ମାନବ ସମ୍ବଳ ବିକାଶ ସୂଚକାଙ୍କରେ ତଳକୁ ତଳକୁ ଯାଉଛି ଭାରତ: ୧୮ଟି କ୍ଷେତ୍ରରେ ଦେଶର ପ୍ରଦର୍ଶନ ନୈରାଶ୍ୟଜନକ
1 min readନୂଆଦିଲ୍ଲୀ: ବଡ ଆକାରର ବଜେଟ । ଜନକଲ୍ୟାଣ ପାଇଁ ବଡ଼ ବଡ଼ ଘୋଷଣା । ହେଲେ ଦରଦାମ ବୃଦ୍ଧି, ବେକାରୀ ଯୋଗୁ ମାନସିକ ଚାପରେ ଦେଶର ଲୋକେ । ଯେଉଁଥିପାଇଁ ମାନବ ସମ୍ବଳ ସୂଚକାଙ୍କରେ ତଳକୁ ତଳ ଖସିଚାଲିଛି ଭାରତ । ସଦ୍ୟ ପ୍ରକାଶିତ ଗ୍ଲୋବାଲ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ୍ ଏକ୍ସପେଣ୍ଡିଚର ତାଲିକାରେ ୧୮ଟି କ୍ଷେତ୍ରରେ ଭାରତର ସ୍ଥାନ ଖସି ଖସି ଯାଉଛି । ବିଶ୍ବ ମାନସିକ ଶାନ୍ତି ସୂଚକାଙ୍କରେ ଭାରତ ୧୧୬ତମ ସ୍ଥାନରେ । କ୍ଷୁଧା ସୂଚକାଙ୍କ ୧୦୫, ଖୁସି ସୂଚକାଙ୍କ ୧୨୬, ଲିଙ୍ଗଗତ ପାର୍ଥକ୍ୟ ୧୨୯, ମାନବ ସମ୍ବଳ ବିକାଶ ସୂଚକାଙ୍କ ୧୩୪, ଦୁର୍ନୀତି ସୂଚକାଙ୍କରେ ୯୩ ସ୍ଥାନରେ ରହିଛି । ଏପରିକି ଦେଶରେ ଗଣମାଧ୍ୟମର ସ୍ବାଧୀନତା ନେଇ ବି ପ୍ରଶ୍ନ ଉଠିଛି । ଗଣମାଧ୍ୟମ ସ୍ବାଧୀନତା ସୂଚକାଙ୍କରେ ଦେଶର ସ୍ଥାନ ୧୫୯ ନମ୍ବର ସ୍ଥାନରେ ।
ଏପରି ବିଶ୍ଲେଷଣ କଲେ ୧୮ଟି କ୍ଷେତ୍ରରେ ତଳେ ରହିଛି ଭାରତ । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ଓ ସମୀକ୍ଷକ । ପୂର୍ବତନ ଅର୍ଥମନ୍ତ୍ରୀଙ୍କ ଅଭିଯୋଗ, କେନ୍ଦ୍ର ସରକାର ପ୍ରତିବର୍ଷ ଯେଉଁ ବଜେଟ୍ ଦେଉଛନ୍ତି ସେଥିରେ ଅନ୍ୟ ରାଷ୍ଟ୍ର ତୁଳନାରେ ଶିକ୍ଷା, ସ୍ବାସ୍ଥ୍ୟ ଓ ସାମାଜିକ କ୍ଷେତ୍ର ଉପରେ ବ୍ୟୟ ବରାଦ ହ୍ରାସ କରିଚାଲିଛନ୍ତି । ଯାହାଯୋଗୁ ଧନୀ ଗରିବ ତାରତମ୍ୟ ବଢି ବଢିଚାଲିଛି । ଜିଏସଟି ଭଳି କର ବ୍ୟବସ୍ଥା ଲାଗୁ କରି ରାଜ୍ୟର ଆର୍ଥିକ ସ୍ବାୟତ୍ତତାକୁ ନିଜ ହାତକୁ ଟାଣି ନେଇଛି କେନ୍ଦ୍ର । ଫଳରେ ନିରନ୍ତର ବିକାଶ ଲକ୍ଷ୍ୟରେ ରିପୋର୍ଟ ଅନୁଯାୟୀ ଭାରତର ସ୍ଥାନ ୧୧୨ତମ ସ୍ଥାନରେ ରହିଛି । ଯାହାକି ଆଦୌ ଶୁଭଙ୍କର ନୁହଁ ।
