ବ୍ୟାଙ୍କ ଯଦି ବନ୍ଦ ହୋଇଯିବ, ତେବେ ଗ୍ରାହକଙ୍କ ଜମା ଅର୍ଥ କ’ଣ ହେବ: ଭାରତରେ କ’ଣ  ରହିଛି ବ୍ୟାଙ୍କିଂ ନିୟମ?

1 min read
Bank Close, License Cancel, Customers Amount, Banking Law, RBI

ସାଧାରଣ ଭାବେ ଜନସାଧାରଣ ସେମାନଙ୍କର ସଞ୍ଚିତ ଅର୍ଥକୁ ବ୍ୟାଙ୍କରେ ରଖିଥାନ୍ତି । ଆବଶ୍ୟକ ପଡ଼ିଲେ ଲୋକମାନେ ନିଜ ନିଜ ଆକାଉଣ୍ଟରୁ ଟଙ୍କା ଉଠାଇଥାନ୍ତି । ଅଧିକ ରୋଜଗାର କରୁଥିବା ଲୋକମାନେ ବ୍ୟାଙ୍କରେ ଲକ୍ଷାଧିକ ଟଙ୍କା ଜମା ରଖିଥାନ୍ତି । ତେବେ ଅନେକ ସମୟରେ ବ୍ୟାଙ୍କିଂ ନିୟମ ଉଲ୍ଲଂଘନ କାରଣରୁ କିଛି ବ୍ୟାଙ୍କର ଲାଇସେନ୍ସ ରଦ୍ଦ କରିଦେଇଥାଏ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) । ବିଭିନ୍ନ ସମୟରେ ବ୍ୟାଙ୍କ ଉପରେ କେନ୍ଦ୍ରୀୟ ବ୍ୟାଙ୍କ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଏ । କେଉଁ ବ୍ୟାଙ୍କ ବନ୍ଦ ହେବ, ବ୍ୟାଙ୍କିଂ ଅପରେସନ ଜାରି ରହିବ କି ନା ତାହା ଆରବିଆଇ ସ୍ଥିର କରିଥାଏ । ବ୍ୟାଙ୍କଗୁଡ଼ିକ ଆରବିଆଇର ନିର୍ଦ୍ଦେଶ ମାନିବାକୁ ବାଧ୍ୟ ହୋଇଥାନ୍ତି । ନିକଟରେ ନ୍ୟୁ ଇଣ୍ଡିଆ କୋ-ଅପରେଟିଭ ବ୍ୟାଙ୍କକୁ ଆରବିଆଇ ବ୍ୟାନ କରିଦେଇଥିଲା । ଏହି ବ୍ୟାଙ୍କ ଉପରେ ଆରବିଆଇ ୬ ମାସ ପାଇଁ କଟକଣା ଲାଗୁ କରିଥିଲା ।

ତେଣୁ କୌଣସି ବ୍ୟାଙ୍କ ଯଦି ବନ୍ଦ ହୋଇଯାଏ ବା ଲାଇସେନ୍ସ ରଦ୍ଦ ହୋଇଯାଏ, ତେବେ ଗ୍ରାହକମାନେ କଣ କରିବେ? ବ୍ୟାଙ୍କରେ ଜମା ଥିବା ସେମାନଙ୍କର ଅର୍ଥ କ’ଣ ହେବ? ଏପରି ଏକାଧିକ ପ୍ରଶ୍ନ ସାମ୍ନାକୁ ଆସୁଛି ।  ନ୍ୟୁ ଇଣ୍ଡିଆ କୋ-ଅପରେଟିଭ ବ୍ୟାଙ୍କ ବନ୍ଦ ହୋଇଯିବା ଫଳରେ ଅନେକ ଗ୍ରାହକଙ୍କର ଲକ୍ଷାଧିକ ଟଙ୍କା ଫସି ରହିଥିଲା । ଅନେକ ଲୋକ ବର୍ଷ ବର୍ଷର ପେନସନ ରାଶି ମଧ୍ୟ ଉଠାଇ ପାରିନଥିଲେ । ବ୍ୟାଙ୍କ ଶାଖାମାନଙ୍କରେ ଲମ୍ବା ଲାଇନ୍ ଦେଖିବାକୁ ମିଳିଥିଲା । ଅନ୍ୟପକ୍ଷରେ ଆଗାମୀ ୬ ମାସ ପାଇଁ କୌଣସି ନେଣଦେଣ ହୋଇପାରିବ ନାହିଁ ବୋଲି ଆରବିଆଇ ପକ୍ଷରୁ କୁହାଯାଇଥିଲା । ତେଣୁ ଏପରି ସ୍ଥିତି ଆପଣଙ୍କ ସହ ବି ଘଟିପାରେ । ବ୍ୟାଙ୍କ ବନ୍ଦ ହେବା ପରେ ଗ୍ରାହକମାନେ ନିଜ ଆକାଉଣ୍ଟରୁ କେତେ ଟଙ୍କା ଉଠାଇ ପାରିବେ, ତାହା ଜାଣିବା ନିହତି ଆବଶ୍ୟକ ।

