ସ୍ୱାମୀଙ୍କ କିଡନୀ ୧୦ ଲକ୍ଷ ଟଙ୍କାରେ ବିକ୍ରି କରି ପ୍ରେମିକ ସହିତ ସ୍ତ୍ରୀ ଫେରାର୍
ନନ୍ଦିଘୋଷ ବ୍ୟୁରୋ: ସ୍ୱାମୀଙ୍କ କିଡନୀ ବିକ୍ରି କରି ପ୍ରେମିକ ସହ ସ୍ତ୍ରୀ ଫେରାର । ୧୦ ଲକ୍ଷ ଟଙ୍କା ସହ ଅଳଙ୍କାର ନେଇ ସ୍ତ୍ରୀ ଫେରାର୍ । ଏଭଳି ଘଟଣା ଦେଖିବାକୁ ମିଳିଛି ପଶ୍ଚିମ ବଙ୍ଗର ହାୱଡା ଜିଲ୍ଲା ସାଙ୍କ୍ରାଇଲ ବ୍ଲକର ଧୂଲାଗଡ଼ି ହଟ୍ଟାଲା ଅଞ୍ଚଳରେ ।
ସୂଚନା ଅନୁଯାୟୀ, ପିଣ୍ଟୁ ବେଜ୍ ନାମକ ଜଣେ ୪୯ ବର୍ଷୀୟ ବ୍ୟକ୍ତିଙ୍କୁ ତାଙ୍କର କିଡନୀ ବିକ୍ରି କରିବାକୁ ସ୍ତ୍ରୀ ବାଧ୍ୟ କରିଥିଲେ । ସ୍ୱାମୀଙ୍କ କିଡନୀ ବିକ୍ରି କରି ଯେଉଁ ୧୦ ଲକ୍ଷ ଟଙ୍କା ମିଳିଥିଲା ସେହି ଟଙ୍କାକୁ ନେଇ ସ୍ତ୍ରୀ ପ୍ରେମିକଙ୍କ ସହିତ ଚମ୍ପଟ ମାରିଥିଲେ। ପିଣ୍ଟୁଙ୍କ ପତ୍ନୀଙ୍କ ବିରୋଧରେ କୋଲକତା ହାଇକୋର୍ଟରେ ମାମଲା ଦାୟର ହୋଇଛି ।
ପିଣ୍ଟୁ କହିଛନ୍ତି, ତାଙ୍କ ସ୍ତ୍ରୀ ସୁପର୍ଣ୍ଣା ବାଏଜ୍ ତାଙ୍କୁ ବାରମ୍ବାର ଝିଅର ଭବିଷ୍ୟତ ଓ ବିବାହ ପାଇଁ ତାଙ୍କର ଗୋଟିଏ କିଡନୀ ବିକ୍ରି କରିବାକୁ ବାଧ୍ୟ କରିଥିଲେ । ପିଣ୍ଟୁ ନିଜ ସ୍ତ୍ରୀଙ୍କ ବୁଦ୍ଧିରେ କିଡନୀ ବିକ୍ରି କରି ୧୦ ଲକ୍ଷ ଟଙ୍କା ସ୍ତ୍ରୀ ହାତରେ ଦେଇଥିଲେ । ସୁପର୍ଣ୍ଣା ୧୦ ଲକ୍ଷ ଟଙ୍କା ସହିତ ସୁନା ଅଳଙ୍କାର ନେଇ ନିଜ ପ୍ରେମିକ ସହିତ ଫେରାର ହୋଇଯାଇଛି । ପିଣ୍ଟୁଙ୍କ ଅଭିଯୋଗ ଆଧାରରେ କୋଲକତା ହାଇକୋର୍ଟରେ ଏକ ମାମଲା ଦାୟର କରାଯାଇଥିଲା । ପିଣ୍ଟୁ ପ୍ରଥମେ ତାଙ୍କ ପତ୍ନୀଙ୍କ ନିଖୋଜ ହେବାର ଏକ ମାମଲା ଡାଏରୀ ନିକଟସ୍ଥ ଥାନାରେ ଲେଖିଥିଲେ ଏବଂ ପରେ ସ୍ତ୍ରୀକୁ ଖୋଜିବା ପାଇଁ ହାଇକୋର୍ଟରେ ଏକ ହେବିୟସ୍ କର୍ପସ୍ ମାମଲା ଦାୟର କରିଥିଲେ । ସ୍ୱେଚ୍ଛାକୃତ ଭାବେ ସ୍ଵାମୀ ଘରୁ ବାହାରି ପ୍ରେମିକ ସହିତ ଆସିଥିବା ପିଣ୍ଟୁଙ୍କ ସ୍ତ୍ରୀ ପୂର୍ବରୁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ରିପୋର୍ଟକୁ ଆଧାର କରି, କୋଲକତା ହାଇକୋର୍ଟ ବିଚାରପତି ଅରିଜିତ ବାନାର୍ଜୀ ଏବଂ ବିଚାରପତି ଅପୂର୍ବ ସିହ୍ନା ରାୟଙ୍କ ଏକ ଡିଭିଜନ ବେଞ୍ଚ ହବିୟସ୍ କର୍ପସ୍ ମାମଲାକୁ ଖାରଜ କରିଦେଇଥିଲେ । ଏହି ମାମଲାରେ ବନ୍ଦୀ ଆବେଦନ ଆଉ ପ୍ରଭାବଶାଳୀ ହେବନାହିଁ ।