ଭାରତୀୟ ଯୁବତୀଙ୍କୁ ବିବାହ କଲେ ଲଣ୍ଡନ ବର
![](https://nandighoshatv.com/wp-content/uploads/2025/02/balasore-1024x576.jpg)
ବାଲେଶ୍ବର: ପ୍ରେମ ମାନେ ନାହିଁ ଦୂର କି ନିକଟ । ଦରିଆ ସେପାରି ଲଣ୍ଡନର ଲୁକ୍ ଡେ ବାଲେଶ୍ବରର ଝିଅ ନତାଶାଙ୍କୁ ହିନ୍ଦୁ ରିତୀନିତୀ ଅନୁସାରେ ବିବାହ କରି ତାହା ପ୍ରମାଣ କରିଛନ୍ତି । ଲୁକଙ୍କ ବାପା ଭାରତୀୟ ହୋଇ ମଧ୍ୟ ଲଣ୍ଡନର ଝିଅକୁ ପ୍ରେମ ବିବାହ କରିଥିଲେ । ଆଉ ଆଜି ଲୁକ୍ ଲଣ୍ଡନର ନାଗରିକ ହୋଇଥିଲେ ମଧ୍ୟ ଭାରତୀୟ ଝିଅ ନତାଶାଙ୍କୁ ବିବାହ କରି ଉଦାହରଣ ସୃଷ୍ଟି କରିଛନ୍ତି ।
ବାଲେଶ୍ବର ସହର ଶୋଭାରମପୁର ଗାଁ । ବାଜୁଛି ସାହାନାଇ ସାଙ୍ଗକୁ ଯୋଡ଼ି ନାଗରା । ବ୍ଯାଣ୍ଡପାର୍ଟି ବାଜାରେ କମ୍ପି ଉଠୁଛି ଗାଁ ଦାଣ୍ଡ । ବରଯାତ୍ରୀମାନେ ବାଜାର ତାଳେ ତାଳେ ଝୁମି ଝୁମି ନାଚିବାରେ ଲାଗିଛନ୍ତି । ଏ ହେଉଛି ଲଣ୍ଡନର ବର ଲୁକ୍ ଡେ ଓ ଶୋଭାରମପୁରର ଝିଅ ନତାଶାଙ୍କ ବାହାଘରର ଦୃଶ୍ୟ । ଥାଟ ପାଟରେ ହିନ୍ଦୁ ରୀତିନୀତି ଅନୁସାରେ ଲୁକ୍ ବରଯାତ୍ରୀଙ୍କୁ ଧରି ଶୋଭାଯାତ୍ରାରେ ପହଞ୍ଚିଥିଲେ ନତାଶାଙ୍କ ଘର ଆଗରେ । ଆଉ ପରମ୍ପରା ଅନୁସାରେ ବରକୁ ବନ୍ଦାପନା କରି ସ୍ବାଗତ କରିଥିଲେ ନତାଶାଙ୍କ ବାପା । ତା’ପରେ ହାତଗଣ୍ଠି ପଡ଼ିବା, ଖଇ ପୋଡ଼ିବା, କନ୍ୟା ମୁଣ୍ଡରେ ସିନ୍ଦୁର ଦେଇ ସ୍ତ୍ରୀ ରୂପରେ ସ୍ବିକାର କରିବା ଭଳି ସମସ୍ତ ହିନ୍ଦୁ ରୀତିନୀତି ପାଳନ କରାଯାଇଛି ଏହି ବାହା ଘରରେ । ଲଣ୍ଡନର ବର ଲୁକ୍ ଏହି ଭାରତୀୟ ବିବାହ ପରମ୍ପରା ଆଉ ସଂସ୍କୃତିକୁ ଦେଖି ବେଶ ଖୁସି ପ୍ରକଟ କରିଛନ୍ତି ।
ଲୁକଙ୍କ ବାପା ଆନ୍ଥୋନୀ ଡେ ଥିଲେ ଜଣେ ଭାରତୀୟ । ସେ ଗୋଆର ବାସିନ୍ଦା ଥିଲେ । ଆନ୍ଥୋନୀ ଲଣ୍ଡନରେ ଚାକିରି କରିବା ସମୟରେ ଲଣ୍ଡନର ଝିଅ ଜେରାଲଡ଼ାଇନଙ୍କୁ ପ୍ରେମ ବିବାହ କରି ସେଠାକାର ନାଗରିକତ୍ବ ଗ୍ରହଣ କରିଥିଲେ । ଲୁକ୍ ଲଣ୍ଡନରେ ଜନ୍ମ ହୋଇଥିଲେ ମଧ୍ୟ ତାଙ୍କର ଭାରତୀୟଙ୍କ ପ୍ରତି ଦୁର୍ବଳତା ରହିଥିଲା । ସେ ଏକ ଟେଲିକମ୍ କମ୍ପାନୀର ନିର୍ଦ୍ଦେଶକ ଭାବେ କାମ କରୁଥିବା ସମୟରେ ବାଲେଶ୍ବର ଶୋଭାରମପୁରର ଝିଅ ନତାଶାଙ୍କ ସହିତ ପ୍ରେମ ସମ୍ପର୍କ ହୋଇଥିଲା । ନତାଶା ଲଣ୍ଡନରେ ଏକ ହୋଟେଲରେ ମ୍ୟାନେଜର ଭାବେ ନିଯୁକ୍ତି ପାଇଥିଲେ । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆଜି ବିବାହ ବନ୍ଧନରେ ବାନ୍ଧି ଦେଇଛି । ତେବେ ଭିନ୍ନ ଏହି ବାହାଘର ଏବେ ବାଲେଶ୍ବରରେ ଚର୍ଚ୍ଚାର ବିଷୟ ପାଲଟିଛି ।