ବଜେଟରେ ଓଡ଼ିଶାକୁ ଅବହେଳା: ତେଜିଲା ରାଜନୀତି, ବିଜେଡି କହିଲା ବିହାର ବଜେଟ୍

ଭୁବନେଶ୍ବର: ଗତକାଲି ଆସିଥିବା ବଜେଟ କେବଳ ବିହାରକୁ ଖୁସି କରିବାକୁ । ଆଗକୁ ବିହାର ନିର୍ବାଚନ ଥିବାରୁ ତାକୁ ଖୁସି କରିବାକୁ ଚେଷ୍ଟା କରାଯାଇଛି । ଅନ୍ୟପକ୍ଷେ ବଜେଟରେ ଓଡ଼ିଶାକୁ ସମ୍ପୂର୍ଣ୍ଣ ଅବହେଳା କରାଯାଇଛି । ନୂଆ ଟ୍ୟାକ୍ସ ରିଜିମରେ ଯେଉଁ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସ ଛାଡ଼ ନୀତି ଲାଗୁ ହେବ, ତାକୁ ନେଇ ସମସ୍ତ ବିରୋଧୀ ଦଳ ସନ୍ଦେହ ପ୍ରକାଶ କରିଛନ୍ତି । କେତେ ଲୋକ ବାର୍ଷିକ ୧୨ ଲକ୍ଷରୁ ଅଧିକ ଆୟ କରନ୍ତି ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି । ବାରମ୍ବାର ଓଡ଼ିଶା ପ୍ରତି ଅବହେଳା ହେଉଥିବାରୁ କେନ୍ଦ୍ର ସରକାରଙ୍କ ଓଡ଼ିଶା ବିରୋଧୀ ମନୋଭାବ ବଜେଟରେ ପ୍ରତିଫଳିତ ହୋଇଛି ।

ସୂଚନାଯୋଗ୍ୟ, ଗତକାଲି ସଂସଦରେ ଆଗତ ହୋଇଥିବା କେନ୍ଦ୍ର ବଜେଟର ଆକାର ୫୦ ଲକ୍ଷ କୋଟି ଟଙ୍କା ଟପିଛି । ୧୨ ଲକ୍ଷ ଯାଏଁ ଟିକସ ଛାଡ଼ ମଧ୍ୟବିତ୍ତକୁ କିପରି ସୁହାଇବ ତାକୁ ନେଇ ପ୍ରଶ୍ନ ଉଠିଛି । ସାରା ଭାରତରେ କେତେ ଲୋକ ବାର୍ଷିକ ୧୨ ଲକ୍ଷ ଆୟ କରନ୍ତି ବୋଲି ପ୍ରଶ୍ନ ଉଠିଲାଣି । ଦେଶର ମାତ୍ର ୧.୨ ପ୍ରତିଶତ ଲୋକ ଏଥିରୁ ଲାଭ ପାଇବେ । ୬୦ରୁ ୮୦ ପ୍ରତିଶତ ଲୋକଙ୍କ ବାର୍ଷିକ ଆୟ ୩ ଲକ୍ଷରୁ କମ । ବଜେଟରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶାକୁ ପୂର୍ବଦୋୟର ବିକାଶ ଇଂଜିନ କରିବା ସ୍ବପ୍ନ ପୂରଣ ହୋଇପାରିବନି । ରାଜନୈତିକ ଉଦ୍ଦେଶ୍ୟରେ ବିହାରକୁ ଅର୍ଥ ଅଜାଡ଼ି ଦେଇ ଓଡ଼ିଶାକୁ ଅବହେଳା କରାଯାଇଥିବା ବିଜେଡି ଅଭିଯୋଗ କରିଛି । ଉତ୍କର୍ଷ ଓଡ଼ିଶାରୁ ଯେଉଁ ୮୨ ପ୍ରତିଶତ ଏମଓୟୁ ସ୍ଵାକ୍ଷର ହୋଇଛି, ତାହା ଓଡ଼ିଶାର ମାଟି ତଳୁ ସମ୍ପଦ ନେବା ପାଇଁ ଷଡ଼ଯନ୍ତ୍ର ବୋଲି କହିଛି କଂଗ୍ରେସ । ଓଡ଼ିଶାରୁ ରାଜସ୍ବ ନେଇ ପ୍ରତିବଦଳରେ ଓଡ଼ିଶା ପାଇଁ ବଜେଟରେ କିଛି ସ୍ବତନ୍ତ୍ର ନାହିଁ । ଓଡ଼ିଶା ପ୍ରତି ଅନ୍ୟାୟକୁ ବିରୋଧୀ ବରଦାସ୍ତ କରିପାରିନାହାନ୍ତି । ଡବଲ ଇଂଜିନ ସରକାରଙ୍କ ଓଡ଼ିଶା ପ୍ରତି ବୈମାତୃକ ମନୋଭାବକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି ।

ବଜେଟରେ ଓଡ଼ିଶା ପାଇଁ କିଛି ନଥିବା ବିଜେଡି ନେତା ଅନୁଭବ କରିଛନ୍ତି । ଗତବର୍ଷ ବଜେଟ ଥିଲା ଆନ୍ଧ୍ର ପାଇଁ, ଏଥର ବିହାର ବଜେଟ ବୋଲି କଟାକ୍ଷ କରିଛି ବିଜେଡି । କାରଣ ଆଗକୁ ବିହାର ନିର୍ବାଚନ । ଦରଦାମ ନିୟନ୍ତ୍ରଣ ନେଇ ବଜେଟରେ କିଛି ଦେଖିବାକୁ ମିଳିନାହିଁ । ସେହିପରି ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା କି ସ୍ବତନ୍ତ୍ର ଫୋକସକୁ ବି ଅଣଦେଖା କରାଯାଇଛି । ଯେଉଁ ୧୨ ଲକ୍ଷ ପର୍ଯ୍ୟନ୍ତ ଟିକସ ରିହାତି ମିଳିବ, ତାହା ଦୁଇଟି ରେଜିମରେ ଅଛି । ଗୋଟେ ପୁରୁଣା ଓ ଆଉ ଗୋଟେ ନୂଆ ସ୍ଲାବ । ପୁରୁଣାରେ କୌଣସି ପ୍ରକାରର ରିହାତି ନାହିଁ । ନୂଆରେ ୧୨ ଲକ୍ଷ ଯାଏଁ କିଛି ଦେବାକୁ ପଡ଼ିବ ନାହିଁ । ହେଲେ ଏହି ଦୁଇଟିରେ ଫରକ ରହିଛି । ପୁରୁଣା ସ୍ଲାବରେ ଘର ଋଣ ବାବଦ ଯାହା ଟିକସରୁ କଟା ଯାଉଥିଲା, ଯାହା ନୂଆ ସ୍ଲାବରେ ନାହିଁ । ଟିକସ ସଂଚୟ ନୂଆ ସ୍ଲାବରେ ନାହିଁ । ଯେଉଁଥି ପାଇଁ ନୂଆ ସ୍ଲାବରେ ଘର କିଣିଲେ, ଋଣ ପରିମାଣରେ ସୁଦ୍ଧ ବଢିବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଶ୍ରମିକ ନିରାପତ୍ତା, ନିଯୁକ୍ତି, ସ୍ବାସ୍ଥ୍ୟ, ଶିକ୍ଷା ପରି କ୍ଷେତ୍ରରେ ଗତଥର ଅପେକ୍ଷା ବ୍ୟୟ ବରାଦ କମିଛି । ଯାହା ମଧ୍ୟବିତ୍ତ ପରିବାରକୁ କୌଣସି ଲାଭ ଦେବନି ।

କେନ୍ଦ୍ରର ପ୍ରତି ବଜେଟରେ ଅବହେଳାର ଶୀକାର ହେଉଛି ଓଡ଼ିଶା। ପ୍ରାକୃତିକ ବିପର୍ଯ୍ୟୟର ରାଜ୍ୟ ଓଡ଼ିଶାକୁ କେବେ ବି ସ୍ବତନ୍ତ୍ର ଦୃଷ୍ଟି ଦିଆଯାଉନାହିଁ । ନିଯୁକ୍ତି ସୁଯୋଗ ଓ ଦରଦାମ ନିୟନ୍ତ୍ରଣର ଦିଗ ଦିଶୁ ନଥିବାରୁ ଅସନ୍ତୋଷ ବଢିବା ସମ୍ଭାବନା ରହିଛି ।