ଅଭିଷେକଙ୍କୁ ପ୍ରଶଂସାରେ ପୋତିଲେ ‘ଗୁରୁ’ ୟୁବରାଜ
1 min readନନ୍ଦିଘୋଷ ବ୍ୟୁରୋ: ରବିବାର ମୁମ୍ବାଇର ଓ୍ବାଖଡେ ଷ୍ଟାଡିୟମରେ ଖେଳାଯାଇଥିବା ଅନ୍ତିମ ଟି-୨୦ରେ ଭାରତ ବିଜୟର ହିରୋ ସାଜିଥିଲେ ଯୁବ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା । ୫୪ ବଲରେ ୧୩୫ ରନର ବିସ୍ଫୋରକ ବ୍ୟାଟିଂ କରିଥିଲେ । ଯାହାକୁ ନେଇ ଅଭିଷେକଙ୍କ ନିକଟକୁ ଛୁଟୁଛି ପ୍ରଂଶସାର ସୁଅ । ଯେଉଁଥିରେ ରହିଛନ୍ତି ତାଙ୍କ ଗୁରୁ କୁହାଯାଉଥିବା ପୂର୍ବତନ ଭାରତୀୟ ଅଲରାଉଣ୍ଡର ୟୁବରାଜ ସିଂ । ଶିଷ୍ୟଙ୍କ କମାଲ ବ୍ୟାଟିଂରେ ବେଶ ଖୁସି ରହିଛନ୍ତି ଗୁରୁ । ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇବା ସହ ପ୍ରଂଶସାରେ ପୋତି ପକାଇଛନ୍ତି ଯୁବରାଜ ।
ଯୁବରାଜ ସିଂ ନିଜର ସୋସିଆଲ ମିଡିଆ ସାଇଟରେ ଲେଖିଛନ୍ତି କି, ଅଭିଷେକ ଜଣେ ଭଲ ଖେଳାଳି । ଏହି ସମୟରେ ତୁମେ ଭଲ ଖେଳୁଛ । ମୁଁ ଯେଭଳି ଚାହୁଁଥିଲି ତୁମେ ସେଭଳି ଖେଳୁଛ । ମୁଁ ତୁମ ପାଇଁ ଗର୍ବିତ । କିନ୍ତୁ ଏହା ପୂର୍ବରୁ ଯୁବରାଜ ଅଭିଷେକଙ୍କୁ ଗାଳି କରୁଥିବା ପୋଷ୍ଟମାନ ଦେଖିବାକୁ ମିଳୁଥିଲା । ଭଲ ପ୍ରଦର୍ଶନ ପାଇଁ ସେ ତାଙ୍କ ଉଦ୍ଦେଶ୍ୟରେ ଏମିତି ପୋଷ୍ଟ କରୁଥିବା କୁହାଯାଉଛି ।
ସେପଟେ ଅଭିଷେକ ଶର୍ମା କହିଛନ୍ତି କି, ନିଶ୍ଚିତ ଭାବେ ସେ ଖୁସି ହେବେ । ସେ ସବୁବେଳେ ଚାହୁଁଥିଲେ କି, ମୁଁ ଟି-୨୦ରେ ୧୫ରୁ ୨୦ ଓଭର ପର୍ଯ୍ୟନ୍ତ ଖେଳେ । ଆଉ ଏହି ମ୍ୟାଚରେ ମୁଁ ମଧ୍ୟ ଆକ୍ରମଣାତ୍ମକ ଭାବେ ଖେଳିବା ସହ ଶେଷ ପର୍ଯ୍ୟନ୍ତ ଖେଳିଥିଲି । ତେବେ ରିବାର ମ୍ୟାଚରେ ଅଭିଷେକ ଶର୍ମାଙ୍କ ଦମଦାର ବ୍ୟାଟିଂ ଅନେକ ରେକର୍ଡ ଭାଙ୍ଗିଛି । ସେ ଟି-୨୦ରେ ଭାରତ ପାଇଁ ସର୍ବାଧିକ ସ୍କୋର କରିଥିବା ବ୍ୟାଟ୍ସମ୍ୟାନ । ଏହାସହ ଛକା ମାରିବାର ରେକର୍ଡ ମଧ୍ୟ କରିଛନ୍ତି । ଗୋଟିଏ ପାଳିରେ ସେ ୧୩ ଛକା ମାରିଛନ୍ତି ।