ଚାଷୀଙ୍କୁ ଭୁଆଁ ବୁଲାଉଛନ୍ତି ସରକାର, ଏମଏସପିକୁ ମିଳିଲାନି ଆଇନଗତ ମାନ୍ୟତା
1 min read![](https://nandighoshatv.com/wp-content/uploads/2025/02/farmers-1024x576.jpg)
ଭୁବନେଶ୍ବର: ଚାଷୀଙ୍କୁ ଭୁଆଁ ବୁଲାଉଛନ୍ତି କେନ୍ଦ୍ର ସରକାର । ସଂଯୁକ୍ତ କିଷାନ ମୋର୍ଚ୍ଚା ଆନ୍ଦୋଳନକୁ ବର୍ଷେ ପୂରିଲା । ୭୮ ଦିନରେ ପହଞ୍ଚିଲାଣି ଆବାହକ ଜଗଜିତ ସିଂ ଦଲେଓ୍ବାଲଙ୍କ ଆମରଣ ଅନଶନ । ହେଲେ ଏ ପର୍ଯ୍ୟନ୍ତ ସରକାର ଏମ୍ଏସପିକୁ ଆଇନଗତ ମାନ୍ୟତା ଦେଲେ ନାହିଁ କି ଚାଷୀଙ୍କ ଋଣ ଛାଡ଼ ନେଇ ନିଷ୍ପତ୍ତି ନେଲେନାହିଁ । ଆସନ୍ତାକାଲି ଚଣ୍ଡିଗଡ଼ରେ ଚାଷୀ ସଂଗଠନ ସହ କେନ୍ଦ୍ର ସରକାରଙ୍କ ଆଲୋଚନା ହେବ । ଆଲୋଚନା ବିଫଳ ହେଲେ ଆଗକୁ ଚାଷୀ ଆନ୍ଦୋଳନ ଜୋରଦାର ହେବ । ସେପଟେ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଥାଇ ବି ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛନ୍ତି । ଅଥଚ ଖାଉଟି ରାଜ୍ୟରେ ମହଙ୍ଗା ଦରରେ ଜିନିଷ କିଣୁଛନ୍ତି । ନିର୍ବାଚନ ନଥିବାରୁ ଚାଷୀଙ୍କ ଜୀବନ ସହିତ ସରକାର ଏପରି ଖେଳ ଖେଳୁଛନ୍ତି ବୋଲି ବିଭିନ୍ନ ଚାଷୀ ସଂଗଠନ ଅଭିଯୋଗ କରିଛନ୍ତି ।
ଦ୍ବିତୀୟ ଚାଷୀ ଆନ୍ଦୋଳନକୁ ବର୍ଷେ ପୂରିଲା । ହେଲେ ଏମ୍ଏସପିକୁ ମିଳିଲାନି ଆଇନଗତ ମାନ୍ୟତା । କୃଷି ସଂକ୍ରାନ୍ତ ସଂସଦୀୟ ସ୍ଥାୟୀ କମିଟି ସୁପାରିସ ପରେ ବି କେନ୍ଦ୍ର ନିରବ । ଆସନ୍ତାକାଲି ଚଣ୍ଡିଗଡ଼ରେ ଚାଷୀ ସଂଗଠନ ସହ କେନ୍ଦ୍ର ସରକାରଙ୍କ ଆଲୋଚନା ବିଫଳ ହେଲେ ଦୁର୍ବାର ହେବ ଚାଷୀ ଆନ୍ଦୋଳନ । ଖନୌରୀରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଜାତୀୟ ଆବାହକ ତଥା ବିଶିଷ୍ଟ ଚାଷୀ ନେତା ଜଗଜିତ ସିଂ ଦଲେଓ୍ବାଲଙ୍କ ଆମରଣ ଅନଶନକୁ ୭୮ ଦିନ ପୂରିବା ପରେ କେନ୍ଦ୍ର ବିରୋଧରେ ଏପରି ନିଆଁ ଉଗାରିଲେଣି ଚାଷୀ ନେତା । ତଥାପି ସରକାର ସମୟ ଗଡ଼ାଇ ଚାଲିଛନ୍ତି ।
