ଶେୟାର ବଜାରରେ ପୁଣି ହଲଚଲ: ଫାର୍ମା ସେକ୍ଟରର ଶେୟାର ସର୍ବାଧିକ ବିକ୍ରି
1 min read
ଶେୟାର ବଜାରରେ ହ୍ରାସ-ବୃଦ୍ଧି ଜାରି ରହିଛି । କ୍ରମାଗତ ତୃତୀୟ ସପ୍ତାହରେ ଶେୟାର ବଜାରରେ ଏକ ବଡ଼ଧରଣର ହ୍ରାସ ପରିଲକ୍ଷିତ ହେବା ସହ ଲାଲ ପ୍ରତୀକରେ କାରବାର ଆରମ୍ଭ ହୋଇଛି । ଆଜି ବମ୍ବେ ଷ୍ଟକ ଏକ୍ସଚେଞ୍ଜ (BSE) ସେନସେକ୍ସ ୧୮୦.୧୨ ଅଙ୍କ ହ୍ରାସ ସହ ୭୫,୭୮୭.୨୭ରେ ଖୋଲିଥିଲା । ଅନ୍ୟପକ୍ଷରେ ନିଫ୍ଟୀ ୫୦ ଇଣ୍ଡେକ୍ସ ୯୮.୦୫ ଅଙ୍କ କ୍ଷତି ସହ ୨୨,୮୪୭.୨୫ ଅଙ୍କରେ ଖୋଲିଥିଲା । କାରବାର ସେସନ ଅବସରରେ ଇଣ୍ଡିଆନ ଓଭରସିଜ ବ୍ୟାଙ୍କ, ଲାର୍ସନ ଆଣ୍ଡ ଟୁବ୍ରୋ, କଣ୍ଟେନର କର୍ପୋରେସନ ଅଫ ଇଣ୍ଡିଆ, ସେଲୋ ଓ୍ବାର୍ଲ୍ଡ, ଆରବିଏମ ଇନଫ୍ରାକନ, ଭାରତୀ ଏୟାରଟେଲ, ବୋଲର କାର, ପିଏସ ରାଜ ଷ୍ଟିଲ୍ସ ଓ ମ୍ୟାକ୍ସଭୋଲ୍ଟ ଏନର୍ଜୀ ଇଣ୍ଡଷ୍ଟ୍ରିଜର ଶେୟାର ଫୋକସରେ ରହିଥିଲା । ଫାର୍ମା ସେକ୍ଟରର ଶେୟାରଗୁଡ଼ିକ ସର୍ବାଧିକ ବିକ୍ରି ହେଉଥିବା ଦେଖିବାକୁ ମିଳିଥିଲା ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଦିନ ଦେଶରେ ଅଟୋ ଓ ଫାର୍ମା ଆମଦାନୀ ଉପରେ ୨୫ ପ୍ରତିଶତ ଟାରିଫ ଲଗାଇବାକୁ ଘୋଷଣା କରିଥିଲେ । ଏଥିସହିତ ସେମିକଣ୍ଡକ୍ଟର ଚିପ ଉପରେର ୨୫ ପ୍ରତିଶତ ଟାରିଫ ଲଗାଇବାକୁ ମଧ୍ୟ ଘୋଷଣା କରିଛନ୍ତି । ତା ପରଠାରୁ ଶେୟାର ବଜାରରେ ହଲଚଲ ହେବା ସହ ନିବେଶକ ସତର୍କ ହୋଇଯାଇଥିଲେ । ସେମିକଣ୍ଡକ୍ଟର ଓ ଫାର୍ମା ଇମ୍ପୋର୍ଟ ଉପରେର ନୂଆ ଟାରିଫ ଏପ୍ରିଲ ୨ରୁ ଲାଗୁ ହୋଇଯିବ । ଭାରତୀୟ ଇକ୍ବିଟିରେ କ୍ରମାଗତ ଭାବେ ବିକ୍ରି ହେଉଥିବା ପ୍ରକ୍ରିୟାକୁ ଭଙ୍ଗ କରିଥିଲେ ବିଦେଶୀ ସଂସ୍ଥାଗତ ନିବେଶକ । ଗତ କାରବାର ସେସନରେ ବିଦେଶୀ ସଂସ୍ଥାଗତ ନିବେଶକ ୪,୭୮୬.୫୬ କୋଟି ଟଙ୍କାର ଶେୟାର କ୍ରୟ କରିଥିଲେ । ଘରୋଇ ସଂସ୍ଥାଗତ ନିବେଶକ (DII) ମଙ୍ଗଳବାର ଦିନ ଶୁଦ୍ଧ ଭାବେ, ୩,୦୭୨.୧୯ କୋଟି ଟଙ୍କାର ଇକ୍ବିଟି କ୍ରୟ କରିଥିଲେ ।