ପୋଲିସ ବେକରୁ ସୁନା ଚେନ ଝାମ୍ପି ନେଲେ ଲୁଟେରା

ଭଦ୍ରକ: ମାତିଛନ୍ତି ଲଟେରା । ପୋଲିସକୁ ବି ଛାଡୁନାହାନ୍ତି । ଭଦ୍ରକ ପରିବା ମାର୍କେଟରେ ପୋଲିସ ବେକରୁ ସୁନା ଚେନ୍ ଝାମ୍ପି ନେଲେ ଦୁଇ ଲୁଟେରା । ବାଇକରେ ଆସି ଲୁଟ କରି ଫେରାର ହେଉଥିବା ବେଳେ ଜଣଙ୍କୁ ମାଡି ବସିଲେ ସ୍ଥାନୀୟ ଲୋକେ ।

ସୂଚନା ଅନୁସାରେ, ମୋନାଲିସା କର ବର୍ତ୍ତମାନ ଏସପିଙ୍କ କାର୍ଯ୍ୟାଳୟରେ ସ୍ପେଶାଲ ରିପୋର୍ଟ ସେକ୍ସନରେ କାର୍ଯ୍ୟ କରୁଛନ୍ତି । ଭଦ୍ରକ ପରିବା ମାର୍କେଟରେ ଆଜି ପରିବା କିଣୁଥିବା ବେଳେ ଦୁଇ ଜଣ ଲୁଟେରା ବାଇକରେ ଆସି ସୁନା ଚେନ ଝାମ୍ପି ଚମ୍ପଟ ମାରିଥିଲେ । ୨ ଲୁଟେରାଙ୍କ ମଧ୍ୟରୁ ଜଣଙ୍କୁ କାବୁ କରିଛନ୍ତି ସ୍ଥାନୀୟବାସିନ୍ଦା । ଲୁଟରେ ବ୍ୟବହାର ଗାଡିକୁ ମଧ୍ୟ ସ୍ଥାନୀୟ ଲୋକେ କାବୁ କରିବା ସହିତ ପୋଲିସର ଜିମା ଦେଇଛନ୍ତି ।

ଅନ୍ୟପଟେ ଲୁଟ ଗାଡିର ନମ୍ବର ପ୍ଲେଟ ଛତିଶଗଡ଼ର ହୋଇଥିବା ବେଳେ ପୋଲିସ ଗାଡିକୁ ଜବତ କରିବା ସହିତ ଲୁଟେରାକୁ ପଚାରାଉଚରା ଜାରି ରଖିଛି । ଲୁଟ ଘଟଣାକୁ ନେଇ ସ୍ପେଶଲ୍ ବ୍ରାଞ୍ଚର ଅତିରିକ୍ତ ଏସପି ଅଂଶୁମାନ ଦ୍ବିବେଦୀ କହିଛନ୍ତି, ଗିରଫ ଅଭିଯୁକ୍ତ ଇରାନି ଗ୍ୟାଙ୍ଗର । ଏହି ଗ୍ୟାଙ୍ଗ ଏକାଧିକ ଲୁଟରେ ସାମିଲ ଅଛି ।