ଦେଶର ୧୪୦ କୋଟି ଲୋକଙ୍କ ବିକାଶ ସୂଚକାଙ୍କ କାହିଁକି ଏତେ ତଳେ ବୋଲି ପ୍ରଶ୍ନ ଉଠାଇଛନ୍ତି ସମୀକ୍ଷକ । ବିଶ୍ବ ସ୍ତରରେ ମାନବ ସମ୍ବଳ ବିକାଶ ପାଇଁ ଖର୍ଚ୍ଚ ହେଉଛି ୧.୧୭ ଟ୍ରିଲିୟନ୍ ଆମେରିକୀୟ ଡଲାର । ଆମେରିକା ଯେଉଁଠି ଉଦ୍ଭାବନ ପାଇଁ ୫୦୦ ବିଲିୟନ୍ ଡଲାର ଖର୍ଚ୍ଚ କରୁଛି ଭାରତ ସେଠି ମାତ୍ର ୫୦୦ କୋଟି ଦେଉଛି । କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ବଜେଟ୍ ବିଶ୍ବରେ ୪ର୍ଥ ସ୍ଥାନରେ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପରାମର୍ଶ ଦେଉଛି ଜିଡିପିର ୪ ପ୍ରତିଶତ ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ ବ୍ୟୟ ବରାଦ କରିବା କଥା । ବିକଶିତ ରାଷ୍ଟ୍ରମାନେ ଖର୍ଚ୍ଚ କରୁଛନ୍ତି ୮ ପ୍ରତିଶତ । କିନ୍ତୁ ଭାରତ ସରକାର ବଜେଟରେ ଜିଡିପିର ୧.୯ ପ୍ରତିଶତ ସ୍ବାସ୍ଥ୍ୟ ବଜେଟ୍ ଦେଉଛନ୍ତି । ସେହିପରି ଜାତୀୟ ଶିକ୍ଷା ନୀତି- ଏନ୍ଇପି ଲାଗୁ କରିବାକୁ ହେଲେ ଶିକ୍ଷା ପାଇଁ ବଜେଟ୍ରେ ୬ ପ୍ରତିଶତ ବ୍ୟୟ ବରାଦ ହେବା କଥା । କିନ୍ତୁ କେନ୍ଦ୍ର ସରକାର ଦେଇଛନ୍ତି ମାତ୍ର ୪ ପ୍ରତିଶତ । ଏହାଫଳରେ ଦେଶର ସବୁ ଅଞ୍ଚଳରେ ଏନ୍ଇପି ଲାଗୁ କରିବା ସମ୍ଭବ ହେବ ନାହିଁ । ବଜେଟରେ ବଡ଼ ବଡ଼ ଚିତ୍ର ଦେଖାଇ ଦିଆଯାଉଛି । କିନ୍ତୁ ୨୦୨୫-୨୬ ଆର୍ଥିକ ବର୍ଷ ବଜେଟ୍ରେ ଆୟର ଉତ୍ସକୁ ଯଦି ଲକ୍ଷ୍ୟ କରାଯିବା ତାହେଲେ ୫୦ ଲକ୍ଷ ୬୫ ହଜାର କୋଟି ବଜେଟରେ ଆୟ ୨୪ ପ୍ରତିଶତ ଋଣ କରିବାକୁ ପଡ଼ୁଛି ।