ରାଜ୍ୟରେ ସରକାର ପରିବର୍ତ୍ତନ ପରେ ଦିଗହରା ଖଣିଶିଳ୍ପ
1 min readନନ୍ଦିଘୋଷ ବ୍ୟୁରୋ: ରାଜ୍ଯରେ ସରକାର ପରିବର୍ତ୍ତନ ହେବା ପରେ ଏକପ୍ରକାର ଦିଶାହୀନ ହୋଇପଡିଛି ଖଣି ଶିଳ୍ପ । ଫଳରେ ଓଡିଶା ଆର୍ଥିକ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ କୌଣସି ନୂଆ ନିବେଶକ ମଧ୍ଯ ନିବେଶ ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି । ଭୁବନେଶ୍ବରେ ଆୟୋଜିତ ଖଣି ସମ୍ପର୍କିତ ଆନ୍ତର୍ଜାତିକ ସମ୍ମିଳନୀରେ ଏନେଇ ଶିଳ୍ପ ବିଶେଷଜ୍ଞମାନେ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି । ପୂର୍ବରୁ ଓଡିଶା ସରକାର କେବଳ ଖଣିରୁ ବାର୍ଷିକ ୭୦ ହଜାର କୋଟି ଟଙ୍କା ରାଜସ୍ବ ପାଉଥିଲେ । ହେଲେ ବର୍ତ୍ତମାନ ସ୍ଥିତିରେ ପରିବର୍ତ୍ତନ ହୋଇଛି ବୋଲି କହିଛନ୍ତି ବିଶେଷଜ୍ଞ ।
ଓଡ଼ିଶା ସରକାରଙ୍କ କାର୍ଯ୍ଯଦକ୍ଷତା ନେଇ ପୁଣି ଉଠିଲା ପ୍ରଶ୍ନ । ରାଜ୍ଯରେ ଦିଶାହୀନ ଖଣିଶିଳ୍ପ । ଆନ୍ତର୍ଜାତିକ ସମ୍ମିଳନୀରେ ଅସନ୍ତୋଷ ପ୍ରକାଶ କଲେ ଶିଳ୍ପ ବିଶେଷଜ୍ଞ । ପୂର୍ବ ସରକାରଙ୍କ ସମୟରେ ଅନ୍ତର୍ଜାତିକ ଶିଳ୍ପ ଗୋଷ୍ଠୀଙ୍କୁ ଓଡ଼ିଶାରେ ପୁଞ୍ଜି ନିବେଶ କରିବା ପାଇଁ ପ୍ରୋତ୍ସାହିତ କରାଯାଉଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ଯକ୍ତିଗତ ସ୍ତରରେ ଏଥିପାଇଁ ଉଦ୍ଯମ କରୁଥିଲେ । ଦେଶ ଭିତରେ ଓ ବାହାରେ ରୋଡ ସୋ କରି ରାଜ୍ଯରେ ଅନୁକୂଳ ଭିତ୍ତିଭୂମି ଓ ଶିଳ୍ପନୀତି ସମ୍ପର୍କରେ କର୍ପୋରେଟ ହାଉସମାନଙ୍କୁ ବୁଝାଉଥିଲେ । ହେଲେ ଏଥିରେ ବିରାମ ଲାଗିଛି । ରାଜ୍ଯରେ ସରକାର ପରିବର୍ତ୍ତନ ହେବା ପରେ ଶିଳ୍ପଗୋଷ୍ଠୀ ଓଡ଼ିଶାରେ ଆଉ ନିବେଶ ପାଇଁ ଆଗଭର ହେଉ ନାହାନ୍ତି । ଯାହାକୁ ନେଇ ଭୁବନେଶ୍ବରେ ଅନୁଷ୍ଠିତ ମାଇନିଂ, ମିନେରାଲ୍ସ ,ମେଟାଲ ଓ ମେଟେରିଆଲ୍ସ ବା IC4M ସମ୍ମିଳନୀରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ପୂର୍ବ ସରକାରଙ୍କ ସମୟରେ ଯେଉଁ ଶିଳ୍ପନୀତି ଥିଲା ବର୍ତ୍ତମାନର ସରକାର କେବଳ ତାହାକୁ ନିଷ୍ଠାର ସହ ପାଳନ କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ।
ଓଡିଶାରେ ଲୁହାପଥର, କ୍ରୋମାଇଟ୍, ବକ୍ସାଇଟ୍, କୋଇଲା ଭଳି ବିପୁଳ ପରିମାଣର ଖଣିଜ ପଦାର୍ଥ ମହଜୁଦ ରହିଛି । ତେବେ ଉପଯୁକ୍ତ ଟେକ୍ନୋଲୋଜିର ବ୍ଯବହାର ହେଉ ନଥିବାରୁ ସେସବୁକୁ ଠାବ କରିବା କଷ୍ଟକର ହୋଇପଡୁଛି । ଦେଶର ଶ୍ରେଷ୍ଠ ପବ୍ଲିକ ସେକ୍ଟର ଅଣ୍ଡରଟେକିଂ କମ୍ପାନୀ ବା PSU ଗୁଡିକ ମଧ୍ଯରେ ଓଡିଶା ମାଇନିଂ କର୍ପୋରେସନକୁ ଏବେ ୩୦ରୁ ଉର୍ଦ୍ଦ୍ବ ଖଣି ଆବଣ୍ଟନ କରାଯାଇଥିବା ବେଳେ ମାତ୍ର ୧୫ଟି ଅପରେସନାଲ ଅଛି । କେନ୍ଦ୍ର ସରାକାରଙ୍କ ବିଭିନ୍ନ ମନ୍ତ୍ରଣାଳୟର କ୍ଲିୟରାନ୍ସ ମିଳିନଥିବା କାରଣରୁ ବଳକା ଖଣି ଅଚଳ ହୋଇପଡ଼ିଛି । ତେବେ ବର୍ତ୍ତମାନ କିଭଳି ମନ୍ତ୍ରାଣାଳୟ ଗୁଡିକ ମଧ୍ଯରେ ସମନ୍ବୟ ରହିବ, ସେ ଦିଗରେ କାର୍ଯ୍ଯ ଆରମ୍ଭ ହେବା ଉଚିତ ବୋଲି କହିଛନ୍ତି ଷ୍ଟିଲ ଅଥରିଟି ଅଫ ଇଣ୍ଡିଆର ପୂର୍ବତନ ଅଧ୍ଯକ୍ଷ ।
ଆସନ୍ତା ୨୮ ଓ ୨୯ ତାରିଖ ଦୁଇଦିନ ଧରି ଓଡିଶାରେ ଉତ୍କର୍ଷ ଓଡିଶା-ମେକ୍ ଇନ୍ ଓଡିଶା କନକ୍ଲେଭ ଅନୁଷ୍ଠିତ ହେବ । ଏନେଇ ଓଡ଼ିଶା ସରକାର ୧୨ ଟି ଦେଶକୁ କାର୍ଯ୍ଯକ୍ରମରେ ଅଂଶ ଗ୍ରହଣ କରୁବାକୁ ନିମନ୍ତ୍ରଣ ଦେଇଥିଲେ । ହେଲେ ଆଉ ମାତ୍ର ୭ ଦିନ ବାକିଥିବା ବେଳେ ଅନେକ ଦେଶ ଯୋଗଦେବା ନେଇ ନିଶ୍ଚିତ କରି ନାହାନ୍ତି ।