ଆଜି ଚଣ୍ଡୀଗଡ଼ରେ ବସିବ ସଂଯୁକ୍ତ କିଷାନ ମୋର୍ଚ୍ଚାର ବୈଠକ, ଆସନ୍ତା ୧୪ରେ ଆନ୍ଦୋଳନରତ କୃଷକଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସରକାର
1 min read![](https://nandighoshatv.com/wp-content/uploads/2025/02/dscjsdhc.jpg)
ନୂଆଦିଲ୍ଲୀ:: ଆସନ୍ତା ୧୪ରେ ଚଣ୍ଡୀଗଡ଼଼ରେ ଆନ୍ଦୋଳନରତ କୃଷକଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସରକାର । ପୂର୍ବରୁ କେନ୍ଦ୍ର କୃଷି ମନ୍ତ୍ରାଳୟର ଯୁଗ୍ମସଚିବ ପ୍ରିୟ ରଞ୍ଜନଙ୍କ ନେତୃତ୍ବରେ ଏକ ଟିମ୍ ଆନ୍ଦୋଳନରତ ଚାଷୀନେତା ଜଗଜିତ ସିଂ ଦାଲେଓ୍ବାଲ ଓ ଏସକେଏମ ଓ କେଏମଏମ ପ୍ରତିନିଧିଙ୍କୁ ଭେଟିଥିଲେ । ସେପଟେ ଆଜି ଚଣ୍ଡୀଗଡ଼ରେ ବସିବ ସଂଯୁକ୍ତ କିଷାନ ମୋର୍ଚ୍ଚାର ବୈଠକ । ଏହି ବୈଠକରେ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯିବ । ତେଣେ ୩୨ଟି କୃଷକ ସଂଗଠନର ମଞ୍ଚ ସାଜିଥିବା ସଂଯୁକ୍ତ କିଷାନ ମୋର୍ଚ୍ଚାକୁ ସମର୍ଥନ କରିଛି କିଷାନ ମଜଦୂର ମୋର୍ଚ୍ଚା ବା କେଏମଏମ । ୧୨ ଦଫା ଦାବିରେ ଆନ୍ଦୋଳନ ଚାଲିଥିବାବେଳେ ଏହି ଦାବି ମଧ୍ଯରେ ପ୍ରମୁଖ ଦାବି ରହିଛି କୃଷିଜାତ ସାମଗ୍ରୀର ମାର୍କେଟିଂ ସଂକ୍ରାନ୍ତ ଜାତୀୟ ନୀତି ଫ୍ରେମଓ୍ବାର୍କ- ବା NPAFMର ପ୍ରତ୍ୟାହାର ।
କେଏମଏମ ନେତା ଶର୍ବଣ ସିଂ ପାନ୍ଧେର କହିଛନ୍ତି, ସଂଯୁକ୍ତି ମୋର୍ଚ୍ଚାର ସମସ୍ତ ଦାବିକୁ କେଏମଏମ ସମର୍ଥନ କରୁଛି । ଗତବର୍ଷ ଫେବୃଆରୀ ୧୨ରୁ ଏମଏସପିର ଆଇନଗତ ଗ୍ୟାରେଣ୍ଟି ସମେତ ବିଭିନ୍ନ ଦାବି ନେଇ ଶମ୍ଭୁ ଓ ଖାନାଉରୀ ସୀମାରେ ଆନ୍ଦୋଳନ କରିଆସୁଛନ୍ତି କେଏମଏମ ଓ ଏସକେଏମ । ତେଣେ ୧୪ ତାରିଖରେ ହେବାକୁ ଥିବା ଆଲୋଚନା ଯଦି ବିଫଳ ହୁଏ ତେବେ ଆସନ୍ତା ୨୫ରେ ୧୦୧ଜଣ ଚାଷୀ ହରିୟାଣା ସୀମା ପାର୍ ହେବା ଲାଗି ଉଦ୍ୟମ କରିବେ । ଗତବର୍ଷ ଫେବୃଆରୀ ୮, ୧୨, ୧୫, ୧୮ରେ ଚାରିଥର କେନ୍ଦ୍ର ସରକାର ଓ ଚାଷୀ ସଂଗଠନ ସହ ଆଲୋଚନା ହୋଇଥିବା ସତ୍ତ୍ବେ ସମାଧାନର ପନ୍ଥା ବାହାରିପାରି ନଥିଲା ।