ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟକା

ନନ୍ଦିଘୋଷ ବ୍ୟୁରୋ: ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଛି ଚାମ୍ପିୟନ୍ସ ଟ୍ରଫି । ଆଇସିସିର ଏହି ଟୁର୍ଣ୍ଣାମେଣ୍ଟରେ ବିଜୟୀ ହେବା ପାଇଁ ୮ ଦଳ ମଧ୍ୟରେ ହେବାକୁ ଯାଉଛି କଡ଼ା ଟକ୍କର । ମାତ୍ର ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଟିମ ଇଣ୍ଡିଆକୁ ଏକ ଝଟକା ଲାଗିଛି । ଭାରତର ବୋଲିଂ କୋଚ ମଣି ମର୍କେଲ ଏବଂ କ୍ୟାମ୍ପରେ ନଜର ଆସିନାହାନ୍ତି । କୁହାଯାଉଛି କି, ତାଙ୍କ ପିତାଙ୍କ ଦେହାନ୍ତ ହୋଇଛି । ଯେଉଁ କାରଣରୁ ସେ ଏବେ ଘରକୁ ଯାଇଛନ୍ତି । ମାତ୍ର ଏନେଇ କୌଣସି ଅଫିସିଆଲ ଭାବେ କୁହାଯାଇନାହିଁ । ତେବେ ବୁମରା ଦଳରେ ନଥିବାବେଳେ ସାମି ଫର୍ମକୁ ଫେରିବାକୁ ସଂଘର୍ଷ କରୁଛନ୍ତି । ଆଉ ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ମଣି ମର୍କେଲଙ୍କ ଅନୁପସ୍ଥିତି ଭାରତୀୟ ଦଳର ବୋଲିଂ ପାଇଁ ଚିନ୍ତାର କାରଣ ହୋଇପାରେ ବୋଲି କ୍ରିକେଟ ବିଶେଷଜ୍ଞମାନେ ମତ ଦେଇଛନ୍ତି ।
ତେବେ କହି ରଖୁଛୁ କି, ଆସନ୍ତାକଳଇଠାରୁ ଚାମ୍ପିୟନ୍ସ ଟ୍ରଫି ଖେଳାଯିବାକୁ ଥିବାବେଳେ ଭାରତର ପ୍ରଥମ ମ୍ୟାଚ ୨୦ ତାରିଖରେ ରହିଛି । ଭାରତ ବାଂଲାଦେଶକୁ ଭେଟିବାକୁ ରହିଛି । ପରେ ୨୩ ତାରିଖରେ ହାଇଭୋଲଟେଜ୍ ମ୍ୟାଚ ଖେଳାଯିବ । ପାକିସ୍ତାନକୁ ଭେଟିବ ଭାରତ । ଯାହାକୁ ଦେଖିବାକୁ ପ୍ରଂଶସକମାନେ ଚାହିଁ ରହିଛନ୍ତି । କାରଣ ଏହି ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ଟିମ୍ କେବଳ ବଡ଼ ଟୁର୍ଣ୍ଣାମେଣ୍ଟରେ ସାମନା ସାମନି ହେଉଛନ୍ତି । ଏମାନଙ୍କ ମଧ୍ୟରେ କୌଣସି ଦ୍ବିପାକ୍ଷିକ ମ୍ୟାଚ ଖେଳାଯାଉନାହିଁ ।