ଆପଣଙ୍କ ମୃତ୍ୟୁରେ ପୃଥିବୀର ବୋଝ କମ ହୁଏକି ?
1 min readନନ୍ଦିଘୋଷ ବ୍ୟୁରୋ: ଦୁନିଆରେ ଜନ୍ମ ମରଣ ସତ୍ୟ। ଅନେକ ସମୟରେ ଆଖପାଖ ଲୋକଙ୍କଠାରୁ ଶୁଣିବାକୁ ମିଳିଥାଏ ଯେ, ମଣିଷର ମୃତ୍ୟୁରେ ପୃଥିବୀର ଓଜନ କମ୍ ହୁଏ। ଏଠାରେ ପ୍ରଶ୍ନ ଉଠୁଛି ଯେ, ମରଣ ପରେ କଣ ସତରେ ପୃଥିବୀର ଓଜନ କମିଯାଏ । ଏହାକୁ ନେଇ ଅନେକ ଥର ଗବେଷଣା ହୋଇଛି । ତେବେ ଚାଲନ୍ତୁ ଜାଣିବା ଲୋକମାନେ କହୁଥିବା କଥା କେତେ ଦୂର ଠିକ୍ ଅବା ଭୁଲ୍ ଅଟେ।
ପୃଥିବୀପୃଷ୍ଠରେ ଜନସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ପୃଥିବୀରେ ବର୍ତ୍ତମାନ ୮୦୦ କୋଟିରୁ ଅଧିକ ଲୋକ ବସବାସ କରୁଛନ୍ତି। ରିପୋର୍ଟ ଅନୁଯାୟୀ, ଆଗାମୀ ୨୦ ବର୍ଷରେ ଜନସଂଖ୍ୟା ବୃଦ୍ଧି ହୋଇ ୯୦୦ କୋଟିରେ ପହଞ୍ଚିବ । ତେବେ ଏଠାରେ ପ୍ରଶ୍ନ ଉଠୁଛି କି ପୃଥିବୀର ଯେତିକି ଓଜନ କ୍ଷମତା ରହିଛି ତାଠାରୁ ଅଧିକ ଲୋକ ବସବାସ କରିପାରିବେ କି ନାହିଁ? ଲୋକଙ୍କ ମୃତ୍ୟୁ ପରେ ପୃଥିବାର ବୋଝ କମିଯାଉଛି କି ନାହିଁ… ଚାଲନ୍ତୁ ଜାଣିବା ।
ଅନେକ ଥର ଆପଣ ନିଶ୍ଚୟ ଶୁଣିଥିବେ ଯେ ମଣିଷ ମରିବା ପରେ ପୃଥିବୀର ଭାର ହ୍ରାସ ହୋଇଥାଏ । କିମ୍ବା କିଛି ଲୋକ କୁହନ୍ତି ଯେ, ମଣିଷ ପୃଥିବୀ ଉପରେ ବୋଝ ଅଟେ । କିନ୍ତୁ ବୈଜ୍ଞାନିକଙ୍କ ମତ ଅନୁଯାୟୀ, ଏହି ସବୁ କଥା ଗୁଡିକରେ କୌଣସି ସତ୍ୟତା ନାହିଁ । ଏହା ଲୋକ କଥା ବୋଲି ବୈଜ୍ଞାନିକ କହିଛନ୍ତି । ବାସ୍ତବରେ, ମୃତ୍ୟୁ କିମ୍ବା ଲୋକଙ୍କ ଜନ୍ମ ପୃଥିବୀର ଓଜନ ଉପରେ ଅଧିକ ପରିବର୍ତ୍ତନ କରେ ନାହିଁ। କାରଣ ମାଧ୍ୟାକର୍ଷଣ ଶକ୍ତି ଯୋଗୁଁ ପୃଥିବୀର ଓଜନ ବୃଦ୍ଧି ଏବଂ ହ୍ରାସ ଉପରେ ନିର୍ଭର କରିଥାଏ । ଲୋକଙ୍କ ମୃତ୍ୟୁ ସହିତ ଏହାର କୌଣସି ସମ୍ପର୍କ ନାହିଁ । କିମ୍ୱା ଏହା ଦ୍ୱାର ପୃଥିବୀର ଓଜନ ହ୍ରାସ ହୁଏ ନାହିଁ ।
ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ, ପୃଥିବୀର ଓଜନ କେତେ? ପୃଥିବୀର ଓଜନ ସମ୍ବନ୍ଧରେ ବୈଜ୍ଞାନିକମାନେ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ବାସ୍ତବରେ ପୃଥିବୀର ଓଜନ ଏହାର ମାଧ୍ୟାକର୍ଷଣ ଶକ୍ତି ଉପରେ ନିର୍ଭର କରେ । ଏହାକୁ ସରଳ ଭାଷାରେ କହିବାକୁ ଗଲେ ପୃଥିବୀର ଓଜନ ଲକ୍ଷ ଲକ୍ଷ କୋଟି ଅଟେ । ନାସା ଅନୁଯାୟୀ ପୃଥିବୀର ଓଜନ ୫.୯୭୨୨x୧୦୨୪କିଲୋଗ୍ରାମ ଅଟେ। ଏହାକୁ ୧୩.୧ ସେପ୍ଟିଲିୟନ୍ ପାଉଣ୍ଡରେ ମଧ୍ୟ ମାପ କରାଯାଏ। ତେବେ ମାଧ୍ୟାକର୍ଷଣ ଶକ୍ତି ହିସାବରେ ପୃଥିବୀର ଓଜନ କମ ବେଶି ହୋଇଥାଏ ।
ବୈଜ୍ଞାନିକଙ୍କ ଅନୁଯାୟୀ, ପୂର୍ବରୁ ପୃଥିବୀରେ ଅଧିକ ଜନସଂଖ୍ୟା ନଥିଲା । ପୂର୍ବରୁ ପୃଥିବୀରେ ମାନବ ଜନସଂଖ୍ୟା ବହୁତ କମ୍ ଥିଲା । ବୈଜ୍ଞାନିକଙ୍କ ଅନୁଯାୟୀ, ଦଶ ହଜାର ବର୍ଷ ପୂର୍ବେ ପୃଥିବୀରେ କେବଳ ଅଳ୍ପ ଲକ୍ଷ ଲୋକ ଥିଲ । ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗରେ, ପୃଥିବୀର ଜନସଂଖ୍ୟା ୧୦୦ କୋଟି ସଂଖ୍ୟାକୁ ଛୁଇଁଥିଲା । ୧୯୨୦ରେ, ପୃଥିବୀରେ ଦୁଇଶହ କୋଟି ଲୋକ ଥିଲେ । ବର୍ତ୍ତମାନ ଦିନକୁ ଦିନ ଲୋକଙ୍କ ସଂଖ୍ୟା ପୃଥିବୀରେ ବୃଦ୍ଧି ହେବାରେ ଲାଗିଛି ।