ଦୌଡିବା ବଦଳରେ ଶୋଇ ପଡିଲାଣି ମିଶନ ଶକ୍ତି, ସ୍ଲୋଗାନ ଓ ଧୂଆଁବାଣରେ ଚାଲିଛି ମହିଳା ବିକାଶ
1 min read
ନନ୍ଦିଘୋଷ ବ୍ୟୁରୋ: ବିଜେଡି ସରକାର ପାଇଁ ମିଶନ ଶକ୍ତି ଥିଲା ଏକ ବିପ୍ଳବ। ହେଲେ ବିଜେପି ସରକାର ପାଇଁ ଏହା କେବଳ ସ୍ଲୋଗାନ। ବିଜେପି ସରକାରର ପ୍ରଥମ ବଜେଟରେ ମିଶନ ଶକ୍ତି ବିଭାଗକୁ ମିଳିଥିବା ଅନୁଦାନରୁ ମାତ୍ର ୨୩ ପ୍ରତିଶତ ଖର୍ଚ୍ଚ ହେବା ମହିଳା ସଶକ୍ତିକରଣ ପ୍ରତି ଥିବା ଆନ୍ତରିକତା ଦର୍ଶାଇଛି। ପଦାରେ ପଡ଼ିଛି କୁହାଳିଆ ସରକାରଙ୍କ ପାରିବାପଣିଆ। ଖର୍ଚ୍ଚ କରିବାର ପରିମାଣ ଯଦି ନଗଣ୍ୟ ହୁଏ, ଏଥିରେ ମିଶନ ଶକ୍ତି ଦୌଡ଼ିବା ବଦଳରେ ଆଣ୍ଠେଇ ପଡ଼ିଛି। ସରକାରଙ୍କ ଏଭଳି ଆଭିମୁଖ୍ୟକୁ ସବୁଆଡ଼ୁ ସମାଲୋଚନା ହେଉଛି।
ବିଜେପି ସରକାର ପାଇଁ ମିଶନ ଶକ୍ତି କେବଳ ଏକ ସ୍ଲୋଗାନ। ମହିଳା ସଶକ୍ତିକରଣ ଏକ ଧୂଆଁବାଣ। ସରକାର ଗଠନ ପରେ ବିଭାଗୀୟ ମନ୍ତ୍ରୀ ମିଶନ ଶକ୍ତି ଦୌଡ଼ିବ ବୋଲି ଦେଇଥିବା ପ୍ରତିଶ୍ରୁତି ଏକ ଫମ୍ପା ଆଓ୍ବାଜ ବୋଲି ସ୍ପଷ୍ଟ ହେଉଛି। ମିଶନ ଶକ୍ତି କେବଳ ଏକ ବିଭାଗ ନୁହେଁ, ଏହା ଏକ ସାମୂହିକ ଅଭିବୃଦ୍ଧିର ଚିନ୍ତାଧାରା। ବିଜେଡି ସରକାର ଏହାକୁ ମିଶନ ମୋଡ଼ରେ ନେଇ ଏସ୍ଏଚଜିରୁ ଏସ୍ଏମ୍ଇ ରୂପାନ୍ତରିତ କରିବାର ଦାୟିତ୍ବ ସମ୍ଭାଳିଥିଲେ। ହେଲେ ବିଜେପି ସରକାର ଏହାକୁ ମୋଡ଼ି ମକଚି ଦେବାକୁ ଉଦ୍ୟମ କରିଛନ୍ତି ଆରମ୍ଭରୁ। ସରକାର ଗଠନର ୮ ମାସ ପରେ ବିଭାଗର ଦୟନୀୟ ଚିତ୍ର ସାମ୍ନାକୁ ଆସିଛି। ୨୦୨୪-୨୫ ଆର୍ଥିକ ବର୍ଷରେ ମିଶନ ଶକ୍ତି ବିଭାଗ ପାଇଁ ୨ହଜାର ୭୬୧ କୋଟି ଟଙ୍କାର ବ୍ୟୟବରାଦ ହୋଇଥିଲା। ହେଲେ ଜାନୁଆରୀ ସୁଦ୍ଧା ଏଥିରୁ ଖର୍ଚ୍ଚ ହୋଇଛି ମାତ୍ର ୨୩ ପ୍ରତିଶତ। ୨ହଜାର କୋଟି ଟଙ୍କା ଏବେ ବି ଖର୍ଚ୍ଚ ନ ହୋଇ ପଡ଼ିରହିଛି। ଏଥିରେ ମିଶନ ଶକ୍ତିର ଦୌଡ଼ିବ ନା ଅଟକିଯିବ ବୋଲି ବିଜେଡ଼ି ପ୍ରଶ୍ନ କରିଛି।
ମିଶନ ଶକ୍ତିରେ ରାଜ୍ୟର ୭୦ଲକ୍ଷ ମହିଳା ପ୍ରତ୍ୟକ୍ଷଜଡ଼ିତ ଥିବା ବେଳେ ୩୦ଲକ୍ଷ ପରୋକ୍ଷରେ ସାମିଲ ଅଛନ୍ତି। ପୂର୍ବ ସରକାରର ଯୋଜନାର ରଙ୍ଗ ଓ ନାମ ବଦଳାଇବାରେ ବ୍ୟସ୍ତ ବିଜେପି ସରକାର ମିଶନ ଶକ୍ତିକୁ ସୁଭଦ୍ରା ଶକ୍ତି ଭାବେ ପରିଚିତ କରାଇବାକୁ ଉଦ୍ୟମ କରୁଛନ୍ତି। ହେଲେ ଏହାର ଅଭିବୃଦ୍ଧି କଥା ଯେମିତି ଭୁଲି ଯାଇଛନ୍ତି। ବିଜେପି ସରକାରର ଦ୍ବିତୀୟ ବଜେଟରେ ମିଶନ ଶକ୍ତିର କଳେବର ମାତ୍ର ୧୨ କୋଟି ବଢିଛି। ହେଲେ ଏହା ମଧ୍ୟ ଖର୍ଚ୍ଚ ହୋଇପାରିବ କି ନାହିଁ ତାହା ବି ସନ୍ଦେହରେ। ବିଜେପି ସରକାର ବଜେଟ ଅନୁମୋଦିତ ଅଟକଳର ମାତ୍ର ୨୩ ପ୍ରତିଶତ ଖର୍ଚ୍ଚ କରିପାରିଥିବା ଯୋଗୁଁ ମହିଳା ସଶକ୍ତିକରଣ କେବଳ ଏକ ସ୍ଲୋଗାନରେ ପରିଣତ ହୋଇଛି। ସମାଜରେ ମହିଳାମାନେ ନିଜକୁ ପ୍ରତିଷ୍ଠିତ କରିବାର ସୁଯୋଗ ଦେଇଥିଲେ ନବୀନ ସରକାର, ହେଲେ ବିଜେପି ସରକାର ଏହାକୁ ନେଇଛନ୍ତି ଛଡାଇ।
ବଜେଟ ଅର୍ଥ ଖର୍ଚ୍ଚ ହୋଇଥିଲେ ଏସ୍ଏଚଜିକୁ ଆର୍ଥିକ ପ୍ରୋତ୍ସାହନ ମିଳିଥାନ୍ତା। ମିଶନ ଶକ୍ତି ବଜାର, କାଫେ ସୃଷ୍ଟି ପାଇଁ ଭିତ୍ତିଭୂମି ପ୍ରସ୍ତୁତ ହୋଇଥାନ୍ତା। ହେଲେ ବିଭାଗୀୟ ମନ୍ତ୍ର, ଅଧିକାରୀଙ୍କ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଏବେ ମିଶନ ଶକ୍ତି ଶକ୍ତିହୀନ ହେବାକୁ ବସିଲାଣି।