ମରଣାଯନ୍ତା ପାଲଟିଛି ପକ୍କା ରାସ୍ତା, ନିର୍ମାଣକୁ ବର୍ଷେ ନପୁରୁଣୁ ରାସ୍ତା ଫାଟି ଆଁ
ସୋନପୁର : ନିମ୍ନମାନର କାମ ପାଇଁ ନିର୍ମାଣକୁ ବର୍ଷେ ନପୁରୁଣୁ ରାସ୍ତାର ଏପରି ଅବସ୍ଥା ହୋଇଗଲାଣି । ରାସ୍ତା ଫାଟି ଗାତ ସୃଷ୍ଟି ହୋଇଛି । ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଡାହିମାଲ ଗାଁରେ କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ପୋଲ ସହିତ ପକ୍କା ରାସ୍ତା ନିର୍ମାଣ ହୋଇଥିଲା । ତେବେ ନିମ୍ନ ମାନର କାମ ପାଇଁ ପୋଲକୁ ସଂଯୋଗ ଆପ୍ରୋଚ ରୋଡ୍ ଦବି ଯାଇଥିବା ବେଳେ ରାସ୍ତାରେ ଖାଲଖମା ସୃଷ୍ଟି ହୋଇଛି । ପ୍ରାୟ ୭ ମାସ ତଳେ ଗତ ବର୍ଷାଦିନ ପୂର୍ବରୁ ତରଭା ବ୍ଲକ ଡାହିମାଲ ଗାଁରେ ନିର୍ମାଣ ହୋଇଥିଲା ରାସ୍ତା । ରାସ୍ତାରେ ହୋଇଥିବା ଫାଟ ଏବଂ ଖାଲ ଖମା ଯୋଗୁଁ ପ୍ରତ୍ୟେହ ଛୋଟ ବଡ଼ ଦୁର୍ଘଟଣା ଘଟୁଛି । ଅଞ୍ଚଳବାସୀଙ୍କ ବାରମ୍ବାର ଅଭିଯୋଗ ପରେ ମଧ୍ୟ ଜାଣି ଅଜଣା ପରି ଜିଲ୍ଲାପ୍ରଶାସନ ରହୁଥିବା ଅଭିଯୋଗ ହୋଇଛି ।
ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଦୀର୍ଘଦିନର ଦାବି ପରେ ପ୍ରାୟ ୭ ମାସ ତଳେ ନିର୍ମାଣ ହୋଇଥିଲା ଏହି ପୋଲ । ଗମନା ଗମନର ସୁବିଧା ଏବଂ ଡାହିମାଲ ଗାଁକୁ ଜିଲ୍ଲା ମୁଖ୍ୟାଳୟ ସହ ଯୋଡ଼ିବାକୁ ଏ ହେଉଛି ଏକ ମାତ୍ର ରାସ୍ତା । ଦୀର୍ଘ ଦିନର ଦାବି ପରେ ସ୍ଵପ୍ନ ସାକାର ହେଲା ସତ, କିନ୍ତୁ ମାତ୍ର ଦିନ କେଇଟା ପରେ ନବ ନିର୍ମିତ ରାସ୍ତାରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଛି । ଯେଉଁଥି ପାଇଁ ଲୋକଙ୍କ ସମସ୍ୟା ଆହୁରି ବଢ଼ିଯାଇଛି । ବିଭାଗୀୟ କର୍ତ୍ତୃପକ୍ଷ ଏବଂ ଠିକାଦାରଙ୍କ ମଧୁଚନ୍ଦ୍ରିକା ପାଇଁ ଅତି ନିମ୍ନ ମାନର କାମ ଯୋଗୁଁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଅପର ପକ୍ଷରେ ଏ ସମ୍ପର୍କରେ କ୍ୟାମେରା ସାମ୍ନାରେ ମୁହାଁ ଖୋଲବାକୁ ନାରାଜ ବିଭାଗୀୟ ଅଧିକାରୀ କି ଜିଲ୍ଲାପାଳ । ଗମନାଗମନର ସୁବିଧା ପାଇଁ ରାଜକୋଶରୁ କୋଟି କୋଟି ଖର୍ଚ୍ଚରେ ରାସ୍ତା ନିର୍ମାଣ ହେଉଛି । ପ୍ରଶାସନ ବିଭାଗୀୟ ଅଧିକାରୀଙ୍କ ଅଣଦେଖା ପାଇଁ ସେହି ଅର୍ଥର ସଠିକ ବିନିଯୋଗ ହୋଇପାରୁନାହିଁ ।