ମହାରାଷ୍ଟ୍ର ବ୍ୟାପୁଛି ବିରଳ ସ୍ନାୟୁଜନିତ ରୋଗ, ୧୬୩ ଆକ୍ରାନ୍ତ ଚିହ୍ନଟ

ନନ୍ଦିଘୋଷ ବ୍ୟୁରୋ :  ମହାରାଷ୍ଟ୍ରରେ ବ୍ୟାପୁଛି ବିରଳ ସ୍ନାୟୁଜନିତ ରୋଗ । ଗୁଲେନ ବେରେ ସିଣ୍ଡ୍ରୋମ ନାମକ ଏହି ରୋଗରେ ଆକ୍ରାନ୍ତଙ୍କ ସଂଖ୍ଯାପହଞ୍ଚିଛି ୧୬୩ରେ । ସେପଟେ ମହାରାଷ୍ଟ୍ର ସ୍ଥିତି ନେଇ ସମୀକ୍ଷା କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ଯମନ୍ତ୍ରୀ ଜେ.ପି. ନଡ୍ଡା। ସୋମବାର ଏହି ରୋଗରେ ଆଉ ୫ ଜଣ ଚିହ୍ନଟ ହୋଇଥିଲେ । ବର୍ତ୍ତମାନ ସୁଦ୍ଧା ଏହି ରୋଗରେ ପ୍ରାଣ ହରାଇଲେଣି ୫ ଜଣ । କେବଳ ପୁଣେରେ ଏହି ରୋଗରେ ୪ ଜଣ ପ୍ରାଣ ହରାଇଲେଣି । ପୁଣେରେ ଏହି ସିଣ୍ଡ୍ରୋମରେ ୩୨ ଜଣ ଆକ୍ରାନ୍ତ ହୋଇଥିବାବେଳେ ପୁଣେ ମହାନଗର ନିଗମ ଅଞ୍ଚଳରେ ୮୬ ଜଣ ଏହି ରୋଗରେ ପୀଡ଼ିତ ହୋଇଛନ୍ତି ।

ଏହା ସହ ପିମ୍ପରି ଚିଞ୍ଚବଡ଼ରେ ୧୮ ଜଣ, ପୁଣେ ଗ୍ରାମାଞ୍ଚଳରେ ୧୯ ଜଣ, ଅନ୍ଯାନ୍ୟ ଜିଲ୍ଲାରେ ୮ ଜଣ ଆକ୍ରାନ୍ତ ହୋଇଛନ୍ତି । ୨୧ ଜଣ ରୋଗୀ ବର୍ତ୍ତମାନ ଭେଣ୍ଟିଲେଟର ସପୋର୍ଟରେ ରହିଛନ୍ତି । ବିଭିନ୍ନ ସ୍ଥାନରୁ ପାଣି ସଂଗ୍ରହ କରାଯାଇ ଏହାର ରାସାୟନିକ ଓ ଜୈବିକ ଗବେଷଣା କରାଯାଉଛି । ରୋଗର ପ୍ରକୃତ କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିପାରିନାହିଁ । ଏହି ରୋଗରେ ଆକ୍ରାନ୍ତ ବ୍ଯକ୍ତିଙ୍କ ସ୍ନାୟୁଗତ ନିଷ୍କ୍ରିୟତା ପରିଲକ୍ଷିତ ହେବା ସହ ମାଂସପେଶୀ ଦୁର୍ବଳ ହୋଇଯାଏ । ଗୋଡ ଓ ହାତରେ ସ୍ନାୟବିକ ଦୁର୍ବଳତା ପରିଲକ୍ଷିତ ହେବା ସହ ଖାଇବା ଓ ନିଶ୍ବାସପ୍ରଶ୍ବାସ ନେବା କଷ୍ଟକର ହୋଇଥାଏ । ଏପରିକି କେତେକ ରୋଗୀଙ୍କ କ୍ଷେତ୍ରରେ ସମ୍ପୂର୍ଣ୍ଣ ପାରାଲିସିସ ଘଟଣା ଘଟିଥାଏ । ପୁରୁଷ ଓ ଯୁବକଙ୍କୁ ଏହା ଅଧିକ ଆକ୍ରାନ୍ତ କରିଥାଏ । ତେବେ ସବୁ ବୟସର ଲୋକଙ୍କୁ ଏହି ସିଣ୍ଡ୍ରୋମ ଆକ୍ରାନ୍ତ କରିଥାଏ ।

ସେପଟେ ମହାରାଷ୍ଟ୍ର, ଗୁଜରାଟ ଓ ପଶ୍ଚିମବଙ୍ଗରେ ଏହି ରୋଗ ଦେଖାଦେବା ପରେ ସତର୍କ ହୋଇଛି ରାଜ୍ଯ ସ୍ବାସ୍ଥ୍ୟ ବିଭାଗ। ଏଯାଏଁ କେନ୍ଦ୍ର ସରକାର ନିର୍ଦ୍ଦିଷ୍ଟ ଗାଇଡଲାଇନ ଦେଇନାହାନ୍ତି। ତଥାପି ରାଜ୍ୟ ସରକାର ସତର୍କ ଅଛନ୍ତି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର।