ମୁଖ୍ୟମନ୍ତ୍ରୀ ବସ ଡ୍ରାଇଭରକୁ ମାଡ଼ । ଧାରଣାରେ କର୍ମଚାରୀ, ଯାତ୍ରୀ ହନ୍ତସନ୍ତ

ଚାନ୍ଦବାଲି : ପୁଣି ସରକାରୀ ବସ କର୍ମଚାରୀଙ୍କୁ ମାଡ଼ । ପ୍ରତିବାଦରେ ଚାନ୍ଦବାଲି ବ୍ଲକ କାର୍ଯ୍ୟାଳୟ ଆଗରେ ବସ୍ କର୍ମଚାରୀଙ୍କ ଧାରଣା । ଦୁଇ ଦିନ ତଳେ ଚାନ୍ଦବାଲିରୁ ଧାମରା ଅଭିମୁଖେ ମୁଖ୍ୟମନ୍ତ୍ରୀ ବସ ଯାଉଥିବା ବେଳେ ଜନ୍ତୁଆଳି ଛକ ନିକଟରେ କିଛି ଯୁବକ ଗାଡ଼ିକୁ ଅଟକାଇଥିଲେ । ଗତକାଲି କଣ ପାଇଁ ଆମ କୁକୁର ଉପରେ ଗାଡ଼ି ଚଢ଼ାଇଦେଲୁ କହି ଗାଳି ଗୁଳଜ କରିବା ସହ ଡ୍ରାଇଭରକୁ ମାଡ଼ ମାରିଥିବା ବାଂଶଡ଼ା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗର ଦୁଇ ଦିନ ପରେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିପାରିନାହିଁ । ଏହାର ପ୍ରତିବାଦରେ ଧାରଣାରେ ବସିଛନ୍ତି ବସ୍ କର୍ମଚାରୀ ସଂଘ । ଅଭିଯୁକ୍ତକୁ ଗିରଫ କରାନଯିବା ପର୍ଯ୍ୟନ୍ତ ଗାଡ଼ି ଚଳାଇବେ ନାହିଁ ବୋଲି  ଜିଦ ଧରି ବ୍ଳକ ପରିସରରେ ଧାରଣାରେ ବସି ରହିଛନ୍ତି । ଚାନ୍ଦବାଲି ବ୍ଲକର ସମସ୍ତ ରୁଟରେ ମୁଖ୍ୟମନ୍ତ୍ରୀ ବସସେବା ବାଧାପ୍ରାପ୍ତ ହୋଇଛି । ଏହି ବସ୍ ଉପରେ ନିର୍ଭରଶୀଳ ଅନେକ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି ।