ମିଶନ ଶକ୍ତିକୁ ଧ୍ଵଂସ କରିବାକୁ ଷଡ଼ଯନ୍ତ୍ର କରିଛନ୍ତି ରାଜ୍ୟ ସରକାର: ତଥ୍ୟ ରଖିଲା ବିଜେଡି

ଭୁବନେଶ୍ବର: ମିଶନ ଶକ୍ତି ମହିଳାଙ୍କୁ ଭ୍ରମିତ କରାଯାଉଛି । ଏନେଇ ତଥ୍ୟ ରଖିଲେ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ । ସେ ମିଶନ ଶକ୍ତି ଇସି ନିଯୁକ୍ତି ନେଇ ସ୍ପଷ୍ଟ କରିଛନ୍ତି । ମିଶନ ଶକ୍ତି ଇସି ସଦସ୍ୟଙ୍କୁ ନେଇ ଉତ୍ତର ରଖିଛନ୍ତି ରଣେନ୍ଦ୍ର । କେନ୍ଦ୍ର ସରକାର ୧୯୯୯ ମସିହା ଏପ୍ରିଲ ପହିଲାରୁ ଆରମ୍ଭ କରିଥିଲେ ସ୍ୱର୍ଣ୍ଣ ଜୟନ୍ତୀ ଗ୍ରାମ୍ୟ ସ୍ୱରୋଜଗାର ଯୋଜନା । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ନେଇ ଅଙ୍ଗନବାଡି କର୍ମୀ ଇସି ସଦସ୍ୟଙ୍କୁ ବଛା ଯାଇ ମହିଳା ମହାସଂଘକୁ କାର୍ଯ୍ୟଭାର ଦିଆଯାଇଥିଲା । ଏମାନେ ନିର୍ବାଚିତ ଲୋକ ପ୍ରତିନିଧି ନୁହନ୍ତି । ତୃଣମୂଳ ସ୍ତରର ମହିଳାଙ୍କୁ ଆତ୍ମନିର୍ଭରଶୀଳ ଓ ଶସକ୍ତ କରାଇବା କାର୍ଯ୍ୟ କରିଆସୁଛନ୍ତି । ମିଶନ ଶକ୍ତିର ଇସିମାନେ ବୈଠକ ବାବଦରେ ସିଟିଂ ଆଲାଉନ୍ସ ପାଉଥିଲେ । ଏହା ବ୍ୟତୀତ ମାସିକ ୧ ହଜାର ଟଙ୍କା ଫିକ୍ସଡ୍ ଟ୍ରାଭେଲିଂ ଆଲାଉନ୍ସ ଦିଆଯାଉଥିଲା । ପ୍ରାୟ ୪୮ହଜାର ଇସି ମହିଳାଙ୍କୁ ବିନା ସୁଧରେ ସ୍କୁଟର ପ୍ରଦାନ କରିଥିଲେ ପୂର୍ବ ସରକାର ।
ରିଷ୍ଟ୍ରକ୍ଚରିଂ ଆଳରେ ଏମାନଙ୍କୁ ହଟାଇ ସୀମିତ ସଂଖ୍ୟକ ଅସ୍ଥାୟୀ ନୂତନ ଇସି ଚୟନ, ସୀମିତ ସଂଖ୍ୟକ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ରଖି ବିଶାଳ ମହାଦ୍ରୁମ ମିଶନ ଶକ୍ତିକୁ ଧ୍ଵଂସ କରିବାକୁ ଷଡ଼ଯନ୍ତ୍ର କରିଛନ୍ତି ରାଜ୍ୟ ସରକାର ବୋଲି କହିଛନ୍ତି ରଣେନ୍ଦ୍ର । ବିଭାଗୀୟ ମନ୍ତ୍ରୀ ଗତ ସପ୍ତାହରେ ବୟାନ ଦେଲେ ଯେ ମିଶନ ଶକ୍ତିରେ କୌଣସି ଦୁର୍ନୀତି ନାହିଁ, ଏହା ସଫଳ ଯୋଜନା । ଯୋଜନାକୁ ସଫଳ କରାଇଥିବା ସ୍କିମ୍ ୱାର୍କରଙ୍କୁ ହଟାଇବା ଏକ ବିଡମ୍ବନା । ଏମାନେ ରାଜନୀତି କରୁଥିଲେ ବିଜେପି କ୍ଷମତାରେ ବସିବା ସମ୍ଭବ ହୋଇନଥାନ୍ତା ବୋଲି କହିଛନ୍ତି ରଣେନ୍ଦ୍ର ପ୍ରତାପ ସ୍ଵାଇଁ । ଦେଢ଼ ଲକ୍ଷ ମିଶନ ଶକ୍ତି ଇ.ସି. ମହିଳାଙ୍କୁ ହଟେଇବା ପରିବର୍ତ୍ତେ ଆହୁରି ସଶକ୍ତ କରାଯିବାକୁ ଦାବି କରିଛନ୍ତି ରଣେନ୍ଦ୍ର । ଏହା ନହେଲେ ମହିଳାଙ୍କ ପାଇଁ ଆଗକୁ ୩୧୪ ବ୍ଲକରେ ପ୍ରତିବାଦ କରିବ ବିଜେଡି ବୋଲି କହିଛନ୍ତି ରଣେନ୍ଦ୍ର ପ୍ରତାପ ସ୍ଵାଇଁ ।