ନୂଆଦିଲ୍ଲୀ ଦଳାଚକଟା ଘଟଣାରେ ପୀଡ଼ିତଙ୍କ ପାଇଁ ସହାୟତା ରାଶି ଘୋଷଣା: ମୃତକଙ୍କ ପାଇଁ ୧୦ ଲକ୍ଷ, ଆହତଙ୍କ ପାଇଁ ୨.୫ ଲକ୍ଷ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ରେଲଓ୍ବେ ଷ୍ଟସନରେ ଗତକାଲି ରାତିରେ ଘଟିଥିବା ଦଳାଚକଟାରେ ୧୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଲୋକ ଆହତ ହୋଇଥିଲେ । ଏହି ଘଟଣା ପରେ ପୀଡ଼ିତଙ୍କ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଥିଲେ । ତେବେ ଦିଲ୍ଲୀ ଦଳାଚକଟା ଘଟଣାର ପୀଡ଼ିତଙ୍କ ପାଇଁ ସରକାରଙ୍କ ତରଫରୁ ସହାୟତା ରାଶି ଘୋଷଣା କରାଯାଇଛି । ମୃତକଙ୍କ ପାଇଁ ୧୦ ଲକ୍ଷ ଓ ଆହତଙ୍କ ପାଇଁ ୨.୫ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରାଯାଇଛି । ଏଥିସହିତ ସାମାନ୍ୟ ଆହତଙ୍କୁ ୧ ଲକ୍ଷ ଟଙ୍କା ସହାୟତା ରାଶି ଦିଆଯିବ ବୋଲି ଘୋଷଣା କରାଯାଇଛି ।

ସୂଚନାଯୋଗ୍ୟ ଯେ, ନୂଆଦିଲ୍ଲୀ ରେଳ ଘଟିଥିବା ଦଳାଚକଟାରେ ୯ ଜଣ ମହିଳା, ୪ ଜଣ ପୁରୁଷ ଓ ୫ ଜଣ ଶିଶୁ ରହିଛନ୍ତି । ମୃତକଙ୍କ ମଧ୍ୟରେ ବିହାରର ସର୍ବାଧିକ ୯ ଜଣ, ଦିଲ୍ଲୀର ୮ ଜଣ ଓ ହରିୟାଣାର ଜଣେ ରହିଥିଲେ। ରାତି ପାଖାପାଖି ୧୦ଟା ସମୟରେ ୧୩ ଓ ୧୪ ନମ୍ବର ପ୍ଲାଟଫର୍ମରେ ଏହି ଘଟଣା ଘଟିଥିଲା । ପ୍ରୟାଗରାଜ ମହାକୁମ୍ଭ ଯିବାକୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଏକତ୍ର ହୋଇଥିବା ବେଳେ ଏହି ଘଟଣା ଘଟିଥିଲା । ଟ୍ରେନରେ ଚଢ଼ିବାକୁ ଲୋକମାନେ ପ୍ରୟାସ କରୁଥିବା ବେଳେ ଅନେକ ମୃତାହତ ହୋଇଥିଲେ । ତେବେ ସବୁଠାର ବଡ଼ ପ୍ରଶ୍ନ ହେଉଛି ଅଚାନକ ଏତେବଡ଼ ଅଘଟଣ ଘଟିଲା କାହିଁକି? ସବୁ ପ୍ଲାଟଫର୍ମରେ ବହୁତ ଭିଡ଼ ଥିଲା । ମାତ୍ର ପ୍ଲାଟଫର୍ମ ନମ୍ବର ୧୨, ୧୩, ୧୪ ଓ ୧୫ରେ ଅତ୍ୟଧିକ ଭିଡ଼ ଥିଲା । ରେଲଓ୍ବେ ତରଫରୁ ଟ୍ରେନ ରହିବାକୁ ନେଇ ବାରମ୍ବାର ପ୍ଲାଟଫର୍ମ ନମ୍ବର ବଦଳିବାର ଘୋଷଣା କରାଯାଇଥିଲା । ଏହାକୁ ନେଇ ପ୍ଲାଟଫର୍ମରେ ଚଳାଚକଟା ହୋଇଥିଲା ବୋଲି ଦେଖଣାହାରୀ କହିଥିଲେ ।

ନଜର ପକାନ୍ତୁ