ପାକିସ୍ତାନୀଙ୍କୁ ବାନ୍ଧି ନିଜ ଦେଶକୁ କ’ଣ ପାଇଁ ଫେରାଉଛି ସାଉଦି ଆରବ ?

1 min read

ନନ୍ଦିଘୋଷ ବ୍ୟୁରୋ: ସାଉଦି ଆରବରେ ପାକିସ୍ତାନୀଙ୍କ ଲଜ୍ଜାଜନକ କାର୍ଯ୍ୟକଳାପ। ଉମରାହକୁ ଆସି ଭିକ ମାଗୁଛନ୍ତି ପାକିସ୍ତାନୀ। ପାକିସ୍ତାନ ଭିକାରୀ ସାଉଦି ଆରବରେ ବଢି ଚାଲିଛନ୍ତି। ଏନେଇ ସାଉଦି ସରକାର ପାକିସ୍ତାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

ହଜ କିମ୍ବା ଉମରାହ ନାମରେ ସାଉଦି ଆରବକୁ ଯାଉଥିବା ପାକିସ୍ତାନୀଙ୍କ କାର୍ଯ୍ୟକଳାପ ଉପରେ ସାଉଦି ସରକାର କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଉମରାହରେ ଭିକ ମାଗୁଥିବା ପାକିସ୍ତାନୀଙ୍କୁ ଗିରଫ କରି ନିଜ ଦେଶକୁ ପଠାଇବା ଆରମ୍ଭ କରିଛି ସାଉଦି ଆରବ। ସାଉଦି ସରକାର ପାକିସ୍ତାନର ଶାହବାଜ ସରିଫ ସରକାରଙ୍କୁ ଚେତାବନୀ  ସତ୍ତ୍ୱେ ଏହାକୁ ନିୟନ୍ତ୍ରଣ କରାଯାଇପାରି ନାହିଁ । ଏହାଦ୍ୱାରା ଇସଲାମାବାଦ ଅପମାନିତ ହେଉଛି। ଏହାର ପ୍ରଭାବ ସିଧାସଳଖ ପାକିସ୍ତାନୀ ଉମରାହ ଏବଂ ହଜ୍‌ ଯାତ୍ରୀଙ୍କ ଉପରେ ପଡ଼ିଛି ।

ପାକିସ୍ତାନର ଫେଡେରାଲ ତଦନ୍ତକାରୀ ଏଜେନ୍ସି (FIA) କହିଛି ଯେ, ସାଉଦି ଆରବରୁ ୧୦ ଜଣ ସନ୍ଦିଗ୍ଧଙ୍କୁ ବିତାଡିତ କରାଯାଇଛି । ଏହିମାନେ ଉମରାହ ଭିସା ନେଇ ସାଉଦି ଆରବରେ ଭିକ ମାଗୁଥିଲେ ।

ନଭେମ୍ବର ୨୦୨୩ ରେ, ପାକିସ୍ତାନ ଗୃହମନ୍ତ୍ରୀ ମୋହସିନ୍ ନାକଭି ସାଉଦି ଆରବକୁ କହିଥିଲେ ଯେ, ଭିକ ମାଗିବା ପାଇଁ ଉମରାହ କିମ୍ବା ହଜ ଭିସା ବ୍ୟବହାର କରୁଥିବା ପାକିସ୍ତାନୀମାନଙ୍କ ବିରୋଧରେ ଦେଶବ୍ୟାପୀ କଟକଣା ଜାରି କରାଯାଇଛି।

ଫେବୃଆରୀ ୨ରେ FIA ଏକ ବିବୃତ୍ତିରେ କହିଛି ଯେ, କରାଚି ବିମାନବନ୍ଦରରେ ଏକ ବଡ ଅପରେସନରେ ଉମରାହ ଅଭିମୁଖେ ଯାତ୍ରା କରୁଥିବା କିଛି ସନ୍ଦିଗ୍ଧଙ୍କୁ ଧରାହୋଇଛି ।  ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଏହି ଲୋକମାନେ ସାଉଦି ଆରବରେ କିଛି ମାସ ଭିକ ମାଗୁଥିଲେ । ଏମାନଙ୍କୁ ଗିରଫ କରାଯାଇ ପଚରାଉଚାରା ଜାରି ରହିଛି । ବିମାନ ବନ୍ଦର ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ବୋଲି ଏଫଆଇଏ କହିଛି। ବିଦେଶ ଭ୍ରମଣ କରୁଥିବା ଯାତ୍ରୀମାନଙ୍କୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଉଛି ଏବଂ ଭିକ ମାଗୁଥିବା ଲୋକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି FIA କହିଛି।