ଗତବର୍ଷ ଫେବୃଆରୀ ୧୩ ତାରିଖରୁ ଖନୌରୀ ସୀମାରେ ଚାଷୀ ଆନ୍ଦୋଳନରେ ବସିଛନ୍ତି । ସେମାନଙ୍କ ଏକତା ଭଙ୍ଗ କରିବା ପାଇଁ ବହୁ ଚେଷ୍ଟା କରି ବିଫଳ ହୋଇଛନ୍ତି ସରକାର । ଦାବି ରହିଛି, ଏମଏସପି ସହିତ ଚାଷୀଙ୍କୁ ଋଣ ଛାଡ଼ କରାଯାଉ । ୨୦୨୦-୨୧ ପ୍ରଥମ ଚାଷୀ ଆନ୍ଦୋଳନରେ ସାମିଲ ଚାଷୀଙ୍କ ବିରୋଧରେ ଥିବା ମାମଲାକୁ ଉଠାଇ ଦିଆଯାଉ । ଚାଷୀ ସଂଗଠନ ନେତାଙ୍କ ଅଭିଯୋଗ ଏବର କେନ୍ଦ୍ର ସରକାର କେବେ ବି ଚାଷୀଙ୍କ ପ୍ରତି ଦରଦ ଦେଖାଇନାହାନ୍ତି । କେବଳ କର୍ପୋରେଟ ସ୍ବାର୍ଥରେ ଏ ସରକାର । ନିର୍ବାଚନ ଆସିଲେ ପୁଣି ଚାଷୀଙ୍କ ଦରଦ ଦେଖାଯିବ ।
ଚାଷୀ ଓ ଖାଉଟିଙ୍କ ସ୍ବାର୍ଥ ଜଗିବାରେ ବିଫଳ ହୋଇଛନ୍ତି ଏବର ଡବଲ ଇଞ୍ଜିନ ସରକାର । ଓଡ଼ିଶାରେ ମୁଦ୍ରାସ୍ଫୀତି ଜାତୀୟ ହାରଠାରୁ ଅଧିକ । ବିଶେଷଜ୍ଞଙ୍କ କହିବା କଥା, ଗୋଟିଏ ରାଜ୍ୟ କେବେ ବି ସବୁ ପ୍ରକାର ଫସଲ ଉତ୍ପାଦନରେ ସ୍ବାବଲମ୍ବୀ ହୋଇପାରିବନି । ଖାଉଟି ଓ ଚାଷୀଙ୍କ ସ୍ବାର୍ଥ ରକ୍ଷା ପାଇଁ ରାଜ୍ୟ ସରକାର ଯୋଗାଣ ଶୃଙ୍ଖଳ ପ୍ରତି ଆଦୌ ଦୃଷ୍ଟି ଦେଉନାହାନ୍ତି । ଯାହା ଫଳରେ ରାଜ୍ୟର ଏବେ ଟମାଟୋ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛନ୍ତି । ଚାଷୀ ଋଣ କରି ଏକର ଏକର ଜମିରେ ପନିପରିବା ଚାଷ କରୁଥିବାବେଳେ ଖାଉଟି ବଜାରରୁ ଚଢ଼ା ଦରରେ କିଣୁଛନ୍ତି । ରାଜ୍ୟରେ ବିଜେପି ସରକାର ଗଠନ ହେବାର ୮ ମାସ ବିତିଲାଣି ହେଲେ ଧାନମଣ୍ଡିରେ ସୁରୁଖୁରୁରେ ଧାନ ଉଠିପାରୁନି । ଯୋଗାଣ ବିଭାଗ ସମ୍ପୂର୍ଣ୍ଣ ବିଫଳ ବୋଲି ବିଶେଷଜ୍ଞ ମତ ରଖିଛନ୍ତି ।
ଚାଷୀଙ୍କ ସ୍ବାର୍ଥକୁ ଜଗିବାରେ ଏବର ସରକାରଙ୍କ ଟାଳଟୁଳ ନୀତି ନେଇ ତାତିଲେଣି ଚାଷୀ । ଯଦି ଆସନ୍ତାକାଲି ଚଣ୍ଡିଗଡ଼ ବୈଠକ ବିଫଳ ହେବ ତା’ହେଲେ ଆସନ୍ତା ୨୫ ତାରିଖରେ ଚାଷୀ ସଂଗଠନ ଦିଲ୍ଲୀ ଚଲୋ ଅଭିଯାନକୁ ଜୋରଦାର କରିବ ବୋଲି ଜଣାପଡ଼ିଛି ।