ନ୍ୟୁ ଇଣ୍ଡିଆ କୋ-ଅପରେଟିଭ ବ୍ୟାଙ୍କ କଥା ଯଦି କହିବା, ବ୍ୟାଙ୍କର ଶାଖାମାନଙ୍କରେ ଭିଡ଼ ବୃଦ୍ଧିକୁ ଦୃଷ୍ଟିରେ ରଖି ଏକ ନମ୍ବର ଜାରି କରାଯାଇଥିଲା । ଏହି ନମ୍ବର ଜରିଆରେ ଗ୍ରାହକମାନେ ସୂଚନା ପାଇଥିଲେ । ଏଥିସହିତ ବ୍ୟାଙ୍କ ଲକର ସିଷ୍ଟମକୁ ମଧ୍ୟ ଚାଲୁ କରାଯାଥିଲା । ଲକରରେ ଜମା ଥିବା ଅର୍ଥ ଗ୍ରାହକ ଉଠାଇ ପାରିବେ ବୋଲି କୁହାଯାଇଥିଲା । ମାତ୍ର ଏନେଇ ଆରବିଆଇର କିଛି ନିୟମ ରହିଛି । ଆରବିଆଇ ତରଫରୁ ଏକ ଡିପୋଜିଟ ଇନସ୍ୟୁରାନ୍ସ ଆଣ୍ଡ କ୍ରେଡିଟ ଗ୍ୟାରେଣ୍ଟି କର୍ପୋରେସନ  (DICGC) ଗଠନ କରାଯାଇଛି । ଏପରି ସ୍ଥିତିରେ DICGC ବ୍ୟାଙ୍କ ଓ ବ୍ୟାଙ୍କର ଗ୍ରାହକଙ୍କୁ ସହାୟତା ପ୍ରଦାନ କରିଥାଏ । ବ୍ୟାଙ୍କ ବନ୍ଦ ହୋଇଗଲେ ଗ୍ରାହକଙ୍କୁ କେତେ ଟଙ୍କା ମିଳିବ ତାହା DICGC ସ୍ଥିର କରିଥାଏ ।

୧୯୭୮ ମସିହାରେ ଆରବିଆଇ DICGCର ଗଠନ କରିଥିଲା । ଯେଉଁ ଲୋକମାନେ ବ୍ୟାଙ୍କରେ ଅର୍ଥ ଜମା କରିଥାନ୍ତି, ଏହି ନିଗମ ସେମାନଙ୍କୁ ଏହି ବୀମା କଭରେଜ ପ୍ରଦାନ କରିଥାଏ । ଯେତେବେଳେ ବ୍ୟାଙ୍କ  ଦେବାଳିଆ ବା ବନ୍ଦ ହୋଇଯାଏ, ସେହି ସମୟରେ ଏହି ନିଗମ ଅଧିନରେ ଲୋକଙ୍କୁ ପଇସା ମିଳିଥାଏ । ପ୍ରକୃତରେ ଏହା ବୀମା ଅର୍ଥ ହୋଇଥାଏ । ବ୍ୟାଙ୍କ ବନ୍ଦ ହେଲେ କି ଦେବାଳିଆ ହେଲେ ଗ୍ରାହକଙ୍କୁ ସିଧାସଳଖ ଅର୍ଥ ମିଳିନଥାଏ । ପ୍ରତି ଜମାକାରୀଙ୍କ ପାଇଁ ଏହି ବୀମା କଭର ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ । ଯଦି କୌଣସି ବ୍ୟାଙ୍କ ଦେବାଳିଆ ହୋଇଯାଏ, ତେବେ ଗ୍ରାହକଙ୍କୁ DICGC ଅଧିନରେ ଅର୍ଥ ମିଳିଥାଏ । DICGC ମୁତାବକ, ବ୍ୟାଙ୍କ ବନ୍ଦ ହେବା ପରେ ଗ୍ରାହକଙ୍କୁ ସର୍ବାଧିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିଥାଏ । ଏହାର ଅର୍ଥ ହେଉଛି, ଯଦି କୌଣସି ବ୍ୟକ୍ତି ବ୍ୟାଙ୍କରେ ୫ ଲକ୍ଷରୁ ଅଧିକ କି କମ୍ ଅର୍ଥ ଜମା କରିଥାନ୍ତି, ତେବେ ତାଙ୍କୁ ୫ ଲକ୍ଷ ଟଙ୍କା ହିଁ  ମିଳିବ ।