ଲୋକଙ୍କ ପାଇଁ ଅଣ୍ଟା ଭିଡ଼ିଲା ବ୍ୟବସାୟୀ ମହାସଂଘ

ଭୁବନେଶ୍ବର ; ସରକାରଙ୍କ ଉପରୁ ତୁଟିଲା ଭରସା । ଏବେ ନିଜେ କରିବେ ନିଜ ସମସ୍ୟାର ସମାଧାନ । ଦରଦାମ ବୃଦ୍ଧି ନିୟନ୍ତ୍ରଣ ପାଇଁ ନିଆଯିବ ବଡ଼ ପଦକ୍ଷେପ । ଚାଷୀଙ୍କ ହୀତ ପାଇଁ କରାଯିବ ଆଲୋଚନା । ଏନେଇ ଅଣ୍ଟା ଭିଡ଼ିଛି ବ୍ୟବ୍ୟବସାୟୀ ମହାସଂଘ । ଏପ୍ରିଲ ପ୍ରଥମ ସପ୍ତାହରେ ଭୁବନେଶ୍ୱରରେ କରିବ ବିଶାଳ ବ୍ୟବସାୟୀ ସମାବେଶ । ରାଜ୍ୟ ବ୍ୟବସାୟୀ ମହାସଂଘର ରୌପ୍ୟ ଜୟନ୍ତୀ ପାଳନ ଅବସରରେ କରାଯିବ ଏହି ସମାବେଶ। ଏଥିରେ ସାରା ରାଜ୍ୟର ବହୁ ବ୍ୟବସାୟୀଙ୍କ ସମେତ ଚାଷୀ, ଚାଷୀ ନେତା, ସାଧାରଣ ଲୋକେ ସାମିଲ ହେବେ । ଚାଷୀଙ୍କ ଉତ୍ପାଦିତ ଶସ୍ୟ ଲୋକଙ୍କ ପାଖରେ କିଭଳି ସିଧାସଳଖ ପହଂଚିବ ଓ ଚାଷୀଙ୍କୁ ଉଚିତ ମୂଲ୍ୟ ଦେବା ପାଇଁ ଉଦ୍ୟମ ଆଲୋଚନା କରାଯିବ । ଦରଦାମ ନିୟନ୍ତ୍ରଣକୁ ଆଣିବା ମଧ୍ୟ ଉଦେଶ୍ୟ ରହିଛି । ବଲାଙ୍ଗୀର, ଭବାନୀପାଟଣା, କେସିଙ୍ଗା, ବରଗଡ଼, ବରପାଲି ଓ ଢେଙ୍କାନାଳର ବ୍ୟବସାୟୀ ସଂଘର ସବୁ ବର୍ଗଙ୍କୁ ନେଇ ଆଲୋଚନା ହୋଇଛି । ଚାଷ ସାମଗ୍ରୀର ଅଭାବୀ ବିକ୍ରି କିଭଳି ନରହିବ ଓ ସାମଗ୍ରୀ ସଂରକ୍ଷଣ କରାଯିବ, ବାରମାସୀ ଚାଷ କିଭଳି ଅଧିକ ବଢ଼ିପାରିବ, ରାଜ୍ୟର ଉତ୍ପାଦିତ ସାମଗ୍ରୀ କିଭଳି ଗ୍ରାହକଙ୍କ ପାଖରେ ସୁଲଭ ମୂଲ୍ୟରେ ପହଂଚିବ ସେ ନେଇ ଉଦ୍ୟମ କରାଯିବ । ଏଥିରେ ସରକାରଙ୍କ ସହଯୋଗ ଅବଶ୍ୟକ । ହେଲେ ସରକାର ସହଯୋଗ ପାଇଁ ଆଗଭର ହେଉ ନାହାନ୍ତି। ତେଣୁ ବ୍ୟବସାୟୀ ସଂଘ ଏହି ଦାୟିତ୍ୱ ନିଜେ ନେବ ବୋଲି କହିଛି ।
ବ୍ୟବସାୟୀ ମହାସଂଘର ଏଭଳି ପ୍ରୟାସକୁ ବିଭିନ୍ନ ଚାଷୀ ସଂଗଠନ ସ୍ୱାଗତ କରିଛନ୍ତି। ୯ ମାସ ହେଲା ଶାସନକୁ ଆସିଥିଲେ ମଧ୍ୟ ଏ ଯାଏ ବିଜେପି ସରକାର କେବଳ କଥାରେ ଚାଲିଛି। ଗଣତନ୍ତ୍ରରେ ଗୋଟିଏ ସରକାର ପାଞ୍ଚ ବର୍ଷ ପାଇଁ ପଚାଶ ବର୍ଷ ପାଇଁ ନୁହେଁ । ତେଣୁ କେବେ ଆଉ କାମ ହେବ ବୋଲି ପ୍ରଶ୍ନ କରିଛି କୃଷକ ମଜଦୂର ମହାସଂଘ। ଏହାର ପ୍ରତିବାଦରେ ଆସନ୍ତା ନଭେମ୍ବର ମାସରେ ରାଜ୍ୟବ୍ୟାପି ପଦଯାତ୍ରା କରାଯିବ ବୋଲି କୁହାଯାଇଛି। ସେପଟେ ସିଟିଜେନ୍ସ ଫୋରମ ମଧ୍ୟ ସରକାରଙ୍କ ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇଛି। ଲୋକେ ଏବେ ଏକାଠି ହୋଇ ନିଜ ଦାୟିତ୍ବ ନିଜେ ନେବେ ଓ ସରକାରଙ୍କୁ ଜବାବ ଦେବେ ବୋଲି କୁହାଯାଇଛି। ନା ପ୍ରତିଶ୍ରୁତି ପାଳନ ହେଉଛି ନା କୌଣସି ବର୍ଗଙ୍କ ହିତ ପାଇଁ ପଦକ୍ଷେପ ନିଆଯାଉଛି । ଯେଉଁଥିପାଇଁ ରାଜ୍ୟର ବିଭିନ୍ନ ବର୍ଗ ମଧ୍ୟରେ କୁହୁଳୁଥିବା ଅସନ୍ତୋଷ ଏବେ ଉଗ୍ର ରୂପ ନେବାକୁ ଯାଉଛି ।