ରାଜ୍ୟ ସରକାର ଗଠନକୁ ୮ ମାସ ପୂରିଲେ ବି ଦୂର ହୋଇପାରିନି ଦ୍ଵନ୍ଦ୍ଵ

ଭୁବନେଶ୍ବର : ତାରିଖ ପରେ ତାରିଖ ବଦଳୁଛି। ଦୂର ହୋଇପାରୁନି ରାଜ୍ୟ ସଭାପତି ଦ୍ବନ୍ଦ।ସରକାରକୁ ୮ ମାସ ପୁରିଲାଣି। ହୋଇପାରୁନି ନିଗମ ନିଯୁକ୍ତି। ଖାଲି ଥିବା ଅଧ ଡ଼ଜନେ ମନ୍ତ୍ରୀ ପଦ ପୂରଣ କରିପାରୁନାହାନ୍ତି ମୁଖ୍ୟମନ୍ତ୍ରୀ। ସବୁ କଥାରେ କେନ୍ଦ୍ରୀୟ ନେତୃତ୍ବଙ୍କ ଇଙ୍ଗିତକୁ ଅପେକ୍ଷା। ରାଜ୍ୟ ବିଜେପିରେ ଥିବା ଗୋଷ୍ଠୀ ବିବାଦ ମୁଖ୍ୟମନ୍ତ୍ରୀଙ୍କୁ ଯେତିକି ଅଡୁଆରେ ପକାଇନି, ତାଠାରୁ ଅଧିକ ଯନ୍ତ୍ରଣା ଦେଉଛି କେନ୍ଦ୍ର ବିଜେପିର ଗ୍ରୀନ ସିଗ୍ନାଲକୁ ଅପେକ୍ଷା।ମାଳ ମାଳ ନିଗମ ଲଡୁ ଖାଇଥିବା ଆଶାୟୀଙ୍କ ସଂଖ୍ୟା ବଢିଚାଲିଛି।ବିଭିନ୍ନ ଏକାଡ଼େମୀ ମୁଖିଆ ପଦ ବି ଖାଲି ପଡ଼ିଛି। ଜଣେ ଜଣେ ମନ୍ତ୍ରୀ ଏକାଧିକ ବିଭାଗ ମୁଣ୍ଡାଇ ଭାରାକ୍ରାନ୍ତ ହେଲେଣି। ପ୍ରଶାସନ ଚଳଚଞ୍ଚଳ ହେବା ବଦଳରେ ସ୍ଥାଣୁ ପାଲଟିଛି। ବଜେଟ ଅଧିବେଶନରେ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ଦେଇଥିବା ବିବୃତି ବସ୍ତାନୀ ଭାରି ପାଠ ଶୂନ ବାସ୍ତବରେ ପ୍ରତିପାଦିତ ହେଉଛି ବୋଲି ବିଶେଷଜ୍ଞ କହିଛନ୍ତି ।
ସରକାର ଯେପରି ସ୍ଥାଣୁ, ବିଜେପି ସଙ୍ଗଠନ ବି ତାଠାରୁ ତଦ୍ରୁପ। ରାଜ୍ୟ ସଭାପତି ଚୟନରେ ଅହେତୁକ ବିଳମ୍ବ ଦଳ ଭିତରେ ଥିବା ଅସନ୍ତୋଷକୁ ପଦାରେ ପକାଇଛି। ଜାନୁଆରୀ ୧୫ ସୁଦ୍ଧା ରାଜ୍ୟ ସଭାପତି ନିର୍ବାଚନ ସାରିବାକୁ ଟାର୍ଗେଟ ରଖାଯାଇଥିବା ବେଳେ ଫେବୃଆରୀ ସରିବାକୁ ବସିଲାଣି, କିଛି ଚୁଡ଼ାନ୍ତ ହୋଇପାରୁନାହିଁ। ନିଗମ ଅଧ୍ୟକ୍ଷ ପାଇଁ ବି ଅଙ୍କକଷା ଚାଲିଛି। ଖୋଜା ଚାଲିଛି ଉପଯୁକ୍ତ ନେତା। ସାଙ୍ଗଠନିକ ଦକ୍ଷତା, ଅନୁଭବ, ଅଭିଜ୍ଞତାକୁ ଆଧାର କରି ନିଗମ ପଦ ଦିଆଯିବ ବୋଲି ଆଶା ବାନ୍ଧିଛନ୍ତି ଆଶାୟୀ। ସେହିପରି ଖାଲି ଥିବା ମନ୍ତ୍ରୀ ପଦ ପାଇଁ ବରିଷ୍ଠ ବିଧାୟକ ମାନେ ଆଶା ରଖିଛନ୍ତି। ହେଲେ କେନ୍ଦ୍ରରୁ କୌଣସି ସିଗ୍ନାଲ ମିଳୁନଥିବାରୁ ନିଷ୍ପତ୍ତି ହୋଇପାରୁନି। ବାହାରକୁ ନେତା ଓ ବିଧାୟକ ସବୁ କିଛି ଠିକ୍ ଚାଲିଛି ବୋଲି କହୁଥିଲେ ମଧ୍ୟ, ବାସ୍ତବ ଚିତ୍ର ଭିନ୍ନ କିଛି ବୟାନ କରୁଛି। ସଙ୍ଗଠନରେ ଦ୍ବନ୍ଦ, ସରକାରରେ ଅସନ୍ତୋଷ। ସବୁ କଥାରେ କେନ୍ଦ୍ରର ଇଙ୍ଗିତକୁ ଅପେକ୍ଷା। ହଠାତ ବିଜେପି ସରକାରକୁ ଆସିବା, ଅସ୍ବାଭାବିକ ଭାବେ ମୁଖ୍ୟମନ୍ତ୍ରୀ ବଛାଯିବା ଯୋଗୁଁ ସରକାର ଏଯାଏଁ ଗତିଶୀଳ ହୋଇପାରିନାହିଁ। ରାଜ୍ୟ ବିଜେପିରେ ଗୋଷ୍ଠୀ କନ୍ଦଳ ସାଙ୍ଗକୁ ନିଜ ଇଚ୍ଛାରେ ମୁଖ୍ୟମନ୍ତ୍ରୀ କାମ କରିପାରୁନଥିବା ଯୋଗୁଁ ସବୁ କିଛି ଅଯଥାରେ ବିଳମ୍ବିତ ହୋଇ ଚାଲୁଛି।