ଦନ୍ତା ହାତୀର ହତ୍ୟା ଘଟଣାରେ ଛଅ ଗିରଫ

ଦେବଗଡ଼: ଦନ୍ତା ହାତୀର ହତ୍ୟା ଘଟଣାରେ ଛଅ ଗିରଫ । ଦେବଗଡ଼ ବନଖଣ୍ଡ ରିଆମାଳ ବନାଞ୍ଚଳ ଗରିଆପାଲି ଗ୍ରାମ ନିକଟରେ ଏକ ଦନ୍ତାହାତୀର ମୃତଦେହ ବନବିଭାଗ ଉଦ୍ଧାର କରିଥିଲା । ପ୍ରାଥମିକ ତଦନ୍ତ ବେଳେ ହାତୀକୁ ହତ୍ୟା କରାଯାଇଥିବା ବନବିଭାଗ ସନ୍ଦେହ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା ।

ଗରିଆପାଲି ଗ୍ରାମ ଆଖପାଖ ଅଞ୍ଚଳର କେତେକ ଦୁର୍ବୃତ୍ତ ଶିକାର କରିବା ଉଦ୍ଦେଶ୍ୟରେ ବିଦ୍ୟୁତ ତାର ବିଛେଇ ଥିବାବେଳେ ଦନ୍ତା ହାତୀର ମୃତ୍ୟୁ ଘଟିଥିବା ଜାଣିବାକୁ ପାଇଥିଲେ । ଏହି ମାମଲାରେ ଛଅ ଜଣ ବନ୍ୟ ଜନ୍ତୁ ଶିକାରୀକୁ ଗିରଫ କରିବା ସହ ସେମାନଙ୍କ ଠାରୁ ବିଦ୍ୟୁତ୍ ତାର, ବୋତଲ, କାଠି ଜବତ ହୋଇଛି । ସମସ୍ତ ଅଭିଯୁକ୍ତଙ୍କୁ ଗତକାଲି ରାତିରେ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।