ଇତିହାସରେ ପ୍ରଥମ ଥର ଲାଗି ରାଷ୍ଟ୍ରପତି ଭବନରେ ଆଜି ହେବ ଏକ ସ୍ବତନ୍ତ୍ର ବିବାହ ଉତ୍ସବ
1 min read![](https://nandighoshatv.com/wp-content/uploads/2025/02/jପ୍େନୱମେପୱ୍ମ.jpg)
ନୂଆଦିଲ୍ଲୀ: ନୂଆ ଇତିହାସ ରଚିବ ରାଷ୍ଟ୍ରପତି ଭବନ। ଇତିହାସରେ ପ୍ରଥମ ଥର ଲାଗି ରାଷ୍ଟ୍ରପତି ଭବନରେ ଆୟୋଜିତ ହେବ ଏକ ସ୍ବତନ୍ତ୍ର ବିବାହ ଉତ୍ସବ। ରାଷ୍ଟ୍ରପତି ଭବନସ୍ଥିତ ମଦର ଟେରେସା କ୍ରାଉନ କମ୍ପ୍ଲେକ୍ସରେ ଏକ ସିଆରପିଏଫ ଦମ୍ପତିଙ୍କ ବିବାହ ଉତ୍ସବ ସମ୍ପନ୍ନ ହେବ। ଭାରତୀୟ ରାଜନୀତି ଓ ସାଂସ୍କୃତିକ ଇତିହାସର ଅନେକ ସ୍ମାରକୀ ବହନ କରୁଥିବା ରାଷ୍ଟ୍ରପତି ଭବନରେ ଏହି ବିବାହ ଉତ୍ସବକୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି । ଇତିହାସରେ ପ୍ରଥମ ଥର ଲାଗି ବି ଜଣେ ରାଷ୍ଟ୍ରପତି ଏହି ଭବନ ଭିତରେ ଏକ ବିବାହ ଉତ୍ସବର ଆୟୋଜନ କରିଛନ୍ତି । ୭୪ତମ ସାଧାରଣତନ୍ତ୍ର ଦିବସ ପରେଡରେ ସିଆରପିଏଫର ଅଲ-ଓମେନ କଣ୍ଟିଜେଣ୍ଟର ନେତୃତ୍ବ ନେଇଥିବା ସିଆରପିଏଫ ଅଫିସର ପୁନମ ଗୁପ୍ତାଙ୍କ ସହ ସିଆରପିଏଫ ଅଫିସର ଅବିନାଶ କୁମାରଙ୍କ ବିବାହ ସମ୍ପନ୍ନ ହେବ ।
ସିଆରପିଏଫର ପର୍ସନାଲ ସିକ୍ଯୁରିଟି ଅଫିସର ହେଉଛନ୍ତି ପୁନମ ଗୁପ୍ତା । ସେହିପରି ଅବିନାଶ କୁମାର ହେଉଛନ୍ତି ସିଆରପିଏଫର ଆସିଷ୍ଟାଣ୍ଟ କମିଶନର । ସେ ବର୍ତ୍ତମାନ ଜାମ୍ମୁ ଓ କାଶ୍ମୀରରେ କାର୍ଯ୍ୟରତ ଅଛନ୍ତି । ରାଷ୍ଟ୍ରପତି ଭବନରେ ବିବାହ କରିବା କ୍ଷେତ୍ରରେ ପୁନମ ହେବେ ପ୍ରଥମ ଅଧିକାରୀ । ପୁନମ ଗୁପ୍ତାଙ୍କ ତ୍ଯାଗ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅଭିଭୂତ କରିଥିଲା । ଫଳରେ ପୁନମଙ୍କ ବିବାହ ରାଷ୍ଟ୍ରପତି ଭବନରେ କରିବା ଲାଗି ସେ ପ୍ରସ୍ତାବ ଦେଇଥିଲେ । ରାଷ୍ଟ୍ରପତିଙ୍କ ସମ୍ମତି ପରେ ଏହି ବିବାହ ଉତ୍ସବ ମଦର ଟେରେସା କ୍ରାଉନ କମ୍ପ୍ଲେକ୍ସରେ ଅନୁଷ୍ଠିତ ହେବ । ଚାରି ମହଲା ବିଶିଷ୍ଟ ରାଷ୍ଟ୍ରପତି ଭବନରେ ୩୪୦ଟି କୋଠରୀ ରହିଛି । ଏହି ସମସ୍ତ ରୁମର ସାଇଜ ଅଲଗା ଅଲଗା । ରାଷ୍ଟ୍ରପତି ଭବନରେ ଅନେକ ଚାମ୍ବର, ଆଣ୍ଟେରୁମ, କରିଡର, ଗ୍ଯାଲେରୀ, କୋର୍ଟ, ସାଲୁନ, ଥିଏଟର, କିଚେନ, ପାଣ୍ଟ୍ରି, ପ୍ରିଣ୍ଟିଂ ପ୍ରେସ ଆଦି ରହିଛି । ରାଷ୍ଟ୍ରପତି ଭବନରେ ଫ୍ଲୋର ଏରିଆ ପ୍ରାୟ ୨ ଲକ୍ଷ ବର୍ଗ ଫୁଟ ।