍ୟ ବିଜେପି। ତେବେ ଖୁବ ଶୀଘ୍ର ସାଙ୍ଗଠନିକ ନିର୍ବାଚନ ସହିତ ନିଗମ ଓ ବୋର୍ଡ ନିଯୁକ୍ତି ହେବ ବୋଲି କେନ୍ଦ୍ର ନେତା କହିଛନ୍ତି।
ସଙ୍ଗଠନରେ ଦ୍ବନ୍ଦ, ସରକାରରେ ସ୍ଥାଣୁତା। ସଭାପତି ଚୟନ ନେଇ ପଦ୍ମ ଯେପରି ଘୁଞ୍ଚି ଘୁଞ୍ଚି ଯାଉଛି, ନିଗମ ଓ ବୋର୍ଡ ନିଯୁକ୍ତି ମଧ୍ୟ ସେତିକି ବିଳମ୍ବିତ ହେଉଛି। ଅନ୍ୟପଟେ ଆଶାୟୀଙ୍କ ତାଲିକା ବଢ଼ି ଚାଲିଥିବାରୁ, ବିଜେପି ନେତାଙ୍କ ଚିନ୍ତା ବଢ଼ିବାରେ ଲାଗିଲାଣି।