ଦାଦା ବଟି ପାଈଁ ମାଛ ବ୍ୟବସାୟୀଙ୍କୁ ରକ୍ତାକ୍ତ କଲେ ଦୁର୍ବୁତ୍ତ
କେନ୍ଦ୍ରାପଡ଼ା : ଦାଦାବଟିକୁ କେନ୍ଦ୍ରକରି ମାଛ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ। ଦାଦାବଟି ନଦେବାରୁ ଆକ୍ରମଣ କରି ସୁନା ଚେନ, ମୁଦି, ପଚାଶ ହଜାର ଟଙ୍କା ଲୁଟିନେଲେ ଦୁର୍ବୁତ୍ତ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଥାନାରେ ପହଞ୍ଚି ଅଭିଯୋଗ କଲେ ବ୍ୟବସାୟୀ। କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା କୁଦାନଗରୀ ଥାନା ଅଞ୍ଚଳର ଘଟଣା। ବ୍ୟବସାୟୀଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ଚଅଁପୁର ଗାଁର ବ୍ୟବସାୟୀ ରାକେଶ ମାହାଳିକଙ୍କୁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେ ଘରକୁ ଫେରୁଥିଵା ସମୟରେ ମାହାଳ ବାବା କଲ୍ୟାଣ ମଣ୍ଡପ ନିକଟରେ ଆକ୍ରମଣ ହୋଇଛି।
କାବିଲ ପୁର ଓ ଛକନା ଅଞ୍ଚଳର କିଶୋର ଓରଫ ଖଟୁ ନାୟକ, ଚିଙ୍କୁ,ଚିଣ୍ଟୁ,ବିଳାସ ରାଉଳ ଓ ତାଙ୍କର ସହଯୋଗୀ ତାଙ୍କୁ ଅଟକାଇଥିଲେ। ମଦ ବୋତଲରେ ମୁଣ୍ଡକୁ ଆକ୍ରମଣ କରିଥିଲେ। ପରେ ଠେଙ୍ଗା ସାହାଯ୍ୟରେ ଆକ୍ରମଣ କରି ଲହୁଲୁହାଣ କରି ଟଙ୍କା,ସୁନା ଲୁଟି ନେଇଥିଲେ। ପୂର୍ବରୁ ଏମାନେ ବାରମ୍ବାର ଦାଦାବଟି ମାଗୁଥିଲେ। ହେଲେ ରାକେଶ ଦାଦାବଟି ନ ଦେବାରୁ ତାଙ୍କୁ ଏଭଳି ମରଣାନ୍ତକ ଆକ୍ରମଣ ହୋଇଛି। ଏନେଇ କୁଦାନଗରୀ ଥାନାରେ ଅଭିଯୋଗ ପରେ ପୋଲିସ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି।