ଏକାଧିକ ଆଶାୟୀ ଥିବାରୁ ଛିଣ୍ଡୁନି ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ଅଙ୍କ
![](https://nandighoshatv.com/wp-content/uploads/2025/02/puri-1024x576.jpg)
ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ନେଇ ଛିଣ୍ଡୁନି ଅଙ୍କ । ବିନା କମିଟି ଗଠନରେ ମାସ ମାସ ଥରି ଚାଲିଛି କାମ । ଫଳରେ ଶ୍ରୀମନ୍ଦିରକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅଟକି ରହିଥିବାବେଳେ କେବେ ନୂତନ କମିଟି ଗଠନ ହେବ ସେ ନେଇ ସବୁ ମହଲରେ ଚର୍ଚ୍ଚା ଜୋର ଧରିଛି । ଅନ୍ୟପକ୍ଷରେ କମିଟି ଗଠନକୁ ନେଇ ଏକ ମାମଲା ଉଚ୍ଚ ନ୍ୟାୟାଳୟରେ ଥିବାରୁ ଏଥିରେ ବିଳମ୍ବ ହେଉଥିବା କୁହାଯାଇଛି । ମାମଲାର ସମାଧାନ ପରେ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।
ଗତବର୍ଷ ରଥଯାତ୍ରା ପରେ ଅଗଷ୍ଟ ମାସରେ ଶେଷ ଥର ପାଇଁ ବସିଥିଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଏହାପରେ ନୂତନ ପରିଚାଳନା କମିଟି ବୈଠକ ଗଠନ ହେବା କଥା । ମାତ୍ର ମାସ ମାସ ବିତି ଯାଇଥିଲେ ବି ବାହାରୁନି ନିଷ୍କର୍ସ । ନୂଆ ସରକାର ଆସିବା ପରେ କମିଟିରେ ସଦସ୍ଯ ପଦବୀକୁ ନେଇ ବହୁ ଆଶାୟୀ ଥିବାରୁ ଅଙ୍କ ଛିଡୁ ନଥିବା ବୁଦ୍ଧିଜୀବୀ ମତ ଦେଇଛନ୍ତି । ଫଳରେ ଶ୍ରୀମନ୍ଦିରର ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଅଟକି ରହିଥିବାବେଳେ ବହୁ ଲୋକଙ୍କ ଜମିଜମା ସଂକ୍ରାନ୍ତିୟ ସମସ୍ୟା ମଧ୍ୟ ସମାଧାନ ହେଇପାରୁ ନାହିଁ ।
ଶ୍ରୀମନ୍ଦିର ନୀତିକାନ୍ତି ନେଇ ଯଦିଓ ଛାତିଶା ନିଯୋଗ ବୈଠକରେ ପାରିତ ହେଉଛି କିନ୍ତୁ ଅନେକ ପ୍ରଶାସନିକ ନିଷ୍ପତ୍ତି ନେବା ସମ୍ଭବ ପର ହୋଇପାରୁନାହିଁ । ସେପଟେ ଏନେଇ ଏକ ମାମଲା ଉଚ୍ଚ ନ୍ୟାୟାଳୟରେ ରହିଥିବାରୁ କମିଟି ଗଠନରେ ବିଳମ୍ବ ଘଟିଥିବା କୁହାଯାଇଛି । ତେବେ ମାମଲାର ସମାଧାନ ପରେ ଖୁବଶୀଘ୍ର ପଦକ୍ଷେପ ନିଆଯାଇ କମିଟି ଗଠନ ହେବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ପରିଚାଳନା କମିଟି ଗଠନରେ ବିଳମ୍ବ ଯୋଗୁଁ ବିଶେଷକରି ଶ୍ରୀମନ୍ଦିର ନାଟମଣ୍ଡପରେ ନୂତନ ଧାଡି ଦର୍ଶନ ବ୍ୟବସ୍ଥା ଗ୍ରହଣ କରିବାରେ ବିଳମ୍ବ ହେଉଛି ।