୩ ଜିଲ୍ଲାକୁ ଅରେଞ୍ଜ ଏବଂ ୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

ଭୁବନେଶ୍ବର : ଆଜିଠୁ ପ୍ରଚଣ୍ଡ ବଜ୍ରପାତରେ ଥରିବ ଉତ୍ତର ଆଭ୍ୟନ୍ତରୀଣ ଓଡିଶା। ଘଡଘଡି ବିଜୁଳି ସହ ଝଡ ବର୍ଷା ନେଇ ସତର୍କତା ଜାରିକରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ୨୪ ଘଣ୍ଟା ପାଇଁ ୩ ଜିଲ୍ଲାକୁ ଅରେଞ୍ଜ ଏବଂ ୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ନେଇ କେନ୍ଦୁଝର, ମୟୂରଭଞ୍ଜ ଏବଂ ବାଲେଶ୍ବର ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏହି ଜିଲ୍ଲାର କିଛି ସ୍ଥାନରେ କୁଆପଥର ବୃଦ୍ଧି ନେଇ ସତର୍କତା ଜାରି କରାଯାଇଛି। ବର୍ଷା ସମୟରେ ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ଝଟକା ପବନ ନେଇ ମଧ୍ୟ ସତର୍କତା ଜାରି କରାଯାଇଛି । ସେହିଭଳି ଭଦ୍ରକ, ଯାଜପୁର, ଢେଙ୍କାନାଳ, କଟକ, ଜଗତସିଂହପୁର ଏବଂ କେନ୍ଦ୍ରାପଡାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଆସନ୍ତାକାଲି ମଧ୍ୟ ପ୍ରଚଣ୍ଡ ବଜ୍ରପାତ ନେଇ ୭ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ୧୨ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଘଡଘଡି ବିଜୁଳି ସହ କୁଆପଥର ବୃଷ୍ଟି ଏବଂ ଘଣ୍ଟା ପ୍ରତି ୪୦ ରୁ ୫୦ କିମି ବେଗରେ ପବନ ବହିବା ସମ୍ଭାବନା ଥିବାରୁ ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଯାଜପୁର ଏବଂ ଢେଙ୍କାନାଳକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ସେହିଭଳି କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ, ଗଞ୍ଜାମ, ଗଜପତି, ଅନୁଗୁଳ, ଦେବଗଡ, ସମ୍ବଲପୁର, ଏବଂ ଝାରସୁଗୁଡାକୁ ବଜ୍ରପାତ ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। ୨୨ ତାରିଖରେ ବଜ୍ରପାତ ସହ କୁଆପଥର ବୃଷ୍ଟି ନେଇ ଉତ୍ତର ଉପକୂଳ ଓଡ଼ିଶାର ୧୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ରାଜ୍ୟରେ ବର୍ତ୍ତମାନ ପଶ୍ଚିମାଝଡ ସହ ସକ୍ରିୟ ରହିଛି ଟ୍ରପଲାଇନ୍। ଏହାର ପ୍ରଭାବରେ ସକାଳୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଟାଇଁ ଟାଇଁ ଖରା ଅନୁଭୁତ ହେବ। କିନ୍ତୁ ଅପରାହ୍ନ ହେବା ପରେ ବିଭିନ୍ନ ସ୍ଥାନରେ ବଜ୍ରପାତ ନେଇ ସତର୍କତା ଜାରି କରାଯାଇଛି। ତେବେ ବର୍ଷା ହେଲେ ତାତିରେ ସାମାନ୍ୟ ହ୍ରାସ ଘଟିବ ବୋଲି ଆକଳନ କରାଯାଇଛି। କିନ୍ତୁ ସକାଳ ବେଳା ମେଘମୁକ୍ତ ଆକାଶ ପାଇଁ ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି। ଆଜି ସକାଳୁ ରାଜଧାନୀ ଭୁବନେଶ୍ଵରରେ ଘଡ଼ଘଡ଼ି ସହ ଝିପିଝିପି ବର୍ଷା ହୋଇଥିବା ଜଣାପଡିଛି।